-ବସଷ୍ଟାଣ୍ଡ ଓ ରାସ୍ତା ଉନ୍ନତୀକରଣ କାର୍ଯ୍ୟରେ ସୃଷ୍ଟି କରୁଥିଲା ବାଧା
-ବିଭିନ୍ନ ଆଳ ଦେଖାଇ ଆଡେଇ ଚାଲିଥିଲେ ବ୍ୟବସାୟୀ

Advertisment

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ବସ୍‌ଷ୍ଟାଣ୍ଡ ପାଖ ମୁଖ୍ୟ ବଜାର ତଥା ବୈଶିଙ୍ଗା-ମାଣତ୍ରୀ ରାସ୍ତାପାର୍ଶ୍ଵରେ ସରକାରୀ ଜମିରେ ବେଆଇନ ଭାବେ ଜବରଦଖଲ କରି ଦୀର୍ଘ ବର୍ଷଧରି ରାସ୍ତା ପାର୍ଶ୍ଵସ୍ଥ ନୟନଯୋଡ଼ି ଏବଂ ଗୋଚର କିସମର ଜମିରେ ଜବରଦଖଲ କରି କରିଆସିଥିବା ଦୋକାନ ଗୁଡିକୁ ଉଚ୍ଛେଦ କରିବାକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିବା ବେଳେ ବୁଧବାର ମଧ୍ୟାହ୍ନରେ ଜବରଦଖଲ ଉଚ୍ଛେଦ କରାଯାଇଛିl 

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା-ମାଣତ୍ରୀ ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିରେ ଦୀର୍ଘଦିନ ଧରି ମାଡ଼ି ବସି ଦୋକାନ ଘର କରିବା ସମେତ ଘର ନିର୍ମାଣ କରି ଅନ୍ୟ ବ୍ୟବସାୟୀଙ୍କୁ ଭଡ଼ା ସୂତ୍ରରେ ଦିଆଯାଉଥିବା ଏକାଧିକ ବେଆଇନ ଦୋକାନ ଗୃହ ପାଇଁ ବୈଶିଙ୍ଗା ମୁଖ୍ୟ ବସଷ୍ଟାଣ୍ଡ ସଂକୁଚିତ ହେବା ନେଇ ସ୍ଥାନୀୟ ବାସିନ୍ଦା ପୂର୍ବରୁ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଆସିଥିଲେl ତତସହିତ ଏବେ ଚାଲିଥିବା ବୈଶିଙ୍ଗା-ମାଣତ୍ରୀ ପ୍ରଶସ୍ତୀକରଣ କାର୍ଯ୍ୟରେ ବାଧା ଉପୁଜୁଥିବା ଦର୍ଶାଇ ଜବରଦଖଲ ଉଛେଦ ଦାବିରେ ପୁଣି ଥରେ ସ୍ଥାନୀୟ ୨ସରପଞ୍ଚଙ୍କ ସମେତ ଶତାଧିକ ସ୍ଥାନୀୟ ବାସିନ୍ଦାଙ୍କ ସ୍ଵାକ୍ଷରିତ ଏକ ଲିଖିତ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ଅଞ୍ଚଳବାସୀl 

publive-image

ସେହିପରି ଏହା ବୈଶିଙ୍ଗା ଡାକ୍ତରଖାନାକୁ ମୁଖ୍ୟ ରାସ୍ତା ହୋଇଥିବାରୁ ଅଧିକାଂଶ ସମୟରେ ରାସ୍ତା ଜାମ ପାଇଁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଅଟକି ରହୁଥିଲାl ହେଲେ ବିଭିନ୍ନ ପ୍ରକାର ଆଳ ଦେଖାଇ ଜବରଦଖଲ କାରି ଉକ୍ତ ସ୍ଥାନରୁ ହଲୁ ନଥିଲେl ତେବେ ପରିଶେଷରେ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ସମ୍ବେଦନଶୀଳତାକୁ ଉପଲବ୍ଧିକରିବା ସହିତ ଅଂଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବୈଶିଙ୍ଗା ମୁଖ୍ୟ ବଜାରର ରାସ୍ତା ପାର୍ଶ୍ଵସ୍ଥ ନୟନଯୋଡି ଏବଂ ଗୋଚର କିସମର ଜମିରେ ଜବରଦଖଲକରି ଦୋକାନ ଗୃହ ନିର୍ମାଣ କରିଥିବା ୧୭ଜଣଙ୍କୁ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। 

ପରେ ବୁଧବାର ପୁଲିସ ଫୋର୍ସ ଏବଂ ରାଜସ୍ବ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲାl ଆଜିର ଏହି ଉଛେଦ ପ୍ରକ୍ରିୟା ସମୟରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ପୁଲିସଫୋର୍ସ ନେଇ ଜବରଦଖଲ ଉଛେଦ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ତହସିଲଦାର ସୁରଥଚନ୍ଦ୍ର ରାଉତ, ଅତିରିକ୍ତ ତହସିଲଦାର ଈଶ୍ୱରଚନ୍ଦ୍ର ରଣା, ରେଭିନ୍ୟୁ ସୁପର ଭାଇଜର ଜଗନ୍ନାଥ ସିଂ, ବୈଶିଙ୍ଗା ରାଜସ୍ବ ନିରୀକ୍ଷକ ଅହଲ୍ୟା ବେହେରାଙ୍କ ସମେତ ପୂର୍ତ୍ତବିଭାଗ ଯନ୍ତ୍ରୀ ରବୀନ୍ଦ୍ର ମିଶ୍ର ମଧ୍ୟ ଉପସ୍ଥିତ ରହି ସମଗ୍ର ଉଛେଦ ପ୍ରକିୟାର ତଦାରଖ କରିଥିଲେl