କୋରାପୁଟ: କୋରାପୁଟ ସହରର ଭୂତଳଜଳ ପାନୀୟ ଅନୁପଯୋଗୀ। ଏହାର ପିଏଚସ୍ତର, କ୍ୟାଲସିୟମ, ମ୍ୟାଗନେସିୟମ, କ୍ଲୋରାଇଡ୍, ନାଇଟ୍ରେଟ୍, ଶିଶା ଓ ଫ୍ଲୋରାଇଡ୍ ମାତ୍ରା ଠିକ୍ ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ପକ୍ଷରୁ କ୍ଵାଲିଟି ମନିଟରିଂ ଷ୍ଟେସନର ଯାଞ୍ଚ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି। ସେଣ୍ଟ୍ରାଲ ଲ୍ୟାବରେ ଏହି ପରୀକ୍ଷା ହୋଇଥିବା ରାଜ୍ୟ ପ୍ରଦୂଷଣ ବୋର୍ଡର ଜିଲ୍ଲା ଆଞ୍ଚଳିକ ଅଧିକାରୀ ଦୀପେଶ ବିଶ୍ଵାଳ ସୂଚନା ଦେଇଛନ୍ତି। ଅପରପକ୍ଷରେ କୋଲାବ ନଦୀଜଳଭଣ୍ଡାରର ଇନଟେକ୍ ୱେଲରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଉଥିବା ପାଣିର ଅବସ୍ଥା ବି ଭଲ ନାହିଁ। ସଠିକ ଭାବେ ବିଶୋଧନ କରାନଯାଇ ଜଳଯୋଗାଣ କରାଯାଉଛି। ଏହି ସ୍ଥିତିରେ କେଉଁ ପାଣି ସହରବାସୀ ପିଇବେ ଚିନ୍ତାରେ ପଢ଼ିଛନ୍ତି।
କୋରାପୁଟ ପୌର ପରିଷଦରେ ୨୧ ୱାର୍ଡରେ ପ୍ରାୟ ଦେଢ଼ ଲକ୍ଷ ଲୋକେ ରହୁଥିବା ବେଳେ ସେମାନେ ଏହି ପାନୀୟଜଳ ବ୍ୟବହାର କରୁଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭୂତଳଜଳ ଯୋଗାଣ କରାଯାଉଛି। ପାନୀୟଜଳର ମାନ ଅନୁଯାୟୀ ଲିଟର ପିଛା ସର୍ବାଧିକ ୦.୦୧ ମିଲିଗ୍ରାମ ଶିଶା ରହିବା ଆବଶ୍ୟକ। ହେଲେ ସହରର ଭୂତଳ ଜଳରେ ଶିଶାର ମାତ୍ରା ଅଧିକ ରହିଛି। କ୍ରମାଗତ ଭାବେ ଏହାର ମାନ ହ୍ରାସ ପାଇବାରେ ଲାଗିଛି। ଏହି ରିପୋର୍ଟ ଆସିବା ପରେ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଅବଗତ କରାଯାଇଥିବା ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ବେଆଇନ୍ ବୋରିଂ ପାଇଁ ଏଭଳି ସମସ୍ୟା ଦେଖାଯାଉଛି। ଏହା ଉପରେ ରୋକ୍ ଲଗାଇବା ସହିତ ଭୂତଳଜଳର ମାତ୍ରାଧିକ ବ୍ୟବହାର ରୋକାଗଲେ ପ୍ରାକୃତିକ ପ୍ରକ୍ରିୟାରେ ଜଳର ମାନ ସ୍ବାଭାବିକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସହର ବାସିନ୍ଦା ପ୍ରଦୀପ ମିଶ୍ର, ବିଦ୍ୟାଧର ଚୌଧୁରୀ କହିଛନ୍ତି, ଜିଲ୍ଲାର ଭୌଗୋଳିକ ସ୍ଥିତି ସହିତ ଖଣି ଖାଦାନ ଓ ଶିଳ୍ପ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପର୍ବତମାଳାରେ ଥିବା ଖଣି ଖନନ, ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା, ଜଳାଶୟ ଗୁଡିକର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଜଳ ଦୂଷିତ ହେଉଛି। ଗୃହିଣୀ ଭାଗ୍ୟଲକ୍ଷ୍ମୀ ରାଉତ, ସୂଜାତା ପାଣିଗ୍ରାହୀ କହିଛନ୍ତି, ଯୋଗାଣ ହେଉଥିବା ଭୂତଳ ଜଳକୁ ପାନୀୟଜଳ ଭାବେ ବ୍ୟବହାର କରାଯିବା ସହିତ ରୋଷେଇରେ ମଧ୍ୟ ବ୍ୟବହାର କରାଯାଉଛି। ପୂର୍ବାପେକ୍ଷା ବହୁ ବିଳମ୍ବରେ ପାଣି ଫୁଟୁଛି। ପନିପରିବା, ଡାଲି ଓ ଆମିଷ ଖାଦ୍ୟ ଗୁଡିକ ମଧ୍ୟ ବିଳମ୍ବରେ ଶିଝୁଥିବା ଲକ୍ଷ କରାଯାଇଛି। ଯୋଗାଣ ପାଣିକୁ ଫୁଟାଇବା ପରେ ହିଁ ତାଙ୍କ ପରିବାର ଲୋକେ ପାନୀୟଜଳ ଭାବେ ବ୍ୟବହାର କରୁଥିବା ସେ କହିଛନ୍ତି।
ସହରର ସବୁ ନାଳର ମଇଳା ପାଣି କୋଲାବ ଜଳଭଣ୍ଡାରରେ ମିଶୁଛି। ସେହି ପାଣିକୁ ସଠିକ ଭାବେ ବିଶୋଧନ ନ କରି ଜନସ୍ବାସ୍ଥ୍ୟ ବିଭାଗ ଯୋଗାଉଛି। ଫଳରେ ଏହି ପାଣି ପିଇବା ଯୋଗ୍ୟ ହୋଇ ରହି ନାହିଁ।
ସାମ୍ବାଦିକ ସିଏଚ୍ ସାନ୍ତାକାର, ଭବାନୀ ମିଶ୍ର, ଆଇନଜୀବୀ ପ୍ରଶାନ୍ତ ପାତ୍ର କହିଛନ୍ତି ସହରର ସବୁ ନାଳର ମଇଳା ପାଣି କୋଲାବ ଜଳଭଣ୍ଡାରରେ ମିଶୁଛି। ସେହି ପାଣିକୁ ସଠିକ ଭାବେ ବିଶୋଧନ ନ କରି ଜନସ୍ବାସ୍ଥ୍ୟ ବିଭାଗ ଯୋଗାଉଛି। ଫଳରେ ଏହି ପାଣି ପିଇବା ଯୋଗ୍ୟ ହୋଇ ରହି ନାହିଁ। ସେହିପରି ସୂଜିତ ପାଢ଼ୀ କହିଛନ୍ତି, ଭୂତଳଜଳ କେବଳ ପାନୀୟ ଅନୁପଯୋଗୀ ନୁହେଁ ସ୍ନାନଶୌଚ ଆଦି କ୍ଷେତ୍ରରେ ମଧ୍ୟ ବ୍ୟବହାର ଅନୁପଯୋଗୀ ହୋଇଛି। ଏହି ଜଳ ବ୍ୟବହାର ଦ୍ବାରା ଶୀଘ୍ର ଚୁଟି ପାଚିବା, ଚର୍ମ ରୋଗ ଓ ପେଟ ସମସ୍ୟା ହେଉଛି। ଏହାର ମାନ ବୃଦ୍ଧି କରିବା ସହିତ ପ୍ରକୃତ କାରଣ ଖୋଳି ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବା ଜରୁରି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/33Sb9iAGcLRh8sKzGr0C.jpg)