ଭୁବନେଶ୍ବର: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୈତ୍ରଙ୍କ ଟୁଇଟ୍‌ ଉପରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି, ଭାରତ ଏକ ଧର୍ମଶାଳା ନୁହେଁ ଯେ, ଯିଏ ଯେମିତି ଆସିବେ ରହିବେ। ବେଆଇନ ଭାବେ ରହୁଥିବା ଲୋକଙ୍କ ଉପରେ ଅଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମହୁଆ ଯେଉଁ ଦଳ ନାମ ନେଇ ଏ କଥା କହିଛନ୍ତି ସେ ଦଳ ପ୍ରଥମେ ତାଙ୍କର ଷ୍ଟାଣ୍ଡ ସ୍ପଷ୍ଟ କରନ୍ତୁ।

Advertisment

ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି, ସେ ରାଜ୍ୟବାସୀଙ୍କ ସହ ଅଛନ୍ତି ନା ବେଆଇନରେ ବସବାସ କରୁଥିବା ବିଦେଶୀଙ୍କ ସହ ଅଛନ୍ତି। ସେଥିପାଇଁ ମହୁଆ ବିଜୁ ଜନତା ଦଳର ନାମ ନେଇ ବାଂଲାଦେଶୀଙ୍କୁ ସମର୍ଥନ କରିଛନ୍ତି। ଯାହା ବିଜୁ ଜନତା ଦଳ କହି ପାରୁନି ତାଙ୍କର ନୂଆ ନୂଆ ବୋହୂଙ୍କ ମୁହଁରେ କୁହାଉଛି। ସେ ଦଳ ଏହାର ସ୍ପଷ୍ଟୀକରଣ ଦେଉ। ଯେଉଁମାନଙ୍କୁ ଅଟକ ରଖାଯାଇଛି ତାଙ୍କର କାଗଜ ପତ୍ର ଯାଞ୍ଚ କରାଯାଉଛି, ଯାହା ପାଖରେ ବୈଧ କାଗଜପତ୍ର ଅଛି ତାଙ୍କୁ ଛଡ଼ା ଯାଉଛି। ଏକଥା ବୋଧ ହୁଏ ମହୁଆ ନିଜେ ଜାଣିନାହାନ୍ତି। ଆଗକୁ ଆହୁରି ବାଂଲାଦେଶୀଙ୍କୁ ଧରାଯିବ ବୋଲି କହିଛନ୍ତି। 

ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ୪୨୧ ଜଣ ଶ୍ରମିକଙ୍କୁ ଅଟକ ରଖାଯିବାକୁ ନେଇ  ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି, ଏହି ଶ୍ରମିକମାନଙ୍କ ମଧ୍ୟରୁ ୨୩ ଜଣ ତାଙ୍କ ନିର୍ବାଚନ ମଣ୍ଡଳୀ କୃଷ୍ଣନଗରର ମିର୍ଜାପୁର ଗାଁର ବାସିନ୍ଦା। ଯେଉଁମାନେ ଆଧାରକାର୍ଡ ଭଳି ବୈଧ ପ୍ରମାଣପତ୍ର ରଖିଥିଲେ ମଧ୍ୟ ଓରିଏଣ୍ଟ ଥାନା ପୁଲିସ ଷ୍ଟେସନରେ ବେଆଇନ ଭାବେ ଅଟକ ରଖାଯାଇଛି।

ମହୁଆ ତାଙ୍କ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଅପିଲ କରି ଏହି ଶ୍ରମିକମାନଙ୍କୁ ତୁରନ୍ତ ମୁକ୍ତ କରାଯିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଭାବିବା ଉଚିତ ନୁହେଁ ଯେ ଏହି ଶ୍ରମିକମାନଙ୍କ ପାଇଁ ଲଢ଼ିବାକୁ କେହି ନାହାନ୍ତି। ବିଜେପି ସରକାର ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଏଭଳି ଘଟଣା ନିତିଦିନିଆ ହେଉଛି, ଯାହା ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନକାଳରେ କେବେ ଘଟିନଥିଲା। ଓଡ଼ିଶାର ପର୍ଯ୍ୟଟନ ରାଜସ୍ବର ୫୦ ପ୍ରତିଶତ ପଶ୍ଚିମବଙ୍ଗରୁ ଆସୁଛି। ଯଦି ଆପଣ ଆମ ଶ୍ରମିକମାନଙ୍କୁ ଅଟକାଇବେ, ତେବେ ଆମ ପର୍ଯ୍ୟଟକମାନେ ଓଡ଼ିଶା ଆସିବା ବନ୍ଦ କରିଦେବେ। ଓଡ଼ିଶା ସରକାରଙ୍କୁ ଏହି ମାମଲାକୁ ଗୁରୁତର ସହ ନେଇ ଅଟକ ଶ୍ରମିକମାନଙ୍କୁ ତୁରନ୍ତ ମୁକ୍ତ କରନ୍ତୁ।

Tankadhar Tripathi | Jharsuguda | BJP | politics