ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଆଜି  ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତଙ୍କ ପ୍ରାର୍ଥିପତ୍ର କାୟମ ରହିଥିବା ହେତୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାପରେ ସେ କହିଛନ୍ତି, ଦଳର ନିର୍ଦ୍ଦେଶରେ ପ୍ରାର୍ଥିପତ୍ର ନାମାଙ୍କନ ଓ ପ୍ରତ୍ୟାହାର କରିଛନ୍ତି। ସେ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ବୋଲି ବି କହିଛନ୍ତି ଜଗନ୍ନାଥ ପ୍ରଧାନ।

Advertisment

 ସୂଚନାଯୋଗ୍ୟ, ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଦାଖଲ କରିବା ପରେ କାଳେ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବ, ଏଭଳି ଆଶଙ୍କା କରି ଜଗନ୍ନାଥଙ୍କୁ ଡମି ପ୍ରାର୍ଥୀ କରିଥିଲା ଦଳ। ତେବେ ମମତାଙ୍କ ପ୍ରାର୍ଥିତ୍ବ ଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥିଲା ବିଜେପିର ଆଉ ଜଣେ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥିପତ୍ର ଦାଖଲ। ସେ ବିଜେପି ବିଧାୟକଙ୍କ ଗହଣରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କୁ ଡମି ପ୍ରାର୍ଥୀ କରାଯାଇଛି ନା ଏହା ପଛରେ ଆଉ କିଛି ରହସ୍ୟ ଅଛି, ତାହାକୁ ନେଇ ଆଲୋଚନା ଜୋର୍ ଧରିଥିଲା।

ଏଣେ ମମତା ମହାନ୍ତ ବିଧାନସଭାକୁ ଯାଇ ସେଠାରେ ଦଳୀୟ ନେତାଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ମମତା କହିଥିଲେ, ବିଜେପି ଶୀର୍ଷ ନେତୃତ୍ବ ମୋତେ ଆଶୀର୍ବାଦ କରିଛନ୍ତି। ରାଜ୍ୟ, ମୋ ସମାଜ ଓ ମୋ ଜିଲ୍ଲା ପାଇଁ ବିକାଶର ସ୍ବର ରାଜ୍ୟସଭାରେ ଉଠାଇ ସମାଧାନ କରିବାକୁ ଚେଷ୍ଟା କରିବି। ଆସନ୍ତା ଦୁଇ ବର୍ଷ ପାଇଁ ରାଜ୍ୟସଭାରେ ଓଡ଼ିଶାର ସ୍ବର ହୋଇ କାମ କରିବି।

ଏହାର କିଛି ସମୟ ପରେ ଭୁବନେଶ୍ବରର ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଧାନସଭା ପରିସରରେ ପହଞ୍ଚିଥିଲେ। ସାଙ୍ଗରେ ବିଜେପିର କିଛି ବିଧାୟକଙ୍କୁ ନେଇ ରିଟର୍ଣ୍ଣିଂ ଅଫିସରଙ୍କ ପ୍ରକୋଷ୍ଠକୁ ଗଲେ। ତତ୍କ୍ଷଣାତ୍କେହି କିଛି ବୁଝିପାରି ନଥିଲେ। ପରେ ଜଣାପଡ଼ିଲା ଯେ ଜଗନ୍ନାଥ ସ୍ବାଧୀନ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାହାରକୁ ଆସିଲା ପରେ ଜଗନ୍ନାଥ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖି ନଥିଲେ। ବିଧାୟକ ଅଗସ୍ତି ବେହେରା ଜଗନ୍ନାଥଙ୍କ ପ୍ରଥମ ପ୍ରସ୍ତାବକ ପଡ଼ିଥିଲା ବେଳେ ଦୁର୍ଗା ପ୍ରସନ୍ନ ନାୟକ, ଦୁଷ୍ମନ୍ତ ସ୍ବାଇଁ, ମନୋରଞ୍ଜନ ଦ୍ୟାନସାମନ୍ତରାୟ ଓ ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଥିଲେ।