ଭୁବନେଶ୍ବର: ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ଆସନ୍ତା ୯ ତାରିଖ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ପାଇଁ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏକ ପ୍ରସ୍ତୁତି ସମୀକ୍ଷା ବୈଠକରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଗଣମାଧ୍ୟମର ପ୍ରତିନିଧି୍ଙ୍କୁ କହିଛନ୍ତି, ଓଡ଼ିଶା କ୍ରିକେଟ୍ ଆସୋସିଏସ୍ (ଓସିଏ), ପୁଲିସ ବଳ, ହୋଟେଲ କର୍ତ୍ତୃପକ୍ଷ, ଏୟାରପୋର୍ଟ କର୍ତ୍ତୃପକ୍ଷ, ସିଆଇଏସଏଫ୍ ସହ ଆଲୋଚନା ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଖେଳାଳିମାନେ ରହିବାକୁ ଥିବା ହୋଟେଲ ଓ ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା ହୋଇଛି। ସେହିପରି ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଛି।
ପୁଲିସ କମିସନର ଶ୍ରୀ ସିଂହ କହିଛନ୍ତି, ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ଉଭୟ ଭାରତ ଓ ଇଂଲଣ୍ଡ କ୍ରିକେଟ୍ ଟିମ୍ ପହଞ୍ଚିବେ। ୮ ତାରିଖରେ ଉଭୟ ଟିମ୍ ଅଭ୍ୟାସ ପାଇଁ କଟକ ବାରବାଟୀ ଷ୍ଟାଡ଼ିୟମ୍କୁ ଯିବେ। ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ସେହିଭଳି ମ୍ୟାଚ୍ ବେଳେ ଷ୍ଟାଡିୟମକୁ ପାଣି ବୋତଲ ନେଇ ଯିବାକୁ ମନା କରାଯାଇଛି।
ବାରବାଟୀ ଷ୍ଟାଡିୟମରେ ଆଜିଠାରୁ ୪ଟି କାଉଣ୍ଟରରେ ସାଧାରଣ ଦର୍ଶକମାନଙ୍କ ପାଇଁ ଟିକେଟ୍ ବିକ୍ରି ହୋଛି। ଟିକେଟ୍ କିଣିବା ପାଇଁ କ୍ରୀଡ଼ାପ୍ରେମୀମାନେ ମଙ୍ଗଳବାର ରାତିରୁ ଗହଳି ଲଗାଇଥିଲେ। ଆଜି ଟିକେଟ୍ କାଉଣ୍ଟର ଖୋଲିବା ମାତ୍ରେ ଠେଲାପେଲା ହୋଇଥିଲା। ଘଣ୍ଟାଏ ଭିତରେ ସ୍ଥିତି ଯେମିତି ଅଣାୟତ୍ତ ହୋଇଗଲା। ଏଭଳି ଚରମ ଅବ୍ୟବସ୍ଥା ବାରବାଟୀ ଷ୍ଟାଡିୟମ୍ ଟିକେଟ୍ କାଉଣ୍ଟର ମାନଙ୍କ ଆଗରେ ଦେଖିବାକୁ ମିଳିଥିଲା। ରାତିରେ ମଶା ଉପଦ୍ରବ ଏବଂ ସକାଳୁ ଗହଳି ଭିତରେ ଫସି ରହିବା କାରଣରୁ ଅନେକ ଲୋକ କାଉଣ୍ଟର ଆଗରେ ଅଚେତ ହୋଇଥିବା ମଧ୍ୟ ଖବର ମିଳିଛି। ପ୍ରବଳ ଗଳହି କାରଣରୁ ୩ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏଠାରେ ମ୍ୟାଚ୍ ଖେଳିଥିଲା।
ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ୍ ପାଇଁ କାଉଣ୍ଟରକୁ ୧୧ ହଜାର ୮୦ ଖଣ୍ଡ ଟିକେଟ୍ ଆସିଥିଲା। କିନ୍ତୁ କ୍ରୀଡ଼ାପ୍ରେମୀଙ୍କ ଚାହିଦା ଥିଲା ପ୍ରାୟ ୩୦,୦୦୦। ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିପରୀତ ପରିସ୍ଥିତି ଉପୁଜିଥିଲା। ମୁଣ୍ଡ ପିଛା ୨ଟି ଟିକେଟ ଦେବାକୁ ପୂର୍ବରୁ ସ୍ଥିର ହୋଇଥିବାରୁ ଅନେକ କ୍ରୀଡ଼ାପ୍ରେମୀଙ୍କୁ ଟିକେଟ୍ ମିଳି ନଥିଲା। ଗତକାଲି ରାତିରୁ ଅନିଦ୍ରା ରହି ଟିକେଟ୍ ଚାହୁଁଥିବା ଅନେକ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପୂର୍ବରୁ ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ ବିକ୍ରି ସମୟରେ ମଧ୍ୟ ହଜାର ହଜାର କ୍ରୀଡ଼ାପ୍ରେମୀ ନିରାଶ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/05/4QZC5YN4aHbONnoYDyG8.jpg)