ନୂଆଦିଲ୍ଲୀ: ପ୍ରତ୍ୟେକ ଦିନର କୌଣସି ଇତିହାସ ରହିଥାଏ। ସେହି ଇତିହାସ ବିଭିନ୍ନ ଘଟଣାକ୍ରମ ସହିତ ଜଡ଼ିତ। କଳା ହେଉ ବା ସଂସ୍କୃତି, ରାଜନୀତି ହେବ କି ଆଉ କିଛି। ଏହି କ୍ରମରେ ଆଜିର ଦିନ ସହିତ ଭାରତୀୟ କ୍ରିକେଟ୍ର ବିରାଟ କୋହଲିଙ୍କ ଜୀବନ କିପରି ଜଡ଼ିତ ସେନେଇ ଜାଣିବା। ବିରାଟ କୋହଲି ଆଜକୁ ୧୭ ବର୍ଷ ତଳେ ଆଜିର ଦିନରେ ଯେତେବେଳେ ଭାରତୀୟ କ୍ରିକେଟ୍ରେ ଯୋଗ ଦେଇଥିଲେ, ସେହି ସମୟରେ କେହି ଭାବି ନଥିବେ ଯେ, ଏହି ଯୁବ ଖେଳାଳି ଦିନ ସମଗ୍ର ବିଶ୍ବରେ ରାଜ୍ କରିବ। ବିରାଟ କୋହଲି ଏଭଳି ଖେଳାଳି ହୋଇପାରିଛନ୍ତି, ତାଙ୍କର ବିଧ୍ବଂସ ବ୍ୟାଟିଂକୁ ବିଶ୍ବର ମହାନ୍ କ୍ରିକେଟ୍ର ସଲାମ କରିଥାନ୍ତି। ସେ ଯେତେବେଳେ ପଡ଼ିଆରେ ଥାଆନ୍ତି, ତାଙ୍କର ଶରୀରରେ ଏକ ଭିନ୍ନ ପ୍ରକାରର ଶକ୍ତି ପରିଲକ୍ଷିତ ହୋଇଥାଏ।
୧୮ ନମ୍ବର ଜର୍ସି ପିନ୍ଧୁଥିବା ଦିଲ୍ଲୀର ଏହି ତାରକା ଖେଳାଳି, ଯିଏ କି ୧୯ ବର୍ଷରୁ କମ ବିଶ୍ବକପ୍ ଜିତି ଆସିଥିଲେ, ସେ ଶ୍ରୀଲଙ୍କା ବିପକ୍ଷରେ ପଦାର୍ପଣ କରିଥିଲେ। ଏହି ମ୍ୟାଚରେ ସେ ନିଜକୁ ପ୍ରମାଣିତ କରିଦେଇଥିଲେ ଯେ, ଆଉ ପଛକୁ ଚାହିଁବେ ନାହିଁ। ପରବର୍ତ୍ତୀ ସମୟରେ କୋହଲି ନିଜକୁ ‘କିଙ୍ଗ୍ କୋହଲି’ ନାମରେ ପରିଚିତ କରିପାରିଥିଲେ। ବିରାଟ କୋହଲି ୧୭ ବର୍ଷ ପୂର୍ବରୁ ୨୦୦୮ ମସିହାରେ ଆଜିର ଦିନର ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ।
ବିରାଟ କୋହଲି ଉଭୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟ୍ରୁ ସନ୍ୟାସ ନେଇସାରିଛନ୍ତି। ଦିନିକିଆ କ୍ରିକେଟ୍ ଜାରି ରଖିଛନ୍ତି। ସେ ଦିନିକିଆ ଫର୍ମାଟରେ ପଦାର୍ପଣ କରିଥିଲେ ଏବଂ ଏହି ଫର୍ମାଟରେ କ୍ରିକେଟ୍କୁ ପୂରା ଅଲବିଦା କହିପାରନ୍ତି। ବିରାଟ କୋହଲି ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ରଖିଲେ, ସେହି ସମୟରେ ଭାରତୀୟ କ୍ରିକେଟ୍ର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଗୌତମ ଗମ୍ଭୀରଙ୍କ ସହିତ ବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ଏହି ମ୍ୟାଚରେ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ। ୨୦୦୯ରେ କୋଲକାତାରେ କୋହଲି ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ।
କୋହଲିଙ୍କ କ୍ୟାରିୟର
-୨୦୦୨ରେ ଘରୋଇ କ୍ରିକେଟ ଆରମ୍ଭ
-୨୦୦୬ରେ ଲିଷ୍ଟ-ଏ କ୍ୟାରିୟର ଆରମ୍ଭ
-୨୦୦୮ରେ ପିତାଙ୍କ ପରଲୋକ ପରେ ନୂଆ ମୋଡ଼
-୨୦୦୮ରେ ୧୯ବର୍ଷରୁ କମ କ୍ରିକେଟ୍ରେ ଅଧିନାୟକ
-୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ
-୨୦୧୦ରେ ଜିମ୍ବାୱେ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ
-୨୦୧୧ରେ ବିଶ୍ବକପ ବିଜୟ ପରେ ଟେଷ୍ଟ ମ୍ୟାଚ୍ରେ ପଦାର୍ପଣ
-୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ
-୨୦୧୩ରେ ଭାରତ ଚାମ୍ପିଅନ ଟ୍ରଫି ବିଜୟୀ
-୨୦୧୪ରେ ଧୋନିଙ୍କ ସନ୍ୟାସ ପରେ ଟେଷ୍ଟ ଅଧିନାୟକ
-୨୦୧୭ରେ ତିନି ଫର୍ମାଟରେ ଭାରତୀୟ ଟିମର ଅଧିନାୟକ
୨୦୧୮ରେ ଭାରତକୁ ପ୍ରଥମ ଥର ଅଷ୍ଟ୍ରେଲିଆରେ ଜିତାଇଥିଲେ
-୨୦୨୧ରେ ଭାରତକୁ ଡବ୍ଲୁଟିସି ଫାଇନାଲରେ ପହଞ୍ଚାଇଥିଲେ
-୨୦୨୨ରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ଟି-୨୦ ଶତିକ
-୨୦୨୨ରେ ଉଭୟ ଟେଷ୍ଟ ଓ ଦିନିକିଆ ଅଧିନାୟକ ପଦବିରୁ ବିରତି
-୨୦୨୩ରେ ଦିନିକିଆ ବିଶ୍ବକପରେ ସର୍ବାଧିକ ରନ୍ (୭୬୫) ସଂଗ୍ରହକାରୀ
-୨୦୨୪ରେ ଟି-୨୦ ବିଶ୍ବକପ ବିଜୟ, ଟି-୨୦ କ୍ରିକେଟ୍ରୁ ସନ୍ୟାସ
-୨୦୨୫ରେ ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ଟାଇଟଲ, ଟେଷ୍ଟ କ୍ରିକେଟ୍ରୁ ସନ୍ୟାସ
କିଙ୍ଗ୍ କୋହଲିଙ୍କ ଉପଲବ୍ଧି
-ଦିନିକିଆ କ୍ରିକେଟ୍ରେ ସର୍ବାଧିକ ଶତକ (୫୧)
-ଟେଷ୍ଟରେ ଅଧିନାୟକ ଭାବେ ସର୍ବାଧିକ ଶତକ (୭)
-କୋହଲି ଦିନିକିଆ କ୍ରିକେଟ୍ରେ ଦ୍ରୁତଗତିରେ ୧୦ହଜାର ରନ୍ କରିଥିବା ଖେଳାଳି
-୨ଟି ବକ୍ସିଂ-ଡେ-ଟେଷ୍ଟ ଜିତାଇଥିବା ଏକମାତ୍ର ଭାରତୀୟ ଅଧିନାୟକ
-ସାର ଗାରଫିଲ୍ଡ ସୋବର୍ସ ପୁରସ୍କାର ୨ଥର ଜିତିଥିବା କ୍ରିକେଟର
ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର କଥା ଯଦି ଭାବିବା, ସେ ମୋଟ ୨୭, ୫୯୯ ରନ୍ ସଂଗ୍ରହ କରିଛନ୍ତି। ଏପର୍ଯ୍ୟନ୍ତ ୫୫୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୮୨ଟି ଶତକ, ୧୪୩ଟି ଅର୍ଦ୍ଧଶତକ ମାରିଛନ୍ତି। କୋହଲି ଦିନିକିଆ କ୍ରିକେଟ୍ ଜାରି ରଖିଛନ୍ତି। ସେ ୩୦୨ଟି ଦିନିକିଆ ଖେଳି ୧୫,୧୮୧ ରନ୍ ସଂଗ୍ରହ କରିଛନ୍ତି। ଏତଦ୍ ବ୍ୟତୀତ କୋହଲି ଆଇପିଏଲ୍ରେ ୮୬୬୧ ରନ୍ ସଂଗ୍ରହ କରିଛନ୍ତି।
Virat Kohli | Cricket