ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନବ ଦାସଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ମିଳୁ ନଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥିବା ନବ ଦାସଙ୍କ ଇସିଜି ରିପୋର୍ଟ କୁଆଡ଼େ ଗଲା ତାହା ଜଣାପଡୁନାହିଁ। ନବ ଦାସଙ୍କ ଇସିଜି କାହିଁକି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା କୋର୍ଟରେ ଦାଖଲ କରାଯାଇନାହିଁ ଚର୍ଚ୍ଚା ହେଉଛି। କେବଳ ଆଉଟ ଡୋର ଟିକେଟ ଓ ଇଞ୍ଜୁରୀ ରିପୋର୍ଟ ଦାଖଲ ହୋଇଥିବା ବେଳେ ଜାଣିଶୁଣି ଇସିଜି ରିପୋର୍ଟକୁ ଗାୟବ କରାଯାଇଥିବା ସନ୍ଦେହ ହେଉଛି।
ପୂର୍ବରୁ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ନବ ଦାସଙ୍କ ଚିକିତ୍ସା ସମ୍ପର୍କିତ ରିପୋର୍ଟ ସହ ଇଞ୍ଜୁରୀ ରିପୋର୍ଟ ଦେବାକୁ ଝାରସୁଗୁଡା ସିଡ଼ିଏମଓକୁ ଚିଠି କରାଯାଇଥିଲା। ଅନ୍ୟପଟରେ ଇସିଜି ରିପୋର୍ଟ ଗାଏବ ଅଭିଯୋଗ ନେଇ ତଦନ୍ତକାରୀ ସଂସ୍ଥାର ପ୍ରତିକ୍ରିୟା ମିଳି ନାହିଁ।
ଘଟଣାକ୍ରମ
- ୨୦୨୩ ଜାନୁଆରି ୨୯: ବ୍ରଜରାଜନଗର ଗାନ୍ଧୀ ଛକରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା
- ୨୦୨୩ ଜାନୁଆରି ୩୦: ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ
- ୨୦୨୩ ଜାନୁଆରି ୩୧: ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଲା କ୍ରାଇମ୍ବ୍ରାଞ୍ଚ
- ୨୦୨୩ ଫେବ୍ରୁଆରି ୧: ଅଧ ରାତିରେ ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ୨୨ ଟୁକୁଡ଼ା ହାତଲେଖା ଚିଠି ଜବତ
- ୨୦୨୩ ଫେବ୍ରୁଆରି ୩: ସିଏଫ୍ଏସ୍ଏଲ୍ ନୂଆଦିଲ୍ଲୀର ଏକ ଟିମ୍ ଝାରସୁଗୁଡ଼ା ଆସି ଗୋପାଳର ସ୍ଥିତି ଯାଞ୍ଚ କଲେ
- ୨୦୨୩ ଫେବ୍ରୁଆରି ୪: ଗୋପାଳକୁ ପୁଣି ୪ ଦିନର ରିମାଣ୍ଡରେ ନେଲା କ୍ରାଇମ୍ବ୍ରାଞ୍ଚ
- ୨୦୨୩ ଫେବ୍ରୁଆରି ୫: ଡିଏମ୍ଇଟିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଆସି ଗୋପାଳର ସ୍ଥିତି ଯାଞ୍ଚ କଲେ
- ୨୦୨୩ ଫେବ୍ରୁଆରି ୮: ପୁଣି ୫ ଦିନର ରିମାଣ୍ଡ ଆବେଦନ ମଞ୍ଜୁରି
- ୨୦୨୩ ଫେବ୍ରୁଆରି ୧୧: ଗୁଜରାଟର ଗାନ୍ଧୀନଗରରେ ଗୋପାଳର ନାର୍କୋ ଟେଷ୍ଟ
- ୨୦୨୩ ଫେବ୍ରୁଆରି ୧୪: ଝାରସୁଗୁଡ଼ା ସବ୍ଜେଲ୍ରୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର ହେଲା ଗୋପାଳ
- ୨୦୨୩ ଫେବ୍ରୁଆରି ୨୦: ନିମ୍ହାନ୍ସରେ ମାନସିକ ସ୍ଥିତି ଯାଞ୍ଚ ପାଇଁ ଜେଏମ୍ଏଫ୍ସିଙ୍କ ନିକଟରେ ଆବେଦନ ଓ ଖାରଜ
- ୨୦୨୩ ଫେବ୍ରୁଆରି ୨୨: ଜିଲ୍ଲା ଦୌରା ଜଜ୍ଙ୍କ ନିକଟରେ ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁନଃ ଆବେଦନ
- ୨୦୨୩ ଫେବ୍ରୁଆରି ୨୭: ଜିଲ୍ଲା ଦୌରା ଜଜ୍ ଆବେଦନ ଗ୍ରହଣ କଲେ
- ୨୦୨୩ ମାର୍ଚ୍ଚ ୩: ଆବେଦନକୁ ଖାରଜ କଲେ ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟ
- ୨୦୨୩ ଏପ୍ରିଲ ୨୫: କ୍ରାଇମ୍ବ୍ରାଞ୍ଚ ଆବେଦନକୁ ଖାରଜ କଲା ନିମ୍ହାନ୍ସ
- ୨୦୨୩ ମେ ୨୬: କୋର୍ଟରେ କ୍ରାଇମ୍ବ୍ରାଞ୍ଚ ଦାଖଲ କଲା ଚାର୍ଜସିଟ୍