ଜଳେଶ୍ବର: ସୁବର୍ଣ୍ଣରେଖା ନଦୀକୁ ପଡ଼ୋଶୀ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ ଜଳ ନିଷ୍ପାସନ କରିଛି। ଏହି ବ୍ୟାରେଜ୍‌ରୁ ୨୨୦୦ କ୍ୟୁସେକ ବନ୍ୟା ପାଣି ନିଷ୍କାସିତ ହେଉଛି। ସୁବର୍ଣ୍ଣରେଖାରେ ବନ୍ୟାଜଳ ଛାଡ଼ିବା ଦ୍ବାରା ତଳିଆ ଅଞ୍ଚଳରେ ପୁଣି ବନ୍ୟା ଆଶଙ୍କା ଦେଖାଯାଇଛି। ନଦୀର ଉପର ଅବବାହିକାରେ ପ୍ରବଳ ବର୍ଷା ବିତ୍ପାତ ଜାରି ରହିଛି। ଫଳରେ ଗାଲୁଡିହି ବ୍ୟାରେଜର ଜଳପତ୍ତନ କ୍ରମାଗତ ବୃଦ୍ଧି ପାଇଛି।

Advertisment

ଆଜି ପୂର୍ବାହ୍ନ ୧୦ଟାରେ ନଦୀକୁ ବନ୍ୟା ଜଳ ଛଡ଼ା ଯାଇଥିବା ସୂଚନା ମିଳିଛି। ଗାଲୁଡ଼ିହି ବ୍ୟାରେଜରେ ଜଳଧାରଣ କ୍ଷମତା ୯୪.୫ ମିଟର ହୋଇଥିବା ବେଳେ ଏହା ଠାରୁ ଯଥେଷ୍ଟ ଉପରେ ଅର୍ଥାତ୍ ୧୦୧.୨୫ ମିଟର ଜଳ ପତ୍ତନ ରହିଛି। ଲଗାଣ ବର୍ଷା ଯୋଗୁଁ ନଦୀର ନିମ୍ନ ଅବବାହିକା ଅଞ୍ଚଳରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ସୁବର୍ଣ୍ଣରେଖାରେ ପୁଣି ବନ୍ୟା ଆଶଙ୍କା ଲୋକଙ୍କ ନିଦ ହଜାଇ ଦେଇଛି।

ସୂଚନା‌ଯୋଗ୍ୟ, ଗତ ସପ୍ତାହରେ ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଓ ବସ୍ତା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଜଳେଶ୍ବର ବ୍ଲକ ଅଧିନସ୍ଥ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତ ବାଘମାରି ଗ୍ରାମର ହରେକୃଷ୍ଣ ଦାସ।ହରେକୃଷ୍ଣ ଗତ ଜୁଲାଇ ମାସରେ ଏକତାଳି ଗାଁ ସ୍ଥିତ ବହଙ୍ଗା ପାଳ ବିଲରେ ଦେଡ ମାଣ ଜମିରେ କାକୁଡି, ଜହ୍ନି ତଥା ଅନ୍ୟ ପନିପରିବା ଚାଷ କରିଥିଲେ। ନିଜର ମଜୁରୀକୁ ଛାଡି ଦେଲେ ହରେକୃଷ୍ଣ ଚାଷରେ ପାଖାପାଖି ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ହରେକୃଷ୍ଣଙ୍କ ବୁଢ଼ୀ ମା ସହ ୫ ଜଣିଆ ପରିବାର ପ୍ରତିପୋଷଣର ଏକମାତ୍ର ପନ୍ଥା ଥିଲା ପନିପରିବା ଚାଷ।ହରେକୃଷ୍ଣଙ୍କ ବାଡ଼ିରେ କାକୁଡି ଓ ଜହ୍ନି ଗଛରେ ଫୁଲ କଢି ପଡ଼ିବା ପରେ ଏବେ ଏବେ ଫଳ ବାହାରିବା ଆରମ୍ଭ କରିଥିଲା। ଆଉ ଦିନ କେଇଟା ପରେ ହରେକୃଷ୍ଣଙ୍କ ବାଡିରୁ ଉତ୍ପନ୍ନ ହେବାକୁ ଥିବା ଜହ୍ନି ଓ କାକୁଡ଼ିକୁ ସେ ବଜାରରେ ବିକ୍ରି କରି ଭଲ ଟଙ୍କା ଲାଭ ପାଇଥାନ୍ତେ। ହେଲେ ସୁବର୍ଣ୍ଣରେଖାର ପ୍ରଳୟଙ୍କରୀ ବନ୍ୟା ତାଙ୍କ ବାଡ଼ିରେ ସବୁ ଫସଲକୁ ଧୋଇ ନେଇଥିଲା।

ବିଗତ ଦିନରେ ଦେଖାଯାଇଥିବା ବନ୍ୟା ଯୋଗୁଁ ଅନ୍ୟମାନେ ମଧ୍ୟ ପ୍ରଭାବିତ ହୋଇଥିଲେ। ବନ୍ୟାର ପ୍ରକୋପ କମି ନଥିବା ବେଳେ ଏବେ ପୁଣି ସୁବର୍ଣ୍ଣରେଖା ଫୁଲୁଛି। ପୁଣି ଥରେ ବନ୍ୟା ଆଶଙ୍କା ଦେଖାଯାଇଛି।