ମାଲକାନଗିରି: ପୁଲିସର ଘନଘନ ଅପରେସନ ଆଗରେ ଜଣେ ପରେ ଜଣେ ମାଓ ସଂଗଠନର ଶୀର୍ଷ ନେତୃତ୍ବ ଟଳୁଛନ୍ତି। ଗତକାଲି ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ମେନପୁର ଥାନା ଅନ୍ତର୍ଗତ ମାତାଲ ପାହାଡ଼ରେ ପୁଲିସକୁ ସବୁଠୁ ବଡ଼ ସଫଳତା ମିଳିଛି। ୨ ଜଣ ଟପ୍ କ୍ୟାଡରଙ୍କ ସମେତ ପ୍ରାଣ ହରାଇଛନ୍ତି ୧୦ କ୍ୟାଡର ମାଓବାଦୀ।
ଗତ ୮ ମାସ ତଳେ ଏହି ପାହଡ଼ରେ ଏନକାଉଣ୍ଟରରେ ଟଳିଥିଲେ ଆଉ ଜଣେ ସେଣ୍ଟ୍ରାଲ କମିଟି ମେମ୍ବର ଚଲପତି। ୨ ସେଣ୍ଟ୍ରାଲ କମିଟିଙ୍କର ମୃତ୍ୟୁ ପରେ ଏବେ ଏକ ପ୍ରକାର ଭାଙ୍ଗି ଯାଇଛି ଗରିଆବନ୍ଧ ସଂଗଠନ। ସମସ୍ତ ୧୦ ମୃତ ମାଓବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଲେ କେନ୍ଦ୍ରୀୟ କମିଟି ସଦସ୍ୟ ମନୋଜ ଅରଫ ବାଲକ୍ରୀଷ୍ଣା। ବାଲକ୍ରୀଷ୍ଣାଙ୍କ ମୁଣ୍ଡରେ ଥିଲା ଏକ କୋଟି।
ସେହିପରି ୨୫ ଲକ୍ଷ ଘୋଷିତ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ପ୍ରମୋଦ ଅରଫ ପାଣ୍ଡୁ, ୮ ଲକ୍ଷ ଘୋଷିତ ଡିଭିସିଏମ ବିମଳ ଅରଫ ମଙ୍ଗନା, ୫ ଲକ୍ଷ ଘୋଷିତ ନନ୍ଦେ ଅରଫ ମଞ୍ଜୁ, ୫ ଲକ୍ଷ ଘୋଷିତ ଡେପୁଟି କମାଣ୍ଡର ଉମେଶ, ୫ ଲକ୍ଷ ଘଷିତ ଏସିଏମ ରଜିତା, ୫ ଲକ୍ଷ ଘୋଷିତ ଏସିଏମ ଅଞ୍ଜଳି, ୫ ଲକ୍ଷ ଘୋଷିତ ସିନ୍ଧୁ, ୧ ଲକ୍ଷ ଘୋଷିତ ପାର୍ଟି ମେମ୍ବର ସରିତା ଏବଂ ୧ ଲକ୍ଷ ଘୋଷିତ ପାର୍ଟି ମେମ୍ବର ସମୀର। ଛତିଶଗଡରେ ଏହି ୧୦ ଜଣ ନାମରେ ମୋଟ ୧ କୋଟି ୬୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ବେଳେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ମୋଟ ୭୨ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା।
ବାଲକ୍ରୀଷ୍ଣାର ମୁଣ୍ଡରେ ଏକ କୋଟି ଟଂକାର ପୁରସ୍କାର ରହିଥିବା ବେଳେ ୩ ଦଶନ୍ଧି ଧରି ଓଡ଼ିଶା ଓ ଛତିଶଗଡ଼ରେ ସକ୍ରିୟ ମାଓ ନେତା ଭାବେ କାର୍ଯ୍ୟ କରୁଥିଲା। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ଏଓବି (ଆନ୍ଧ୍ର-ଓଡ଼ିଶା ସୀମା ଡିଭିଜନ)ର ସଂପାଦକ ଭାବେ କାର୍ଯ୍ୟ କରିଥିବା ବେଳେ ମାଲକାନଗିରିର କାଲିମେଳା ଓ ପାପଲୁର ଅଂଚଳରେ ସକ୍ରିୟ ଥିଲା। ପରେ ନୟାଗଡ,କନ୍ଧମାଳ, ନୂଆପଡା ଅଂଚଳରେ ସକ୍ରିୟ ଥିବା ବେଳେ ଓଡ଼ିଶାରେ ଘନଘନ ଆକ୍ରମଣ ଯୋଗୁଁ ୨୦୨୧ ଡିସେମ୍ବରରେ ସାଥୀମାନଙ୍କ ସହ ଛତିଶଗଡ଼ ଚାଲିଯାଇଥିଲା।
ଓଡ଼ିଶାରେ ମାଓବାଦୀ ସହ ନେତା ନଥିବାରୁ ଓଡ଼ିଶା ସୀମା ଛତିଶଗଡ଼ରେ ରହି ଓଡ଼ିଶାରେ ମାଓ ସଂଗଠନକୁ ସକ୍ରିୟ କରିବା ପାଇଁ କରୁଥିଲା ରଣନୀତି। ବାଲକ୍ରୀଷ୍ଣା ସହ ଓଡିଶା ରାଜ୍ୟ କମିଟିର ମେମ୍ବର ପାଣ୍ଡୁ ଅରଫ ପ୍ରମୋଦ ମଧ୍ୟ ଏଥିରେ ନିହତ ହୋଇଛି। ସେମାନଙ୍କ ଠାରୁ ଏକେ-୪୭, ଏସଏଲଆର, ଇନସାସ ପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ। ଗତ ବର୍ଷକ ମଧ୍ୟରେ ୪ ଶହରୁ ଉର୍ଦ୍ଧ୍ବ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ୫ ଶହରୁ ଊର୍ଦ୍ଧ୍ବ ଗିରଫ ହୋଇଛନ୍ତି ଏବଂ ୭ ଶହରୁ ଉର୍ଦ୍ଧ୍ବ ଆତ୍ମସମର୍ପଣ କରିସାରିଛନ୍ତି। ଯାହାକି ମାଓ ସଂଗଠନକୁ ଦୋହଲାଇ ଦେଇଛି। ମାଓବାଦୀ ଅଣ୍ଟା ଶଳଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ତାଂକ ପାଇଁ ସମ୍ଭବପର ହୋଇପାରୁ ନାହିଁ।
ତେବେ ମାଓ ନେତା ବାଲକ୍ରୀଷ୍ଣଙ୍କ ତ୍ରିସ୍ତରୀୟ ସୁରକ୍ଷା ରହିଥିବା ବେଳେ ପୁଲିସ କିପରି ସଫଳତା ପାଇଲା ତାକୁ ନେଇ ଏବେ ନକ୍ସଲ ହଡବଡେଇଛନ୍ତି। ତ୍ରିସ୍ତର ସୁରକ୍ଷାକୁ ଭେଦିବା ପୁଲିସ ପକ୍ଷରେ ସମ୍ଭବ ନାହିଁ। କିନ୍ତୁ ପୁଲିସର ରଣନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଥିବା ପୁଲିସ କହିଛି। ପୁଲିସ ଚାରି ପଟରୁ ଏହି ସୁରକ୍ଷା କବଚକୁ ଭାଙ୍ଗିଥିଲା। ଗୋଟିଏ ଗୋଟିଏ ସୁରକ୍ଷା କବଚକୁ ଭାଙ୍ଗି ପୁଲିସ ବାଲକ୍ରୀଷ୍ଣା ପର୍ଯ୍ୟନ୍ତ ପହଞ୍ଚିପାରିଥିଲା। ଯେପରି କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତିକୁ ଏହି ଜଂଗଲରେ ମାରିଥିଲା। ସେହି ଉପାୟରେ ବାଲକ୍ରୀଷ୍ଣାକୁ ମଧ୍ୟ ପୁଲିସ ମାରିଥିଲା।
Malkangiri