ବୈଶିଙ୍ଗା: ଗୋଟିଏ ପଟେ ଆବାସ ଘର ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ବାହାସ୍ପଟ ନେଉଥିବା ବେଳେ ଅନ୍ୟପଟେ ଆବସଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନକୁ ୮ବର୍ଷ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟାଦେଶ ପ୍ରଦାନ ସମୟରେ ପ୍ରଥମ କିସ୍ତି ଟଙ୍କା ଦିଆଯାଉନାହିଁ। ବ୍ଳକ କର୍ତ୍ତୃପକ୍ଷଙ୍କ ପାଇଁ ହିତାଧିକାରୀ ଘରନିର୍ମାଣ କରିନପାରି ଭଙ୍ଗାଘରେ ପଲିଥିନ ତଳେ ଦୁର୍ଦ୍ଦିନରେ ଦିନ ଅତିବାହିତ କରୁଛନ୍ତି। ଏଭଳି ଏକ ଆଶ୍ଚଯ୍ୟଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଳକ ଛାଞ୍ଚିପଦା ପଞ୍ଚାୟତ ଅଧୀନ କ୍ଷେତ୍ରପାଟଣା ଗ୍ରାମରେl 

Advertisment

ବୁଣାକାର ଭାବରେ ନିଜର ପରିବାର ପ୍ରତିପୋଷଣ କରୁଥିବା ଗ୍ରାମର କ୍ଷେତ୍ରମୋହନ ପାତ୍ରଙ୍କ ପୁଅ ଧୂଳୀଚରଣ ପାତ୍ର ଅଧାଭଙ୍ଗା ଘରେ ନିଜର ୪ପ୍ରାଣୀର ପରିବାରକୁ ନେଇ ଦୁର୍ଦ୍ଦିନରେ କାଳତିପାତ କରୁଥିବା ବେଳେ ବେତନଟୀ ବ୍ଲକ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସଗୃହ (ଗ୍ରାମୀଣ)ଯୋଜନାରେ ସରକାରୀ ଘର ଖଣ୍ଡିଏ ପାଇଁ ବେତନଟୀ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ଏକ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।

୨୦୧୬-୧୭ ଆର୍ଥିକବର୍ଷର ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନାରେ କାର୍ଯ୍ୟାଦେଶ ସଂଖ୍ୟା ୪୯୩୬ (୨୪)/୨୧/୧୨/୨୦୧୬ରିଖରେ ପ୍ରଦାନ କରାଯାଇଥିଲା ବ୍ଳକ କର୍ତ୍ତୃପକ୍ଷ ଆବସଗୃହ ପାଇବା ପାଇଁ ଯୋଗ୍ୟ ହିତାଧୂକାରୀ ଚୟନକରି କାର୍ଯ୍ୟାଦେଶ ପ୍ରଦାନ କରୁଥିବା ବେଳେ କାର୍ଯ୍ୟାଦେଶ ପ୍ରଦାନ ସମୟରେ ଘରନିର୍ମାଣ କରିବାକୁ ହିତାଧୂକାରୀଙ୍କ ଆକାଉଣ୍ଟକୁ ପ୍ରଥମକିସ୍ତି ୨୦ହଜାର ଟଙ୍କା ପ୍ରଦାନ କରିବାକଥାl ମାତ୍ର କାର୍ଯ୍ୟାଦେଶ ପ୍ରଦାନକୁ ଇତିମଧ୍ୟରେ ୮ବର୍ଷ ବିତିଯାଇଥିଲେ ସୁଦ୍ଧା ଧୂଳୀଚରଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଘରନିର୍ମାଣ ବାବଦକୁ କୈାଣସିଟଙ୍କା ବ୍ଳକ କର୍ତ୍ତୃପକ୍ଷ ପ୍ରଦାନ କରିନଥିଲେ।

ଲୁଗାବୁଣି ବିଭିନ୍ନ ସାପ୍ତାହିକ ହାଟ ଏବଂ ଗାଁଗହଳିରେ ବିକ୍ରି କରୁଥିବା ଧୂଳୀଚରଣ ବ୍ୟାଙ୍କ ଆକାଉଣ୍ଟକୁ ବ୍ଳକକାର୍ଯ୍ୟାଳୟ ପକ୍ଷରୁ ଘରନିର୍ମାଣ ଆରମ୍ଭ ପାଇଁ ପ୍ରଥମକିସ୍ତି ବାବଦକୁ ଆସିବାକୁ ଥିବା ୨୦ହଜାର ଟଙ୍କା ଦୀର୍ଘଦିନ ଧରି କ’ଣ ପାଇଁ ଲାଗିଲାନାହିଁ ବୋଲି ବୁଝିବାକୁ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକ କାର୍ଯ୍ୟାଳୟ ଚକ୍କର ମାରିମାରି ନିରାଶ ହେବାପରେ ଶେଷରେ ଆଶା ଛାଡିଦେଇ ସେଇ ଅଧାଭଙ୍ଗା ଘରେ ପୋଲିଥିନ ଟାଙ୍ଗି ଆଜି ପର୍ଯ୍ୟନ୍ତ ଦୁଇପୁଅ ଏବଂ ସ୍ତ୍ରୀ ସହିତ ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି।

ଗୋଟିଏପଟେ ରାଜ୍ୟରେ ଥିବା ଲକ୍ଷାଧିକ ଯୋଗ୍ୟ ହିତାଧିରୀଙ୍କୁ ଆବାସଗୃହ ପ୍ରଦାନ କରାଯିବ ବୋଲି ରାଜ୍ୟସରକାର ଘୋଷଣା କରୁଥିବା ବେଳେ ଅନ୍ୟପଟେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଦେବାରେ ବିଫଳ ବ୍ଳକ କର୍ତ୍ତୃପକ୍ଷଙ୍କ ପାଇଁ ଆବାସଗୃହ ନିର୍ମାଣ କରାଯାଇ ପାରୁନାହିଁ। ତେବେ ଏନେଇ ବେତନଟୀ ବିଡ଼ିଓ ଗୋପୀନାଥ ଖାଖାଙ୍କ କହିବା କଥା କି ଧୂଳିଚରଣଙ୍କ ଆବାସ ଯୋଜନା ନେଇ କୌଣସି ତଥ୍ୟ କମ୍ପୁଟର ଅନଲାଇନରେ ଦେଖାଯାଉନାହିଁ।