ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ଜଣେ ବି-ଟେକ୍ ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ପରେ ସୋମବାର ଦିନତମାମ ଦେଖାଯାଇଥିବା ଉତ୍ତେଜନା ଓ ଅଭାବନୀୟ ପରିସ୍ଥିତି ନେଇ କିଟ୍‌ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିଛନ୍ତି। କିଟ୍ କର୍ତ୍ତୃପକ୍ଷ ମଙ୍ଗଳବାର କହିଛନ୍ତି, ଘଟଣା ପାଇଁ ୨ଜଣ ସୁରକ୍ଷା କର୍ମୀଙ୍କୁ ବହିଷ୍କାର କରାଯାଇଥିବା ବେଳେ ଅନ୍ୟ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ଅଧିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ତୁରନ୍ତ କ୍ୟାମ୍ପସକୁ ଫେରିବାକୁ ଅନୁରୋଧ କରାଯାଉଛି। ଛାତ୍ରଛାତ୍ରୀଙ୍କ ଫେରିବା ନେଇ କ୍ୟାମ୍ପସ ୬ ପରିସରରେ ସ୍ୱତନ୍ତ୍ର ଭାବେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ ବୋଲି କହିଛନ୍ତି କିଟ୍ କର୍ତ୍ତୃପକ୍ଷ। 

Advertisment

ବିଧାନସଭାର ଶୂନ୍ୟକାଳରେ  କିଟ୍‌ ପ୍ରସଙ୍ଗ ଉଠିଥିଲା। କଂଗ୍ରେସ ବିଧାୟକ ତାରା ବାହିନୀପତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ତଦନ୍ତ ନହେଲେ ଧାରଣାରେ ବସିବା ବୋଲି ସେ ଚେତାବନୀ ଦେଇଛନ୍ତି। ଏଭଳି ଘଟଣା ପାଇଁ ସାରା ବିଶ୍ବରେ ଓଡ଼ିଶା ନିନ୍ଦିତ ହୋଇଛି। ନେପାଳ ସହ ଭାରତର ସମ୍ପର୍କ ଭଲ। ତେଣୁ ଜଗନ୍ନାଥଙ୍କ ପାଇଁ କସ୍ତୁରୀ ମଧ୍ୟ ସେଠାରୁ ଆସିଥାଏ। ଯେଉଁ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଛି, ତାହା ନିନ୍ଦନୀୟ। ସେହିପରି ବିଜେପି ମଧ୍ୟ ସମାନ କଥା ଉଠାଇ ଘଟଣାକୁ ନିନ୍ଦା କରିଛି। 

 

ଏହି ଖବର ପଢ଼ନ୍ତୁ: ନ୍ୟାୟ ଦାବିକଲେ ପୀଡ଼ିତାଙ୍କ ପିତା

ଗତ ୧୬ ତାରିଖ ରାତିରେ ନେପାଳର ମୂଳବାସିନ୍ଦା ତଥା ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା(୧୯)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରେମରେ ଧୋକା ଖାଇବା ପରେ ପ୍ରକୃତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାକୁ ନେଇ ବିଶ୍ବବିଦ୍ୟାଳୟ ‌ହଷ୍ଟେଲ୍‌ରେ ରହୁଥିବା ଶତାଧିକ ନେପାଳୀ ଛାତ୍ରଛାତ୍ରୀ ଉତ୍ତେଜିତ ହୋଇ ପଡ଼ିଥିଲେ ଏବଂ ଧୋକାବାଜ ଛାତ୍ରକୁ ତୁରନ୍ତ ଗିରଫ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ କମିସନରେଟ୍‌ ପୁଲିସର ବୁଝାସୁଝା ପରେ ବି ଉତ୍ତେଜିତ ଛାତ୍ରଛାତ୍ରୀ ରାତିତମାମ ହୋ-ହଲ୍ଲା କରିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ସକାଳୁ କିଟ୍‌ରେ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା। ଏହା ଭିତରେ ପୁଲିସ ଅଭିଯୁକ୍ତ ଛାତ୍ର ଉତ୍ତରପ୍ରଦେଶ ଲ‌କ୍ଷ୍ନୌର ଆଦଭିକ୍ ଶ୍ରୀବାସ୍ତବ(୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ବର ବିମାନବନ୍ଦରରୁ ପୁଲିସ ତାଙ୍କୁ ଗିରଫ କରିଛି। ସନ୍ଧ୍ୟା ସୁଦ୍ଧା ପରିସରରେ ଉତ୍ତେଜନା ଥମିବାରୁ ସାଇନ୍‌-ଏ-ଡାଏ ପ୍ରତ୍ୟାହାର କରାଯାଇଛି।