କାଳିଆପାଣି: ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର ସୀମାନ୍ତ ଇଲାକା ତଥା କାଳିଆପାଣି ଖଣିଅଞ୍ଚଳର ଶତାଧିକ କୁଡ଼ୁମି ବହୁଳ ଗାଁରେ ପାରମ୍ପରିକ କରମା ପୂଜା ଅନୁଷ୍ଠିତ ହୋଇଯାଇଛି। ବୁଧବାର ପୂଜା ପରେ ଉପବାସ ଭାଙ୍ଗିଥିବା କୁମାରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାଦଳ ତାଳେତାଳେ ସ୍ବତନ୍ତ୍ର କରମା ଗୀତ ଗାଇ ଓ ନାଚିନାଚି କରମ୍ ଠାକୁରଙ୍କୁ ମେଲାଣି ଦେଇଥିଲେ।
ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀରେ ଅନୁଷ୍ଠିତ କରମା ପର୍ବ ୩ ଦିନ ଧରି ପାଳନ କରାଯାଇଥାଏ। ନବମୀ ଦିନ ସକାଳୁ ଗାଁ ପାଖ ନାଳକୁ ଯାଇ ସ୍ନାନ ପରେ କୁମାରୀମାନେ ନଦୀ କିମ୍ବା ନାଳପାଣିରେ ବୁଡ଼ି ଆଞ୍ଜୁଳାଏ ଲେଖାଏଁ ବାଲି ଉଠାଇଥାନ୍ତି। ଏହି ବାଲିକୁ ନାଳକୂଳରେ ଏକାଠି କରି ଏହାକୁ ଶିବଲିଙ୍ଗ ଆକୃତିର କରିଥାନ୍ତି। ଏହା ଉପରେ ଏକ ଧାନଗଛ ପୋତି ସେହି ପ୍ରତିମାଙ୍କୁ ଧୂପଦୀପ ଓ ସିନ୍ଦୂର ଦେଇ ପୂଜା ପରେ ହାତ ଧରାଧରି ହୋଇ ପାରମ୍ପରିକ ‘ଇତିଇତି ଜାୱା’ ଗୀତ ଗାଇଥାନ୍ତି। ସେଠାରୁ ସେହି ବାଲିସବୁକୁ ଏକ ନୂଆ ବାଉଁଶ ଡାଲାରେ ରଖି ପ୍ରସ୍ତାବିତ ପୂଜାସ୍ଥଳକୁ ଆଣି ପୁଣି ସେହି ବାଲି ପ୍ରତିମା କରିଥାନ୍ତି।
ଗୋଲେଇକୁ ଜହ୍ନିଫୁଲ ଓ ବାଉଁଶ କାଠିରେ ସଜାଇଥାନ୍ତି। ୩ ଦିନ ଧରି ସଂଧ୍ୟାରେ ଏହିଠାରେ ଜହ୍ନିଫୁଲରେ ପୂଜା କରାଯାଇଥାଏ। ଏକାଦଶୀ ଦିନ ଉପବାସ ଥିବା ଗୃହକର୍ତ୍ତା ଦମ୍ପତି ଏକ ଚଉପତିରେ ଅରୁଆ ଚାଉଳ, ଦୀପ, ଧୂପ ଓ ସିନ୍ଦୂର ନେଇ ନିର୍ଦ୍ଦିଷ୍ଟ ଏକ କରମା ଗଛକୁ ପୂଜା କରିଥାନ୍ତି। ପୂଜା ପରେ ବାଡ଼ିରେ ବନ୍ଧା ଯାଇଥିବା ଦାଆ ଦ୍ବାରା ଏହି ଗଛରୁ କଟା ଯାଇଥିବା ଡାଳକୁ ମାଟିରେ ପଡ଼ିବା ପୂର୍ବରୁ ବ୍ରତଧାରୀ ଧରି ପକାଇଥାନ୍ତି। ପୂଜା ସାମଗ୍ରୀ ଥିବା ଚଉପତିରେ କରମା ଡାଳ ରଖି ଗ୍ରାମବାସୀ ମାଦଳ ବଜାଇବଜାଇ ପୂଜାସ୍ଥଳ ଆସିଥାନ୍ତି।
ପବିତ୍ର କରମାଡାଳ ଚାରିପଟେ ୩ ଭେରା ପାଳଦଉଡ଼ି ଗୁଡ଼ାଇ ସେଠାରେ ଖୋଳା ଯାଇଥିବା ଗାତରେ କରମା ଡାଳକୁ ପୋତି କରମ୍ ଠାକୁର ଭାବେ ପୂଜା କରାଯାଇଥାଏ। ବ୍ରତଧାରୀମାନେ ଏକ ଡାଲାରେ ଦୀପଜାଳି ଏହାକୁ ସାରୁପତ୍ର ଘୋଡ଼ାଇ ପୂଜା ସାମଗ୍ରୀ ସହ ଅରୁଆ ଚାଉଳ ଚୁନା, ଗୋଟିଏ ଲେଖାଏଁ କାକୁଡ଼ି ଓ ଜହ୍ନି ଆଣି ପୂଜା କରନ୍ତି। ଜହ୍ନିକୁ ୪ଟି କାଠି ଲଗାଇ ଘୋଡ଼ା ଭଳି ଠିଆ କରାଇ ପୂଜା ସମୟରେ କୁମାରୀମାନେ କାକୁଡ଼ିକୁ ଶିଶୁ ଭଳି କୋଳରେ ଧରିଥାନ୍ତି। ସମବେତ ଶ୍ରଦ୍ଧାଳୁଙ୍କୁ ଗାଁ ମୁଖିଆ ପାରମ୍ପରିକ କରମୁ-ଧରମୁ କାହାଣୀ ଶୁଣାଇ ପୂଜା ସାରିଥାନ୍ତି। ଉପବାସ ଭାଙ୍ଗି ହାଣ୍ଡିଆ ସେବନ ସହ ବିଳମ୍ବିତ ରାତି ଯାଏ ମାଦଳ ତାଳେତାଳେ ପାରମ୍ପରିକ ଗୀତନାଚ ଝୁମର ଓ ପାନ୍ତାସାଲିଆରେ ସମସ୍ତେ ଝୁମିଥାନ୍ତି।
jajpur