ରାଇରଙ୍ଗପୁର: ପୁଲିସ ମାଡ଼ରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବ୍ଲକ କଣ୍ଟାବଣୀ ଗ୍ରାମରେ ରୁଙ୍ଗଟା ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡକୋ ଜମି ଅଧିଗ୍ରହଣ ପାଇଁ ଚାଲିଥିବା ସତନ୍ତ୍ର ପଲ୍ଲୀସଭାରେ ଖବର ସଂଗ୍ରହ ପାଇଁ ଜଣେ ସାମ୍ବାଦିକ ଯାଇଥିବା ସମୟରେ ପୁଲିସ ମାଡ଼ରେ ଗୁରୁତର ହୋଇଛନ୍ତି। ପଲ୍ଲୀସଭା ଚାଲିଥିବାବେଳେ ଗ୍ରାମବାସୀଙ୍କ ସପକ୍ଷ ଓ ବିପକ୍ଷବାଦୀଙ୍କ ମତାମତକୁ ନେଇ ପ୍ରଶାସନ ଅନିୟମିତତା କରୁଥିବା ଅଭିଯୋଗ କରି ଫଳାଫଳକୁ ବିରୋଧ କରିଥିଲେ ଗ୍ରାମବାସୀ। ଏଥିପାଇଁ ପୁଲିସ, ବ୍ଳକ୍ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ ହେବା ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। 

Advertisment

ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ବୈଦୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ମଧ୍ଯ ପୁଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ମାଡ଼ରେ ଗୁରୁତର ଆହତ ହୋଇ ଲହୁଲୁହାଣ ହୋଇପଡ଼ିଥିଲେ ସାମ୍ବାଦିକ। ଆହତ ସାମ୍ବାଦିକ ଜଣକ ହେଲେ ବାରିଆଳ ହେମ୍ବ୍ରମ। ତାଙ୍କୁ ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। 

ସ୍ଥାନାନ୍ତର ହେବା ପୂର୍ବରୁ ରାଇରଙ୍ଗପୁରର ସାମ୍ବାଦିକ  ମଳୟ ଦାସ, ତୁଷାର କାନ୍ତ ମହାନ୍ତ, ପ୍ରଦୀପ ମହାନ୍ତ, ବସନ୍ତ ସାଣ୍ଡିଲ, ମେଘନାଦ ହେମ୍ବ୍ରମ, ଛଟରାୟ ହେମ୍ବ୍ରମ, ନୀରଜ ସାହୁ, ଚନ୍ଦନ କୁମାର ସୋରେନ୍, ରାଜେଶ ଶର୍ମା ଏବଂ ଶ୍ୟାମଳେନ୍ଦୁ ପରିଡା ପ୍ରମୁଖ ପହଞ୍ଚି ତାଙ୍କ ସ୍ବସ୍ଥ୍ୟବସ୍ଥା ପଚାରିବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ।ପୁଲିସ ପ୍ରଶାସନର ଆକ୍ରମଣରେ ଦେଶର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧି ଯଦି ସୂରକ୍ଷିତ ନୁହନ୍ତି ତେବେ ସାଧାରଣ ଜନତା କେତେ ସୂରକ୍ଷିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। 

ସେହିପରି ଅନ୍ତର୍ଜାତୀୟ ମାବଧିକାର ରକ୍ଷକ ସଂଗଠନର ବହଳଦାବ୍ଲକ ସଭାପତି ପିତାମ୍ବର ମୁର୍ମୁ, ମାସା ଆର୍ମୀ ସଂଗଠନର ଶୁକଲାଲ ମାର୍ଣ୍ଡି ଦଳବଳ ସହ ପହଞ୍ଚି ଥିବାବେଳେ ମୟୁରଭଞ୍ଜ ପିଢ ପାରଗାନା ମାହାଲ ସଦସ୍ୟ ଏବଂ ତିରିଂ ବ୍ଲକ ୨୦ ନଂ ଜୋନ ଜିଲ୍ଲା ପରିଷଦ ପରେଶ ଚନ୍ଦ୍ର ମୁଣ୍ଡା,କଂଗ୍ରସ ଦଳର ଜିଲ୍ଲା ସଭାପତି ଭୁବନ ସାହୁ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଓ ଲକ୍ଷ୍ମଣ ମାଝି, ଲକ୍ଷ୍ମୀଧର ସିଂ, ରୂପକ ମହାନ୍ତି, ଜେଏମଏମର ସଲୁ କିସ୍କୁଙ୍କ ସମେତ ବିଭିନ୍ନ ଦଳର କର୍ମୀ ଓ ବିଭିନ୍ନ ଆଦିବାସୀ ସଂଗଠନର ସଦସ୍ୟ ମାନେ ହସ୍ପିଟାଲ୍ ପହଞ୍ଚି ପୁଲିସ୍ ମାଡରେ ଆହତ ସାମ୍ୱାଦିକ ବାରିଆଳ ହେମ୍ବ୍ରମଙ୍କ ସହ ଘଟଣା ବିଷୟରେ ପଚାରି ବୁଝିଥିଲେ ଏବଂ ପୁଲିସ୍ ର ଏହି ବର୍ବର ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ।

ତେବେ ଉକ୍ତ ଘଟଣା ପାଇଁ ସାମ୍ୱାଦିକ ବାରିଆଳ ହେମ୍ବ୍ରମ ମୟୁରଭଂଜ ଏସ୍ ପିଙ୍କ ନିକଟରେ ଅଭିଯୋଗ କରିବେ ବୋଲି ନିଜ ମତ ରଖିଛନ୍ତି। ଅପରପକ୍ଷରେ ରାଇରଙ୍ଗପୁର ବ୍ଳକ୍ ପରିସରରେ ଉତ୍ୟକ୍ତ ଗ୍ରାମବାସୀମାନେ ବ୍ଳକ୍ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ଧସ୍ତାଧସ୍ତି କରିବା ସହିତ ଦୁର୍ବ୍ୟବହାର କରିଥିବା ନେଇ ଏବିଡ଼ିଓ ସୁରାଇ ମାରାଣ୍ଡି ରାଇରଙ୍ଗପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Mayurbhanj