କୋରାପୁଟ: କୋରାପୁଟ ଜିଲ୍ଲାର ନନ୍ଦପୁର, ଲମତାପୁଟ, ସେମିଳିଗୁଡା, ବୋରିଗୁମ୍ମା, ଜୟପୁର ବ୍ଲକର କିଛି ଅଞ୍ଚଳରେ ଅତି ସୁନ୍ଦର ସୁନ୍ଦର ପଥର ଖୋଦିତ ମୂର୍ତ୍ତି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳୁଛି। ସେମଧ୍ୟରୁ କିଛି ଦେବାଦେବୀ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ଖୋଲାମେଲାରେ ପୂଜା ପାଉଥିବା ବେଳେ କିଛି ଅବ୍ୟବସ୍ଥିତ ଭାବେ ପଡ଼ି ରହିଛି। ଇତିହାସ ଓ ଐତିହାସିକ କିମ୍ବଦନ୍ତୀ ଉପରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ ଏହି ସବୁ ପଥର ମୂର୍ତ୍ତିଗୁଡ଼ିକୁ ବିରଳ ଓ ମୂଲ୍ୟବାନ ଜୈନ କୀର୍ତିରାଜି କହୁଥିୀବାବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ କିଛି ବ୍ୟବସ୍ଥା ନଥିବା ତଥା ପ୍ରତ୍ନତତ୍ତ୍ୱ ବିଭାଗର ନଜର ଆଢୁଆଳରେ ରହିଥିବା କହୁଛନ୍ତି ଗବେଷକ।
ଏହି ମୂଲ୍ୟବାନ ପଥର ଖୋଦେଇ ମୂର୍ତ୍ତି ଗୁଡ଼ିକର ସୁରକ୍ଷା ସହ ଗବେଷଣା କରାଗଲେ କୋରାପୁଟ ଜିଲ୍ଲାରେ ଜୈନ ଧର୍ମାବଲମ୍ବୀଙ୍କ ଇତିହାସ ସମ୍ପର୍କରେ ତଥ୍ୟ ଉଜାଗର ହୁଅନ୍ତା ବୋଲି ମତପ୍ରକାଶ କରିଛନ୍ତି । ସୂଚନା ମୁତାବକ, ନନ୍ଦପୁର ବ୍ଲକ ସଦରମହକୁମାରେ ଥିଥବା ସର୍ବେଶ୍ୱର ମନ୍ଦିର, ଭିତରଗଡ଼, ହିକିମପୁଟ, ନନ୍ଦକା ପଞ୍ଚାୟତର ଦୋରାଗୁଡ଼ା, ଖେମୁଣ୍ଡଗୁଡ଼ା ପଞ୍ଚାଯତ ସୀମା ଭୈରବଗୁଡ଼ା, ଲମତାପୁଟ ବ୍ଲକର ଉମ୍ଭେଲ, ତେନ୍ତୁଳିପଡ଼ା, ଦେବଗନ୍ଧନା, ବନମାଳିପୁଟ, ପାଲିବା, କେଚଲା, କୁମାରଗନ୍ଧନା, ଦେବତାହଞ୍ଜର ଓ ସୁବାଇ ଗ୍ରାମରେ ଥିବା ଶୈବପୀଠ, ଜୟପୁର ବ୍ଲକର ଜାମୁଣ୍ଡା, ବୋରିଗୁମ୍ମା ବ୍ଲକର ବୋରିଗୁମ୍ମା ଭୈରବ ଓ ବିସିଂପୁରରେ ଥିବା ମା’ଭଣ୍ଡାରଘରଣୀ ମନ୍ଦିରରେ ବହୁତ ପୁରୁଣା କାଳର ଐତିହ୍ୟସମ୍ପନ୍ନ ବିଭିନ୍ନ ଦେବଦେବୀଙ୍କ ପଥର ଖୋଦେଇ ପ୍ରତିମୂର୍ତ୍ତି ରହିଛି। ସେମଧ୍ୟରୁ ଅଧିକାଂଶ ପ୍ରତିମୂର୍ତ୍ତିକୁ ସ୍ଥାନୀୟ ଗ୍ରାମବାସୀ ନିଜ ଗ୍ରାମଦେବୀ ଭାବେ ପୂଜା କରନ୍ତି । କିନ୍ତୁ କିଛି ପ୍ରତିମୂର୍ତ୍ତି ପରିତ୍ୟକ୍ତ ଅବସ୍ଥାରେ ରହି ନିଜର ଐତିହ୍ୟ ଖୋଜୁଛନ୍ତି।
/sambad/media/media_files/H3xDLgF7ptbxmu3gs1Qa.jpg)
ଗ୍ରାମଦେବୀ ଓ ଦେବତାର ଆଖ୍ୟା ପାଇଥିଲେ ସୁଦ୍ଧା ସୁବାଇ ଓ ବନମାଳୀପୁଟ ଗ୍ରାମରେ ଥିବା ପ୍ରତିମୂର୍ତ୍ତିକୁ ଛାଡ଼ିଦେଲେ ଆଉ କୌଣସି ପ୍ରତିମୂର୍ତ୍ତିଙ୍କ ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା ଆଜି ଯାଏଁ କରାଯାଇ ନାହିଁ। ଗଛମୂଳେ ଓ ପରିତ୍ୟକ୍ତ ସ୍ଥାନରେ ରହି ଗ୍ରାମବାସୀଙ୍କ ପର୍ବପର୍ବାଣୀ ସମୟେ ଦିସାରି କିମ୍ବା କିଛି ସ୍ଥାନରେ ପୂଜକଙ୍କ ଦ୍ବାରା ପୂଜା ପାଉଛନ୍ତି । କିଛି ମୂ୍ର୍ତ୍ତି ଉଦ୍ଧାର କରି ଅଣାଯାଇ ଜୟପୁର ଜିଲ୍ଲାସଂଗ୍ରହଳାୟରେ ରଖାଯାଇଛି। ତେବେ ଏଠାରେ ବି ଅସୁରକ୍ଷିତ ଅବସ୍ଥାରେ ରହିଛି। ସମସ୍ତ ବିରଳ ମୂର୍ତ୍ତିଗୁଡ଼ିକର ସୁରକ୍ଷା ନିମିତ୍ତ କିଛିଦିନ ତଳେ ନନ୍ଦପୁର ଅଞ୍ଚଳର କିଛି ବୁଦ୍ଧିଜୀବୀ ତତ୍କାଳୀନ ପଟାଙ୍ଗି ବିଧାୟକ ପିତମ ପାଢୀଙ୍କ ସହ ମିଶି ତତ୍କାଳୀନ ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମପ୍ରକାଶ ଯାଦବଙ୍କୁ ଭେଟି ଅନୁରୋଧପତ୍ର ପ୍ରଦାନ କରି ସୁରକ୍ଷା ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଖବର ପଢ଼ନ୍ତୁ: ରକ୍ତସିକୁଳି କବଳରେ କୋରାପୁଟର ୧୧୦୦ରୁ ଊର୍ଦ୍ଧ୍ବ ପିଲା
ଶ୍ରୀ ଯାଦବ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ଵାରା ପ୍ରତିମୂର୍ତ୍ତିଗୁଡ଼ିକର ସୁରକ୍ଷା ନିମିତ୍ତ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଘଟଣାର ବର୍ଷାଧିକ କାଳ ପରେ ବି ବିଭାଗ ତରଫରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ପ୍ରତ୍ନତତ୍ତ୍ୱ ବିଭାଗ ଓ ଦେବୋତ୍ତର ବିଭାଗ ଏଭଳି ପରିତ୍ୟକ୍ତ ଅବସ୍ଥାରେ ଥିବା ଐତିହ୍ୟ କୀର୍ତିରାଜି ଗୁଡ଼ିକର ଅଧିକ ଗବେଷଣା ଓ ସୁରକ୍ଷିତ ରଖିବାକୁ ବ୍ୟବସ୍ଥା କରନ୍ତୁ ବୋଲି ବୁଦ୍ଧିଜୀବୀ ଓ ଗବେଷକ ମାନେ ଅନୁରୋଧ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/wsSIfl7a2Hr6bjbwJGy4.jpg)