କଟକ: ସିବିଆଇ ଦ୍ବାରା ଗିରଫ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବରିଷ୍ଠ ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ୧ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ତାଙ୍କ ପାସପୋର୍ଟ ନିମ୍ନ ଅଦାଲତରେ ଦାଖଲ କରିବେ। ଅଦାଲତଙ୍କ ବିନା ଅନୁମତିରେ ଦେଶ ଛାଡ଼ି ବାହାରକୁ ଯିବେ ନାହିଁ।
ଜାମିନରେ ଯିବା ପରେ ନିମ୍ନ ଅଦାଲତ ଓ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ନିଜ ରହିବା ଠିକଣା, ମୋବାଇଲ ନମ୍ବର ସଂପର୍କିତ ତଥ୍ୟ ଦାଖଲ କରିବେ। ଏଥି ସହିତ ତଦନ୍ତରେ ସହଯୋଗ କରିବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ଜାମିନ ସର୍ତ୍ତ ଉଲ୍ଲଂଘନ ହୁଏ ତେବେ ନିମ୍ନ ଅଦାଲତ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ଜାମିନ ବାତିଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ରଘୁବଂଶୀଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ଏହି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଭକ୍ତି ବିନୋଦ ବେହେରାଙ୍କୁ ମଧ୍ୟ ସମାନ ସର୍ତ୍ତରେ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୨ରେ ହାଇକୋର୍ଟ ଶ୍ରୀ ରଘୁବଂଶୀଙ୍କୁ ୧୦ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ଏହି ଅବଧି ଶେଷ ହେବା ପରେ ନିମ୍ନ ଅଦାଲତରେ ସେ ଆତ୍ମ ସମର୍ପଣ କରିଥିଲେ। ଏହାପରେ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା।
ମାମଲାର ବିବରଣୀରୁ ପ୍ରକାଶ ଯେ ବେଆଇନ ଖଣି ମାମଲାକୁ ରଫାଦଫା କରିବା ପାଇଁ ଲାଞ୍ଚ ଗ୍ରହଣ ମାମଲାରେ ଭକ୍ତିବିନୋଦ ବେହେରାଙ୍କୁ ସିବିଆଇ ଗିରଫ କରିଥିଲା। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଭୁବନେଶ୍ବର ଇଡିର ତତ୍କାଳୀନ ଉପନିର୍ଦ୍ଦେଶକ ଶ୍ରୀ ରଘୁବଂଶୀଙ୍କୁ ମଧ୍ୟ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଶ୍ରୀ ରଘୁବଂଶୀ ଓ ଶ୍ରୀ ବେହେରା ହାଇକୋର୍ଟରେ ପୃଥକ ଜାମିନ ଆବେଦନ ଦାୟର କରିଥିଲେ।
Cuttack | cbi raid