ଭାଲୁମୁଣ୍ଡା: ବଲାଙ୍ଗୀରଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳ ଦେଇ ବହି ଯାଇଥିବା ବିସ୍ତିର୍ଣ୍ଣ ଉନ୍ଦେର ନଦୀରୁ ବାଲି ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଯୋଗୁଁ ଖଣି ବିଭାଗ କାଁ ଭାଁ ଚଢ଼ାଉ କରୁଥିବା ଯୋଗୁଁ ଚୋରାଚାଲାଣ କାରିଙ୍କ ପାଇଁ ଏ ଅଞ୍ଚଳ ଏବେ ଭୁସ୍ବର୍ଗ ପାଲଟିଛି। ଭଲ କଥା ହେଉଛି ସିନ୍ଧେକେଲା ବଣିକ ସଂଘ ର ଅନୁରୋଧ କ୍ରମେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ଦିନବେଳେ ସିନ୍ଧେକେଲାକୁ ନୋ ଏଣ୍ଟ୍ରି ଜୋନ ଘୋଷଣା କରିଥିବାରୁ ଦିନବେଳେ ସିନ୍ଧେକେଲା ଦେଇ ଚୋରାଚାଲାଣ ହେଉନଥିବା ବେଳେ ରାତି ୮ଟା ହେଲେ ମାଳାମାଳ ହାଇଓ୍ବା ପ୍ରତିଦିନ ରାତିସାରା ବାଲି ଚୋରାଚାଲାଣ କରୁଛନ୍ତି।
ତେବେ ସିନ୍ଧେକେଲା ପୁଲିସ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ଦୁଇ ଗୋଟି ହାଇଓ୍ବା ନମ୍ବର ଓଡି ୨୬ ଜି ୨୪୯୬ ଓ ସିଜି ୦୪ ଏମସି ୧୫୫୫ ନମ୍ବର ଥିବା ଗାଡ଼ି ଧରି ଥାନାକୁ ଆଣି ଅଟକ ରଖାଯାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ କଣ ହେଲା କେଜାଣି ସକାଳୁ ଦେଖିଲାବେଳକୁ ଥାନା ପ୍ରାଙ୍ଗଣରେ ଆଉ ଗାଡ଼ି ଦୁଇଟିକୁ ଦେଖିବାକୁ ମିଳିନଥିଲା।
ବାଲି କେଉଁ ଘାଟରୁ ଚାଲାଣ ହେଉଥିଲା ତାହା ଅସ୍ପଷ୍ଟ ରହିଛି। ଏପଟେ ଜିଲ୍ଲା ଖଣି ଉପନିର୍ଦେଶକ ଚନ୍ଦ୍ରକାନ୍ତ ମହନ୍ତଙ୍କୁ ପଚାରିବାରୁ ସେ ସିନ୍ଧେକେଲା ଓ ତେଳସରାଇ ବାଲିଘାଟ ଅବଧି କିଛି ଦିନ ପରେ ଶେଷ ହେବାକୁ ଯାଉଥିବା ବେଳେ ପଲ୍ୟୁସନ କ୍ଲିଅରାନ୍ସ କିଛି ଠିକ୍ ନ ଥିବ ବୋଲି କହିଥିଲେ।
ତେବେ ଏହି ବାଳି ଚାଲାଣକୁ ସେ ବେଆଇନ ବୋଲି ମାନିଥିଲେ। ହେଲେ ସିନ୍ଧେକେଲା ପୁଲିସ କି କାଗଜପତ୍ର ଦେଖି ଗାଡି ଛାଡ଼ିଦେଇଛି। ସେହି ବାଲି ବୋଝେଇ ହାଇଓ୍ବା ସିନ୍ଧେକେଲା ପୁଲିସର କେଉଁ ଅଧିକାରୀ କିମ୍ବା କର୍ମଚାରୀ ଧରିଥିଲେ। ଏ ସମୟରେ ଆଇଆଇସି ଥିଲେ ନା ନାହିଁ। କାହିଁକି ରାତାରାତି ଗାଡ଼ି ଛାଡ଼ି ଦିଆଗଲା। ଏମିତି ଅନେକ କିଛି ପ୍ରଶ୍ନ ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେଣୁ ଏହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି।
Balangir