ଝରିଗାଁ: ନବରଙ୍ଗପୁର ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ୨୯ଜଣ ଡାକ୍ତରଙ୍କ ବଦଳରେ ମାତ୍ର ୨ଜଣ ଏମବିବିଏସ୍ ଡାକ୍ତର ନିଯୁକ୍ତ ହୋଇଥିବାରୁ ଅଞ୍ଚଳର ରୋଗୀ ଚିକିତ୍ସା ପାଇଁ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ଗର୍ଭବତୀ ଏବଂ ଶିଶୁମାନେ ଠିକ୍ ସମୟରେ ସ୍ଵାସ୍ଥ୍ୟସେବା ନପାଇ ହଇରାଣ ହେଉଛନ୍ତି। ଏଭଳି ସ୍ଥିତିରେ ଗତ ଆଠ ମାସ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ଦନ୍ତ ଚିକିତ୍ସକଙ୍କୁ ନବରଙ୍ଗପୁର ଡେପୁଟେସନରେ ପଠାଯିବା ପରେ ଆଉ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣାଯାଉନାହିଁ।ଫଳରେ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଝରିଗାଁ ବ୍ଲକର ପ୍ରାୟ ୧ ଲକ୍ଷ ୮୦ ହାଜରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରୁଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ସୁପରିଟେଣ୍ଡେଣ୍ଟଙ୍କ ସହ ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ, ଭେଷଜ, ଶଲ୍ୟ ବିଶେଷଜ୍ଞ ଡାକ୍ତର, ୧୫ ଜଣ ଏମବିବିଏସ୍ ଡାକ୍ତରଙ୍କ ସହ ମୋଟ ୨୯ଜଣ ଡାକ୍ତର ନିଯୁକ୍ତ ହେବାର କଥା। କିନ୍ତୁ ବର୍ତ୍ତମାନ ମାତ୍ର ୪ଜଣ ଏମବିବିଏସ ଡାକ୍ତରଙ୍କ ଭରସାରେ ରୋଗୀ ସେବା ଚାଲିଛି। ଅନ୍ୟପଟେ ଫୁପୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଦାୟିତ୍ୱ ଦିଆଯାଇଛି। ଏତେ ସଂଖ୍ୟକ ରୋଗୀଙ୍କୁ ଚାରି ଜଣ ଡାକ୍ତର ଚିକିତ୍ସା କରିବା ସମୟରେ ସମସ୍ୟା ଦେଖା ଦେଉଛି।
ପୂର୍ବରୁ ୬ଜଣ ଡାକ୍ତର ନିଯୁକ୍ତ ହୋଇଥିଲେ। କିନ୍ତୁ ପ୍ରଶାସନ ତରଫରୁ ଜଣେ ଡାକ୍ତରଙ୍କୁ ନବରଙ୍ଗପୁରକୁ ଡେପୁଟେସନରେ ପଠାଯାଇଥିବା ବେଳେ ଏକ ବର୍ଷ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ଭେଷଜ ଡାକ୍ତର ସେହି ଦିନଠାରୁ ଛୁଟିରେ ରହିଛନ୍ତି।ଚଳିତ ବର୍ଷ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାରେ ୭୩ ଜଣ ଡାକ୍ତରଙ୍କୁ ନିଯୁକ୍ତ କରିଥିଲେ। ସେହି ସମୟରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମାତ୍ର ଦୁଇ ଜଣ ଏମବିବିଏସ୍ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। ମୋଟ ୪ ଜଣ ଡାକ୍ତର ବର୍ତ୍ତମାନ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସେହିପରି ଜଣେ ବି ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇ ନଥିବାରୁ ଗର୍ଭବତୀ ଓ ଶିଶୁଙ୍କ ସମେତ ଗୁରୁତର ରୋଗୀଙ୍କୁ ନବରଙ୍ଗପୁର ନଚେତ୍ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଛି। ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର ସମୟରେ ରାସ୍ତାରେ ରୋଗୀଙ୍କ ମୃତ୍ୟୁ ଘଟୁଥିବା ମଧ୍ୟ ନଜିର ରହିଛି। ଏଥି ସହ ଚଳିତ ବର୍ଷ ବ୍ଲକରେ କିଛି ଗର୍ଭବତୀ ଓ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଗର୍ଭବତୀ ଓ ଶିଶୁମାନଙ୍କୁ ତ୍ବରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅନ୍ତତଃ ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସହିତ ଭେଷଜ ଡାକ୍ତର ନିଯୁକ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମାସକୁ ୧୫୦ରୁ ୧୮୦ ଜଣ ଗର୍ଭବତୀ ମହିଳା ପ୍ରସୂତି ପାଇଁ ଆସୁଥିବା ବେଳେ ପ୍ରାୟ ୫ ଶହ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ ପରକ୍ଷା କରିବା ପାଇଁ ଆସୁଛନ୍ତି।
ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟା ଲାଗି ରହିଥିବା ବେଳେ ଗତ ମାର୍ଚ୍ଚ ମାସରେ କାର୍ଯ୍ୟରେ ଯୋଗ ଦେଇଥିବା ଦନ୍ତ ଚିକିତ୍ସକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ନବରଙ୍ଗପୁରକୁ ଡେପୁଟେସନରେ ପଠାଯାଇଛି। ଏହାକୁ ନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଡେପୁଟେସନ ରଦ୍ଦ କରିବାକୁ ଦାବି କରିଛନ୍ତି।
ସେହିପରି ବ୍ଳକର ଫୁପୁଗାଁ,ପାଲିଆ,ବଡନୀ ଏବଂ ମୁଣ୍ଡାପଦର ଚାରିଟି ଉପ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଅନେତ୍ର ବଦଳି ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୀର୍ଘ ବର୍ଷ ହେବ ନୂତନ ମହିଳା ସ୍ଵାସ୍ଥ୍ୟ କର୍ମୀମାନଙ୍କୁ ନିଯୁକ୍ତି କରାଯାଇନାହିଁ। ଚିକିଲି ଉପସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ କିଛି ଦିନ ତଳେ ଦେହାନ୍ତ ହେବା ପରେ ସେଠାରେ ମଧ୍ୟ ମହିଳା ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି ହୋଇ ନଥିବା ଯୋଗୁଁ ଖାଲି ପଡ଼ିଛି। ଖାଲି ପଡ଼ିଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରୁ ଜନ୍ମ ଓ ମୃତ୍ୟୁ ରିପୋର୍ଟ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିପାରୁନାହିଁ।ଫଳରେ ଲୋକମାନେ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ସମସ୍ୟାର ସମ୍ମୁଖିନ ହେବା ପାଇଁ ପଡୁଛି। ସେହିପରି ଗର୍ଭବତୀ ମହିଳାମାନଙ୍କ ପଞ୍ଜୀକରଣ, ଟୀକାକରଣ, ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ସମସ୍ୟା ଦେଖାଦେଇଛି। ଛୋଟଛୋଟ ଶିଶୁମାନଙ୍କ ଟୀକାକରଣ ବେଳେ ମଧ୍ୟ ସମସ୍ୟା ଦେଖାଦେଇଛି। ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ପାଇଁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/20/HqkXoSBeztFsZVkwmFlk.jpeg)