ଭୁବନେଶ୍ବର(ମହେନ୍ଦ୍ର ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କହିଛନ୍ତି, ସରକାରୀ ଚାକିରି କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରି ନଥାଏ; ବରଂ ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ। ସରକାରଙ୍କ ନୀତି ନିୟମର ମର୍ଯ୍ୟାଦାରେ ରହି ନିଜ କାର୍ଯ୍ୟ ସମ୍ପାଦନ କରିବା ହେଉଛି ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ। ଦୁର୍ନୀତିରୁ ଊର୍ଦ୍ଧ୍ୱରେ ରହି ଭଲ କାମ କରନ୍ତୁ। ସଚ୍ଚୋଟତାକୁ କାର୍ଯ୍ୟଶୈଳୀ(ୱାର୍କ କଲ୍ଚର)ର ଅବିଚ୍ଛେଦ୍ୟ ଅଙ୍ଗ କରନ୍ତୁ। ସାଧାରଣ ଜନତାଙ୍କ ଆଶୀର୍ବାଦ ହେଉଛି ବଡ଼ ପୁଞ୍ଜି।
ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକାଦଶ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହି ଭାଷଣ ଶୁଣି ଚାକିରି ପାଇ ମଧ୍ୟ ନିର୍ଯାତିତ ହେଉଥିବା ପ୍ରାର୍ଥୀମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସେମାନେ ସରକାରଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଉ ନାହାନ୍ତି। ରାଜ୍ୟରେ ହଜାର ହଜାର ପ୍ରାର୍ଥୀ ଚାକିରି ପାଇ ସାରିଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ ଅବ୍ୟବସ୍ଥା ପାଇଁ ସେମାନେ କର୍ମକ୍ଷେତ୍ରରେ ଯୋଗ ଦେଇପାରୁ ନଥିବା ଅଭିଯୋଗ ହେଉଛି। ସେହିପରି ହଜାର ହଜାର ପ୍ରାର୍ଥୀଙ୍କ ମୁଖ୍ୟ ପରୀକ୍ଷା ୬ମାସ ପୂର୍ବରୁ ସରି ଯାଇଥିଲେ ମଧ୍ୟ ଏହାର ଅନ୍ତିମ ରେଜଲ୍ଟ ପ୍ରକାଶ କରାଯାଇ ପାରୁନାହିଁ। ସବୁଠାର କ୍ଷୋଭର ବିଷୟ ହେଲା ଚାକିରିରେ ଯୋଗ ଦେବା ପାଇଁ ପ୍ରାର୍ଥୀଙ୍କୁ ଫୋନ୍ କରି ଡାକିବା ଏବଂ ପୁଣି ମାତ୍ର କେଇଘଣ୍ଟା ପରେ ମନା କରିଦେବା।
ନାମ ଗୋପନ ରଖି ଜଣେ ପ୍ରାର୍ଥୀ କହିଛନ୍ତି, ଚାକିରି ପାଇ ସାରିଥିଲେ ମଧ୍ୟ ଆମକୁ ନିର୍ଯାତନାର ସାମ୍ନା କରିବାକୁ ପଡୁଛି। ୬ମାସ ହେଲା ଆମେ ଚାକିରି ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଯୁକ୍ତିପତ୍ର ପାଇପାରୁ ନାହୁଁ। ଘରର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ସରକାରଙ୍କ ଏହି ଭଳି ବ୍ୟବସ୍ଥା ଯୋଗୁଁ ମାନସିକ ଚିନ୍ତା ବଢୁଛି। ଅନ୍ୟପଟରେ ପରିବାରରେ ଲୋକେ ଆମର ଚାକିରିକୁ ଅପେକ୍ଷା କରି ରହିଛନ୍ତି।
ସୁକିନ୍ଦାସ୍ଥିତ କଳିଙ୍ଗନଗର ତୃତୀୟ ରିଜର୍ଭ ପୁଲିସ ବାହିନୀର ଦୁର୍ଗପତି ୟାକୁବ କହିଛନ୍ତି, ଆଇଆରବି/ଓଏସ୍ଏପି ନିଯୁକ୍ତି ପ୍ରକ୍ରିୟାରେ ଯେହେତୁ ବିଭିନ୍ନ ସମୟରେ ବିବାଦ ଦେଖାଯାଇଛି। ସେହି କାରଣରୁ ପ୍ରାର୍ଥୀମାନେ ଯଥାଶୀଘ୍ର ପ୍ରାର୍ଥୀ ଚାକିରିରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଆସିଥିଲା। ଏହି ନିର୍ଦ୍ଦେଶ ଆସିବାରୁ ପ୍ରାର୍ଥୀମାନଙ୍କୁ ଶୀଘ୍ର ଯୋଗ ଦେବା ପାଇଁ କୁହାଯାଇଥିଲା। କିନ୍ତୁ ପରିବର୍ତ୍ତୀ ସମୟରେ ସରକାରୀ ୱେବସାଇଟରୁ ଅନ୍ୟ ଏକ ନିର୍ଦ୍ଦେଶାନାମା ଆସିଥିଲା ଯେ, ଆସନ୍ତା ୨୫ ତାରିଖରେ ଚୟନୀତ ପ୍ରାର୍ଥୀମାନେ ଚାକିରିରେ ଯୋଗଦେବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଅନ୍ୟ ଜଣେ ପଦସ୍ଥ ପୁଲିସ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହନ୍ତି ଯେ, ସରକାରୀ ସ୍ତରରେ ଆସନ୍ତା ୨୫ ତାରିଖରେ ସ୍ୱତନ୍ତ୍ର ନିଯୁକ୍ତିମେଳା ଜରିଆରେ ସାମୁହିକ ନିଯୁକ୍ତି ଦିଆଯାଇପାରେ।
ରିଜର୍ଭ ବାଟାଲିୟନ (ଆଇଆରବି) କନଷ୍ଟେବଳମାନଙ୍କୁ ଗତକାଲି ଅପରାହ୍ଣ ପ୍ରାୟ ୨ଟାରେ ଡାକରା ଆସିଥିଲା ଯେ, ଆଜି ରାତି ସୁଦ୍ଧା ନିଜନିଜ ବାଟାଲିଅନରେ ଶୀଘ୍ର ଯୋଗ ଦିଅନ୍ତୁ। ଫୋନ୍ ମାଧ୍ୟମରେ ଏହି ଆଦେଶ ପାଇବା ପରେ ପ୍ରାର୍ଥୀମାନେ ବ୍ୟସ୍ତ ହୋଇପଡ଼ିଥିଲେ। ଅନେକ ପ୍ରାର୍ଥୀ ଯିଏ ଯେଉଁଠି ଥିଲେ ହଠାତ୍ ବାହାରିଥିଲେ। ନିଜ ବାଟାଲିୟନ ଠାରୁ ବହୁ ଦୂରରେ ରହୁଥିବା ପ୍ରାର୍ଥୀମାନେ ତରବରିଆ ଭାବେ ଟ୍ରେନ୍ରେ ବାହାରି ଥିଲେ। କିଛି ପ୍ରାର୍ଥୀ ବସ୍ରେ ଆସିବାକୁ ଯୋଜନା କରିଥିଲେ। ଏହାରି ମଧ୍ୟରେ କିଛି ପ୍ରାର୍ଥୀ ନିଜନିଜ ବାଟାଲିୟନକୁ ପହଞ୍ଚି ସାରିଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ ସେମାନଙ୍କୁ ସୂଚନା ଦିଆଗଲା ଯେ, ଚାକିରିରେ ଏବେ ଯୋଗ ଦେଇପାରିବେ ନାହିଁ। ୨୦୨୫ ସେପ୍ଟେମ୍ବର ୨୫ରେ ଯୋଗଦେବା ପାଇଁ ସରକାରୀ ଚିଠି ହୋଇଛି। ଏହା ଶୁଣିବା ପରେ ପ୍ରାର୍ଥୀମାନେ ବିରକ୍ତି ପ୍ରକାଶ କରିଥିଲେ। ଏହି ଭଳି ବାରମ୍ବାର କାହିଁକି ହଇରାଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ।
ବୟସ ଯୋଗ୍ୟତା ଦୃଷ୍ଟିରୁ ଓଡିଶାରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) କନଷ୍ଟେବଳ ନିଯୁକ୍ତି ଉପରେ ଓଡ଼ିଶା ହାଇକୋର୍ଟ ଗତ ମାର୍ଚ୍ଚ ୧୩ ତାରିଖରେ ରୋକ ଲଗାଇଥିଲେ। ଯେଉଁ ଆବେଦନକାରୀମାନଙ୍କୁ ପୂର୍ବରୁ 'ବୟସ୍କ' ବୋଲି ବିବେଚନା କରାଯାଉଥିଲା, ସେମାନେ ଦାବି କରିଥିଲେ ଯେ, ସେମାନଙ୍କୁ ଅନ୍ୟାୟ ଭାବରେ ବିଚାରରୁ ବାଦ ଦିଆଯାଇଥିଲା। ସେହି ସମୟରେ ସରକାରୀ ସୂତ୍ର କହିଥିଲା ଯେ, ବୟସ ଯୋଗ୍ୟତା ସହିତ ଜଡିତ ଅଗ୍ରାଧିକାର ଅଭିଯୋଗ ପରେ ନିଯୁକ୍ତି ସ୍ଥଗିତ ରଖାଯାଇଛି। ହାଇକୋର୍ଟଙ୍କ ଏହି ରାୟ ଆସିବା ପାରେ ବାଦ୍ ପଡ଼ିଥିବା ପ୍ରାର୍ଥୀମାନେ ଗତ ମେ’ ମାସ ୧୯ ତାରିଖରେ ଶାରୀରିକ ପରୀକ୍ଷା ଦେଇଥିଲେ। ଶେଷରେ ସଂଶୋଧିତ ରେଜଲ୍ଟ ୨୦୨୫ ସେପ୍ଟେମ୍ବର ୧୫ ତାରିଖରେ ବାହାରିଥିଲା।
ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଦ୍ବାରା ପରିଚାଳିତ ଆଇଆରବି ଓ ଏଏସ୍ଏପିରେ ୨୦୮୦ କନଷ୍ଟେବଳ ପଦବିର ନିଯୁକ୍ତି ପାଇଁ ୨୦୨୪ ସେପ୍ଟେମ୍ବର ୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୬ଟି ବାଟାଲିଅନରେ ଏହି ନିଯୁକ୍ତି ପ୍ରକ୍ରିୟାର ଲିଖିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନେ ଗତବର୍ଷ ଡିସେମ୍ବର ୭ରୁ ଆରମ୍ଭ ହୋଇଥିଲା। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ଶାରୀରିକ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଶାରୀରିକ ପରୀକ୍ଷା ୨୦୨୫ ଫେବ୍ରୁଆରି ୧୬ରୁ ଆରମ୍ଭ ହୋଇଥିଲା। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୧୮୫୩ ପ୍ରାର୍ଥୀମାନଙ୍କର ରେଜଲ୍ଟ ୨୦୨୫ ମାର୍ଚ୍ଚ ୫ ତାରିଖରେ ଆସିଥିଲା। ଏଥିରେ କୁହାଯାଇଥିଲା ଯେ, ୨୦୨୫ ମାର୍ଚ୍ଚ ୧୭ରେ ଚାକିରିରେ ଯୋଗ ଦିଅନ୍ତୁ। କିନ୍ତୁ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୦୨୫ ମାର୍ଚ୍ଚ ୧୫ ତାରିଖରେ ପୁଣି କୁହାଗଲା ଯେ, ବର୍ତ୍ତମାନ ପରିସ୍ଥିତିରେ ନିଯୁକ୍ତି ସ୍ଥଗିତ ରହିବ। ନିଯୁକ୍ତି ନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ଅନ୍ୟପଟରେ ଯେଉଁ ଆବେଦନକାରୀମାନଙ୍କୁ ପୂର୍ବରୁ 'ବୟସ୍କ' ବୋଲି ବିବେଚନା କରାଯାଉଥିଲା, ସେମାନଙ୍କର ମଧ୍ୟରୁ ମେ’ ମାସ ୧୯ ତାରିଖରେ ଶାରୀରିକ ପରୀକ୍ଷା ଦେଇ ୪୧ ଜଣ କୃତକାର୍ଯ୍ୟ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ବିଜ୍ଞପ୍ତି ପୂର୍ବରୁ ଛଅ ବର୍ଷ ଧରି ଆଇଆରବି କନଷ୍ଟେବଳ ପଦବି ପାଇଁ ନିଯୁକ୍ତି ପ୍ରକାଶ କରାଯାଇ ନଥିଲା। ତେଣୁ ବୟସ କାରଣରୁ ଅନେକ ଚାକିରି ଆଶାୟୀ ପଦବି ପାଇଁ ଆବେଦନ କରିବାର ସୁଯୋଗ ପାଇ ନଥିଲେ। ସେମାନେ ଏହି ମାମଲାରେ ହାଇକୋର୍ଟର ହସ୍ତକ୍ଷେପ ଲୋଡ଼ିଥିଲେ ଏବଂ ସେମାନଙ୍କୁ ବୟସ-ଛାଡ୍ ଦେବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କୋର୍ଟଙ୍କୁ ଆବେଦନ କରିଥିଲେ।
ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦ ପୂରଣ ପାଇଁ ନିଯୁକ୍ତି ପାଇଁ ୨୦୨୩, ଅକ୍ଟୋବର ୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା କେତେକ ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ପାଇଁ ଡକା ଯାଇ ନଥିଲା। ଫଳରେ ବାଦ୍ ପଡ଼ିଥିବା ଆଶାୟୀ ପ୍ରାର୍ଥୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନ୍ୟପଟରେ ଶାରୀରିକ ପରୀକ୍ଷାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଅନ୍ଲାଇନ୍ କାଉନସିଲିଂରେ ଅଂଶ ଗ୍ରହଣ କରିଛନ୍ତି। ତେବେ ସେମାନଙ୍କୁ କେବେ ନିଯୁକ୍ତିପତ୍ର ମିଳିବ, ତାହା ଜାଣାପଡ଼ି ନାହିଁ।
କେବଳ ଏତିକି ନୁହେଁ, ନିଯୁକ୍ତି ନେଇ ଅନ୍ୟ ପରୀକ୍ଷାରେ ମଧ୍ୟ ବିଭ୍ରାଟ ଦେଖାଯାଇଛି। ବିଗତ ଦିନରେ ଓଡ଼ିଶା ଲୋକ ସେବା ଆୟୋଗ ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାର ଆନ୍ଥ୍ରୋପୋଲୋଜି ଓ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପରୀକ୍ଷାରେ ମଧ୍ୟ ତ୍ରୁଟି ଦେଖାଯାଇଥିଲା। ଆନ୍ଥ୍ରୋପୋଲୋଜିର ପ୍ରଥମ ପେପରରେ ଦ୍ବିତୀୟ ପେପରର ପ୍ରଶ୍ନ ଥିଲା। ସେହିପରି ସାମ୍ବାଦିକ ଓ ଗଣଯୋଗାଯୋଗ ପରୀକ୍ଷାରେ ୧୦୦ ନମ୍ବର ବଦଳରେ ୯୬ ନମ୍ବର ପାଇଁ ପ୍ରଶ୍ନପତ୍ର ଆସିଥିଲା।
CM Mohan Charan Majhi | government jobs