କଟକ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗର ହାଟପଡ଼ା ଅଞ୍ଚଳକୁ ପରିବେଶବିତ ଡାକ୍ତର ରୢାଣ୍ଡଲ ସିକୁଇରାଙ୍କ ଜିଲ୍ଲା ପ୍ରବେଶ ଉପରେ ଜାରି କଟକଣାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ସିଜିମାଳି ଖଣି ଖନନକୁ ବିରୋଧ କରି ମା ମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଜୁନ ୫ରେ ହେବାକୁ ଥିବା ପ୍ରତିବାଦରେ ସାମିଲ ହେବାକୁ ଡାକ୍ତର ସିକୁରାଇ ଯାଉଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ କଟକଣା ଜାରି କରିଥିଲେ। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ସିକୁଇରାଙ୍କ ବିରୋଧରେ ଜାରି ଏପରି ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଏଥି ସହିତ ଆବେଦନକାରୀଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ପାଇଁ ଅନୁମତି ଦେବା ଲାଗି ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଓ ରାୟଗଡା ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ହାଇକୋର୍ଟ ନିୟମାବଳୀ ଜାରି କରିଛନ୍ତି। ଆବେଦନକାରୀ ବା ଅନ୍ୟ ଗୋଷ୍ଠୀ ପ୍ରତିବାଦ ଆୟୋଜନ କରିବାକୁ ଚାହିଁଲେ ଏହା ପୂର୍ବରୁ ଜିଲ୍ଲା ପ୍ରଶାସନକୁ ତାରିଖ, ସମୟ, ସ୍ଥାନ ଓ କେତେ ଲୋକ ଉପସ୍ଥିତ ରହିବାର ସମ୍ଭାବନା ରହିଛି ସେ ନେଇ ଲିଖିତ ନୋଟିସ୍ ଦେବେ। ଆବେଦନକାରୀ ଓ ତାଙ୍କ ସହଯୋଗୀ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ କରିବେ।
ରାୟଗଡ଼ା ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପି ଆୟୋଜକଙ୍କ ସହିତ ଆଲୋଚନା କରି ପ୍ରତିବାଦ ପାଇଁ ସମୟ, ସ୍ଥାନ ନିର୍ଦ୍ଧାରଣ କରିବେ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କର୍ତ୍ତୃପକ୍ଷ ବୈଧ ଓ ଅନୁପାତିକ କଟକଣା ଜାରି କରି ପାରିବେ। ମାଇକ ବ୍ୟବହାର, ଅଧିକ ଲୋକଙ୍କ ସମାଗମ ଉପରେ ପ୍ରତିବନ୍ଧକ ଆବଶ୍ୟକ ସ୍ଥଳେ ଲଗାଯାଇ ପାରିବ। ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। ପ୍ରତିବାଦ ଶାନ୍ତିପୂର୍ଣ୍ଣ, ଅହିଂସକ ଓ ବିନା ବାଧା ସୃଷ୍ଟିରେ ଆୟୋଜନ ହେବ। ଯଦି ଆବେଦନକାରୀ ବା ତାଙ୍କ ସହଯୋଗୀ କୌଣସି ସର୍ତ୍ତର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କର୍ତ୍ତୃପକ୍ଷ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଜୁନ ୫ରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିବାଦ ସଭାରେ ଡାକ୍ତର ସିକୁଇରା, ମେଧା ପାଟକରଙ୍କ ସହିତ ଅନ୍ୟ କିଛି ସମାଜସେବୀ, ପରିବେଶବିତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ରାୟଗଡ଼ା ଏସପି ଏହି ପ୍ରସଂଗରେ ଏକ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିଲେ। ଏହାପରେ ବିଏନଏନଏସର ଧାରା ୧୬୩(୩)ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଜୁନ ୪ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ। ମେଧା ପାଟେକର, ଆବେଦନକାରୀ ଓ ଅନ୍ୟ ୨୨ଜଣଙ୍କ ରାୟଗଡ଼ା ଜିଲ୍ଲା ପ୍ରବେଶ ଉପରେ ୨ ମାସ ପାଇଁ କଟକଣା ଜାରି କରାଯାଇଥିଲା। ଏପରି ନିର୍ଦ୍ଦେଶକୁ ବିରୋଧ କରି ଡାକ୍ତର ସିକୁଇରା ଦାୟର କରିଥିବା ମାମଲାର ଜୁନ ୨୦ରେ ହାଇକୋର୍ଟ ଶୁଣାଣି କରି ରାଜ୍ୟ ରାୟଗଡ଼ା ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ଜବାବ ତଲବ କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଫରାଜ ସୁହେଲ ମାମଲା ପରିଚାଳନା କରୁଥିଲେ।
Orissa High Court