କବିବର ରାଧାନାଥ ତାଙ୍କ ଚିଲିକା କାବ୍ୟରେ ଲେଖିଛନ୍ତି- ‘‘ନୀଳିମାରେ ବାମା ଚାରୁ କେଶପାଶ। ତୋ ନୀଳବୀଚୀକି କଲା ଉପହାସ।। ତେଣୁ କି ତରଙ୍ଗେ ଅପମାନ ଭରେ। ଶିର ପିଟୁଥିଲେ ତରଣୀ-ପଞ୍ଜରେ।’’ ନାରୀର ରୂପ ବର୍ଣ୍ଣନାରେ କେଶର ଏପରି ଅନେକ ବର୍ଣ୍ଣନା ରହିଛି। ନାରୀର ସୌନ୍ଦର୍ଯ୍ୟରେ କେଶର ଭୂମିକା ଗୁରୁତ୍ବପୂର୍ଣ୍ଣ। କେହି କେଶକୁ ବାନ୍ଧି ବେଣୀ କରି ପିଠିରେ ପକାଇଥାନ୍ତି ତ କେହି ତାକୁ ମୋଡ଼ି ଖୋଷା କରିଥାନ୍ତି। କେହି ସେଥିରେ ସୁବାସିତ ଫୁଲ ଖୋଷିଥାନ୍ତି। ଦକ୍ଷିଣ ଭାରତରେ ତଥା ଆମ ଦକ୍ଷିଣ ଓଡ଼ିଶାରେ ବେଣୀରେ ଫୁଲ ଖୋସିବାର ପରମ୍ପରା ବହୁ ପ୍ରାଚୀନ। କିନ୍ତୁ ଆଜିକାଲି ଅନେକେ ଚୁଟି କାଟି ଇନ୍ଦିରା ଗାନ୍ଧୀଙ୍କ ଶୈଳୀରେ ବବୁରିବାଳ ରଖୁଛନ୍ତି। ଏହା ସେମାନଙ୍କର ରୁଚି। କିନ୍ତୁ ଏହା କେତେଦୂର ସେମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୁଏ ତାହା ସେମାନେ ଶୁଦ୍ଧଚିତ୍ତରେ ନିଜର ସଖୀ-ସହଚରୀ ଓ ପ୍ରତିବେଶିନୀମାନଙ୍କୁ ପଚାରି ବୁଝିପାରିବେ।
ଶାସ୍ତ୍ରରେ ଅଛି- ‘‘ସ୍ତନକେଶବତୀ ନାରୀ ପୁରୁଷଃ ଲୋମଶଃ ସ୍ମୃତଃ। ଉଭୟୋରନ୍ତରୋ ଯତ୍ର ନପୁଂସକସ୍ୟ ଲକ୍ଷଣମ୍।।’’ ଅର୍ଥାତ୍ ସ୍ତନ-କେଶ ହେଉଛି ନାରୀର ନାରୀତ୍ବର ଏବଂ ନିଶ-ଲୋମ ହେଉଛି ପୁରୁଷର ପୁରୁଷତ୍ବର ପ୍ରତୀକ। ଯେଉଁଠି ଏହି ଦୁଇଟିର ଅଭାବ ଦେଖିବ, ତାହା ନପୁଂସକତ୍ବର ସୂଚକ ବୋଲି ଜାଣିବ। ତେଣୁ ନାରୀମାନେ କେଶ ପ୍ରତି ଆଦୌ ଅବହେଳା କରିବା ଉଚିତ ନୁହେଁ।
ମୁଣ୍ଡରେ ରୁପି ବା ଫଙ୍ଗସ ହେଲେ କେଶ ଉପୁଡ଼ିଥାଏ। ପୁଣି ଖାଦ୍ୟରେ କେତେକ ଭିଟାମିନ ବା ପୋଷକତତ୍ତ୍ବର ଅଭାବ ହେଲେ କେଶ ଝଡ଼ିଥାଏ। ଏହାର ପ୍ରାକୃତିକ ଉପଚାର କରିବା ଉଚିତ। ମେଥି, ଅଁଳା, ବ୍ରାହ୍ମୀ, ମନ୍ଦାରଫୁଲ ପ୍ରଭୃତି ଘରୋଇ ଉପାଦାନ ସାହାଯ୍ୟରେ କେଶର ଯତ୍ନ ନିଆଯାଇପାରେ। ମରା ନଡ଼ିଆତେଲରେ ଏସବୁ ପକାଇ ଦୁଇଚାରି ଦିନ ଖରାରେ ରଖିବା ପରେ ସେହି ତେଲକୁ ମୁଣ୍ଡରେ ଲଗାଇଲେ ଉପକାର ମିଳେ। ସେହିପରି ଗ୍ୟାସ୍, ଏସିଡ୍ ଅଧିକ ହେଲେ ଏବଂ ଯକୃତ ଖରାପ ହେଲେ ଚୁଟି ଉପୁଡ଼ିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ବାହାରର ଫାଷ୍ଟଫୁଡ୍ ଓ ଅଯଥା ତେଲମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଯେତେଦୂର ସମ୍ଭବ ନିରାମିଷାଶୀ ହେବା ଉଚିତ।
-ଦୋଳଗୋବିନ୍ଦ ପଣ୍ଡା
Women's | hair-style