ଇନ୍ଦ୍ରାବତୀ/ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମପଂଚାୟତ ଅନ୍ତର୍ଗତ ଚରାମୁଳା ଗ୍ରାମ ଜାନିସାହିରେ ରହୁଥିବା ଜନ୍ମାନ୍ଧ କୁମାରୀ ମୁଦୁଲି ସରକାରୀ ସହାୟତାରୁ ବଂଚିତ ରହି ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି। ନିଜର ଘର ଖଣ୍ଡେ ମଧ୍ୟ ନାହିଁ। ସରକାରଙ୍କ ପକ୍ଷରୁ ଆବାସ ଘର ଖଣ୍ଡେ ମଧ୍ୟ ମିଳିପାରି ନାହିଁ। ଏମିତି ସ୍ଥିତିରେ କୁମାରୀ ବିଧବା ଭାଉଜଙ୍କ ଘରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି।

Advertisment

ଚରାମୂଳା ଗ୍ରାମର କୁମାରୀ ମୁଦୁଲି (୪୫)। ସେ ଜନ୍ମ ହେବା ସମୟରୁ ତାଙ୍କର ଦୁଇ ଆଖିକୁ ଦେଖାଯାଉ ନାହିଁ। ନିଜର ବୋଲି ଥିବା ଦୁଇ ଭାଇଙ୍କ ମୃତ୍ୟୁ ହୋଇସାରିଛି। କୁମାରୀଙ୍କ ବାପା-ମା’ ଥିଲେ ହେଁ ସେମାନେ କୁଲି ମଜୁରୀ କରି ଅନ୍ୟତ୍ର ରହୁଛନ୍ତି। ଏମିତି ସ୍ଥିତିରେ କୁମାରୀ ବିଧବା ଭାଉଜ କୁଞ୍ଜ ମୁଦୁଲିଙ୍କ ଘରେ ଆଶ୍ରୟ ନେଉଛନ୍ତି। ଦୁଃଖ ଓ ପରିତାପର ବିଷୟ କୁମାରୀଙ୍କୁ ଗତ ଛଅ ମାସ ହେଲା ଚାଉଳ ମିଳୁ ନାହିଁ। ପୂର୍ବରୁ ଅନ୍ତୋର୍ଦୟ ଯୋଜନାରେ ୩୫ କିଲୋ ଚାଉଳ ମିଳୁଥିଲା। ପରବର୍ତ୍ତୀ ସମୟରେ ୩୫ କିଲୋ ଚାଉଳ ପରିବର୍ତ୍ତେ ୫ କିଲୋ ଚାଉଳ ମିଳୁଥିଲା। ହେଲେ ଗତ ଛଅ ମାସ ହୋଇଗଲା ଉକ୍ତ ୫ କିଲୋ ଚାଉଳ ମଧ୍ୟ କୁମାରୀଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି। 

କୁମାରୀ ମୁଦୁଲି ଜନ୍ମ ହେବା ସମୟରୁ ତାଙ୍କର ଦୁଇ ଆଖିକୁ ଦେଖାଯାଉ ନାହିଁ। ନିଜର ବୋଲି ଥିବା ଦୁଇ ଭାଇଙ୍କ ମୃତ୍ୟୁ ହୋଇସାରିଛି। କୁମାରୀଙ୍କ ବାପା-ମା’ ଥିଲେ ହେଁ ସେମାନେ କୁଲି ମଜୁରୀ କରି ଅନ୍ୟତ୍ର ରହୁଛନ୍ତି।

ସେହିପରି କୁମାରୀଙ୍କୁ ଜମାରୁ ଦେଖାଯାଉନଥିଲେ ମଧ୍ୟ ଅଦ୍ୟାବଧି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। ଏମିତି ସ୍ଥିତିରେ ବିଧବା ଭାଉଜଙ୍କ ଘରେ କୁମାରୀ ଆଶ୍ରୟ ନେଇ ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି। ପୂର୍ବରୁ ମିଳୁଥିବା ୩୫ କିଲୋ ଚାଉଳ ସହ ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡେ ସରକାର ଯୋଗେଇ ଦେଲେ ବାକିତକ ଜୀବନ ଖୁସିରେ କଟି ଯାଆନ୍ତା ବୋଲି କୁମାରୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।

ଦିଗି ପଂଚାୟତ ନିର୍ବାହୀ ଅଧିକାରୀ ପ୍ରବୀଣ ପ୍ରଧାନଙ୍କୁ କୁମାରୀଙ୍କ ବିଷୟରେ ଅବଗତ କରିବା ପରେ ମାସିକ ୩୫ କିଲୋ ଚାଉଳ ଏବଂ ଛଅ ମାସର ପାଇନଥିବା ଚାଉଳ ପ୍ରଦାନ ବ୍ୟବସ୍ଥା ଯଥାଶୀଘ୍ର କରାଯିବ ବୋଲି କହିଛନ୍ତି। ଜନ୍ମାନ୍ଧ କୁମାରୀଙ୍କୁ ଆବାସ ଘର ସମେତ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗେଇ ଦେବାପାଇଁ ସାହି ବାସିନ୍ଦା ଦାବି କରିଛନ୍ତି। 

nabarangapur 

ରିପୋର୍ଟ: ସୁଶାନ୍ତ କୁମାର ଶତପଥୀ