-୧୦ମାସରେ ଦେଢ଼ କୋଟିର ବ୍ୟବସାୟ
କୋରାପୁଟ: କ୍ଷୀର, ମାଛ, କୁକୁଡା ମାଂସ, ଅଣ୍ଡା, ଆଳୁ ଓ ପିଆଜ ପାଇଁ ଆମେ ଆନ୍ଧ୍ର ଉପରେ ନିର୍ଭର ରହିଥିଲୁ। ଏବେ ଆନ୍ଧ୍ରକୁ ଓଡିଶାର କୋରାପୁଟ ଜିଲ୍ଲା ଉପରେ ନିର୍ଭର ହେବାକୁ ପଡ଼ିଛି। ଏଠାରେ ଉତ୍ପାଦିତ ଜୈବିକ ଓ ଔଷଧୀୟ ଗୁଣରହିଥିବା ହଳଦୀ ସାବୁନ୍, ମିଣ୍ଟବାମ, ଲେମନଗ୍ରାସ ତେଲ ନେଉଛି ଆନ୍ଧ୍ର। ଆନ୍ଧ୍ରର ମାନ୍ୟମ୍, ବିଜନଗରମ, ଏଆରଏସ୍ ଜିଲ୍ଲା ଗୁଡିକରେ ଥିବା ସେବାଶ୍ରମ ବିଦ୍ୟାଳୟରେ କୋରାପୁଟିଆ ହଳଦୀ ସାବୁନର ବହୁଳ ବ୍ୟବହାର କରାଯାଉଛି।
ବିଜୟନଗରମରେ ଅନୁଷ୍ଠିତ ଜାତୀୟ ସରସ ମେଳାରେ କୋରାପୁଟର ଓରମାସ ଷ୍ଟଲକୁ ଆସି ଏଠାରେ ବିକ୍ରି ହେଉଥିବା ଜୈବିକ କୋରାପୁଟିଆ ହଳଦୀ ସାବୁନ ସବୁ କିଣିନେଇଥିଲେ ମାନ୍ୟମ୍ , ବିଜୟନଗରମ ଓ ଏଆରଏସ୍ ଜିଲ୍ଲାପ୍ରଶାସନ। ଏହା ସହ ଅଳ୍ପ ଦିନ ମଧ୍ୟରେ ମାନ୍ୟମ ଜିଲ୍ଲା ନାବାର୍ଡର ଡିଡିଏମ୍, ପିଏଆଇଟିଡିଏ, ବିଜୟନଗରମ୍ ଜିଲ୍ଲାପ୍ରାଶସନ, ମହିଳା ସ୍ବୟଂ ସହାୟକ ଦଳକୁ ନେଇକି କୋରାପୁଟ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନରେ ଆସିବେ। ଏମାନେ ଲକ୍ଷ୍ମୀପୁର ବ୍ଲକର କୋନାପାଡ଼ିରେ ଥିବା ହଳଦୀ ସାବୁନ ପ୍ରକ୍ରିୟାକରଣ ୟୁନିଟ, ରାଜାପୁଟ ମାଣ୍ଡିଆ ପ୍ରକ୍ରିୟାକରଣ କଳ, କଫି ପ୍ରକ୍ରିୟାକରଣ ୟୁନିଟ ଏବଂ କାପକୋ ପରିଦର୍ଶନ କରି ଯିବାକୁ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ଓରମାସ ଓରମାସ ଡିପିଏମ୍ ରୋଶନ କାର୍ତ୍ତିକ।
ସୂଚନା ଯୋଗ୍ୟ, ଜିଲ୍ଲାପ୍ରଶାସନ ଓ ଓରମାସ ଜିଲ୍ଲାର ୧୪ଟି ବ୍ଲକର ୩ହଜାର ଚାଷୀଙ୍କ ଠାରୁ ୯ଟି ପ୍ରଡ୍ୟୁସର କମ୍ପାନୀ, ଗୋଟିଏ ଲେମନଗ୍ରାସ୍ ପ୍ରଡ୍ୟୁସର ଏଣ୍ଟରପ୍ରାଇଜେର୍ସ ଜରିଆରେ ଲେମନଗ୍ରାସର ତେଲ, ଲେମନଗ୍ରାସ ପିନାଇଲ, ବାମ, ମାସାଜ ଅୟଲ, ସାମ୍ପୁ, କଂଚା ହଳଦୀ, ଗୋଟାହଳଦୀ, ହଳଦୀସାବୁନ, ଗୁଣ୍ଡ, ଡାଲଚିନି, ମହୁସାବୁନ, ଅଲବିରାସାବୁନ, କୋରାପୁଟ କଫି ସାବୁନ, ଗୋଲମରିଚ, ସୁଆଁ, ମାଣ୍ଡିଆ ଚୁନା, କଳାଜିରା ଚାଉଳ, ଗୁଡ, ତେନ୍ତୁଳି, ଫୁଲଝାଡୁ, ଅଦା, ଅଦା ପାଉଡର, ଜାପାନିଜ ମିଣ୍ଟ ତେଲ୍ ଆଦି କିଣି ଇ-ମାର୍କେଟିଂ, ରାଜ୍ୟ ଓ ସର୍ବଭାରତୀୟ ମେଳା ଗୁଡିକରେ ଭାଗ ନେଇ ଗତ ୧୦ମାସରେ ଦେଢ଼ କୋଟି ଟଙ୍କାର ବ୍ୟବସାୟ କରିଛି ବୋଲି କହିଛନ୍ତି ଓରମାସ ଡିପିଏମ୍।
ସେହିପରି ଗତ ବର୍ଷ ୩କୋଟିର ବ୍ୟବସାୟ କରିଛି। ଏବେ କୋରାପୁଟ ଜିଲ୍ଲାରୁ ଉତ୍ପାଦିତ ଆମଜାନ ଇ-ମାର୍କେଟରେ ୧୧ଟି ଜିନିଷ ବିକ୍ରି ହେଉଛି। ସେଗୁଡିକ ହେଲା ଫୁଲଝାଡ଼ୁ ସହ ହଳଦୀ, ହଳଦୀର ୪ସାବୁନ, ହଳଦୀ ଗୁଣ୍ଡ, କଳାଜିରା ଚାଉଳ, ସୁଆଁ, ଲେମନଗ୍ରାସ ତୈଳ, ମାଣ୍ଡିଆ ଚୁନା, ଗୁଡ଼ ଉପଲବ୍ଧ। କୋରାପୁଟର ହଳଦୀରେ କରକୁମିନ୍ ନାମକ ଔଷଧୀୟ ଗୁଣ ରହିଛି। ଯେଉଁ ଗୁଣ କର୍କଟ ପରି ରୋଗକୁ ଭଲ କରିବା କ୍ଷମତା ରଖେ। କନ୍ଧମାଳ ଜିଲ୍ଲାର ହଳଦୀରେ ୩ରୁ ୪ ପ୍ରତିଶତ ଏହି କରକୁମିନ ରହିଥିବା ବେଳେ କୋରାପୁଟ ଜିଲ୍ଲାର ହଳଦୀରେ ୫.୯୦ ପ୍ରତିଶତ ରହିଥିବା ପରୀକ୍ଷଣ ବେଳେ ଜଣାପଡ଼ିଥିବା କହିଛନ୍ତି ଡିପିଏମ୍। ଅମେରିକା, ଅଷ୍ଟ୍ରେଲିଆ ସହ ଦେଶର ବିଭିନ୍ନ ରାଜ୍ୟରୁ ଓର୍ଡର ଆସୁଛି। ସୁନାବେଡା କୋବ୍ରା ବାଟଲିଆନ୍, ବିଏସଏଫ୍ ମାଲକାନଗିରୀ, ସିଆରପିଏଫ୍ ଭୁବନେଶ୍ବର, ବରମୁଣ୍ଡା ବସଟର୍ମିନାଲ୍, କୋରାପୁଟ ରେଳଷ୍ଟେସନ, ଏସଆରମଲ୍ ଜୟପୁରରେ ବି ବିକ୍ରୀ କରାଯାଉଛି ବୋଲି କହିଛନ୍ତି ଡିପିଏମ୍।