କୋରାପୁଟ: ପ୍ରତିଦିନ ତୁଳସୀ ମାଳ ସହିତ ଦୟଣାର ମାଳ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପିନ୍ଧା ଯାଇଥାଏ। ମହାପ୍ରଭୁଙ୍କ ବେଶ ପ୍ରସ୍ତୁତି ସମୟରେ, ନାକ ଚଣା ତଥା ଝୁମ୍ପାରେ ଦୟଣାକୁ ବ୍ୟବହାର କରାଯାଏ। କାଳିଆର ପ୍ରିୟ ଦୟଣା ମାଳ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଠାରୁ ଗତକାଲି ବାହାରିଥିବା ବେଳେ ଶ୍ରୀକ୍ଷେତ୍ରରେ ପହଚିଂଛି ଦୟଣା ଯାତ୍ରା। ଆଜି ଶ୍ରୀମନ୍ଦିର ଠାରେ ଦୟଣା ଚୋରି ନୀତି ଅନୁଷ୍ଠିତ ହେବ ଜଗା ପିନ୍ଧିବ କୋରାପୁଟ ଦୟଣା। ଆସନ୍ତା ଦିନରେ ଶ୍ରୀମନ୍ଦିରରେ ଦୟଣା ଆବଶ୍ୟକତାକୁ ପୁରଣ କରିବ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର। ଶାବର ଶ୍ରୀକ୍ଷେତ୍ର ଓ ଶ୍ରୀକ୍ଷେତ୍ର ମଧ୍ୟରେ ଯୋଡି ହେବ ଏକ ନୁଆ ସମ୍ପର୍କ।
ତୁଳସୀ ପ୍ରିୟ କାଳିଆ ସାଆନ୍ତେ ହେଲେ ତୁଳସୀ ପରି ମହାପ୍ରଭୁଙ୍କ ଅତି ପ୍ରିୟ ହେଉଛି ଦୟଣା ପତ୍ର। ଦୟଣାର ମହକରେ ମହକି ଉଠେ ଚର୍ତୁଦିଗ। ଏଥିପାଇଁ ଶ୍ରୀମନ୍ଦିର ବଗିଚା ‘ନୀଳାଚଳ ଉପବନ’ରେ ଦୟଣା ଗଛ ଲଗାଯାଇଛି। ହେଲେ ତାହା ବର୍ଷର ବିଭିନ୍ନ ସମୟରେ ଶ୍ରୀମନ୍ଦିରରେ ଦୟଣା ପତ୍ରର ଆବଶ୍ୟକତା ପୂରଣ କରିପାରେନାହିଁ।
ମହାପ୍ରଭୁଙ୍କ ସେବା ଲାଗି ହେବା ପାଇଁ କୋରାପୁଟ ଶାବରଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପଞ୍ଚବଟୀ ଠାରେ ପ୍ରଥମେ ପରୀକ୍ଷା ମୁଳକ ଭାବରେ ଦୟଣା ଗଛ ଲଗାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇ ଏକର ଜାଗାରେ ସଫଳ ହୋଇଛି ଦୟଣା ଚାଷ। କୋରାପୁଟର ଜଳବାୟୁ ଓ ପରିବେଶ ଦୟଣା ଉତ୍ପାଦନ ପାଇଁ ଅନୂକୁଳ ହୋଇଥିବାରୁ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପଞ୍ଚବଟୀ ଠାରେ ସଫଳ ହୋଇଛି ଦୟଣା ଚାଷ।
ଆଜି ପ୍ରଥମ ପର୍ଯ୍ୟାୟରେ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦୟଣା ଲାଗି ହେବା ପରେ ଏକ ସ୍ଵତନ୍ତ୍ର ଗାଡ଼ିରେ ଦୟଣା ଚାରା ଓ ପତ୍ର ନେଇ ପୁରୀ ଅଭିମୁଖେ ବାହାରିଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋରାପୁଟ ଶାବର ଶ୍ରୀକ୍ଷେତ୍ର ପଞ୍ଚବଟୀରେ ଦୟଣା ସଫଳ ଚାଷ ପରେ ଶ୍ରୀମନ୍ଦିରରେ ଦୟଣା ଆବଶ୍ୟକତା ପୁରଣ ହେବା ନେଇ ଆଶା କରାଯାଉଛି। ଗତ କିଛି ଦିନ ହେବ କୋରାପୁଟରୁ କିଛି ଶ୍ରଦ୍ଧାଳୁ ଭକ୍ତ ଶ୍ରୀକ୍ଷେତ୍ରକୁ ତୁଳସୀ ମାଳ, ଫୁଲ ପଠାଇବା ଆରମ୍ଭ କରିଥିଲେ। ଏବେ ଦୟଣା ଯିବା ପରେ ନୂଆ ଆଧ୍ୟତ୍ମିକ ସମ୍ପର୍କ ଆହୁରି ଅଧିକା ମଜଭୁତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Koraput