ଛତ୍ରପୁର: ଗଞ୍ଜାମ ଜିଲ୍ଲା ଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ‘ଏଲ୍‌-୨’ ପରିବହନ ଠିକାଦାରମାନଙ୍କ ପିଡିଏସ୍ ସାମାଗ୍ରୀ ପରିବହନ ବାବଦରେ ୨ ବର୍ଷର ବକେୟା ଟଙ୍କା ଫେରସ୍ତ ନିମନ୍ତେ ଗୁରୁବାର ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଏକ କାର୍ଯ୍ୟାଳୟ ସମ୍ମୁଖରେ ଏଲ୍‌-୨ ପରିବହନ ଠିକାଦାରମାନଙ୍କ ପକ୍ଷରୁ ଧାରଣା ଦିଆଯାଇଛି। କରୋନା ସମୟରେ ଆମ୍ଭମାନଙ୍କୁ ଚାଉଳ, ଡାଲି ଆଦି ସାମଗ୍ରୀ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିବହନ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ପରିବହନ ବାବଦରେ ୧ କୋଟି ୫୬ ଲକ୍ଷ ଟଙ୍କା ଏବଂ ଅମନାତ ଭାବେ ଥିବା ୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇନାହିଁ।

Advertisment

ଜିଲ୍ଲା ଯୋଗାଣ ବିଭାଗ ଅଧୀନରେ ଡିଲର୍ ପଏଣ୍ଟରୁ ପଞ୍ଚାୟତକୁ ପିଡିଏସ୍ ସାମଗ୍ରୀ ପରିବହନ କରିବା ପାଇଁ ‘ଏଲ୍‌-୨’ ପରିବହନ ଠିକାଦାର ଭାବେ ୨୦୧୯-୨୦ ଓ ୨୦୨୦-୨୧ ଦୁଇ ବର୍ଷ ଧରି ବିଭାଗର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଥିଲୁ। କିନ୍ତୁ ବିଭାଗ ପକ୍ଷରୁ ପରିବାହନ ଠିକାଦାରମାନଙ୍କ ପରିବହନ ବାବଦରେ ମୂଳ ବିଲ୍ କିମ୍ବା ଅମାନତ ଭାବରେ ରଖାଯାଇଥିବା କୋଟି କୋଟି ଟଙ୍କା ଦେବାରେ ଆଜି ପର୍ଯ୍ୟନ୍ତ ଅବହେଳା କରି ଆସୁଛନ୍ତି। ଏ ସଂକ୍ରାନ୍ତରେ ବାରମ୍ବାର ଠିକାଦାରମାନେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଭୁବନେଶ୍ୱର ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରେ ଗୁହାରି ଜଣାଇଥିଲେ ମଧ୍ୟ କୌଣସି ଫଳପ୍ରଦ ମିଳିନାହିଁ। ଶେଷରେ ଗୁରୁବାର ବାଧ୍ୟ ହୋଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଠିକାରଦାରମାନେ ଧାରଣାରେ ବସି ରହିଛୁ।

ଅନ୍ୟପକ୍ଷରେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା କହିଛନ୍ତି, ଗଞ୍ଜାମ ଜିଲ୍ଲାର ଲେବଲ-୨ ଟ୍ରାନ୍ସପୋର୍ଟ ଠିକାଦାରମାନେ ବିଗତ ୨୦୧୯-୨୧ ବର୍ଷରେ ଚଣା, ଡାଲି ଆଦି ଡିପରୁ ନ ଉଠାଇ ଏଫସିଆଇରୁ ଷ୍ଟକ ଉଠାଇଥିଲେ, ତାର ବକେୟା ଟଙ୍କା ପାଇନାହାନ୍ତି। ସେ ବାବଦରେ କର୍ପୋରେସନ ହେଡ ଅଫିସକୁ ଆମେ ଜଣାଇଥିଲୁ, ସେଠାରୁ ଲିଖିତ ଆକାରରେ ଜିଲ୍ଲା ସ୍ତରୀୟ ଟେଣ୍ଡର କମିଟିରେ ଆପ୍ରୁଭ କରି ପୁଣି ଥରେ ପ୍ରୋପୋଜାଲ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି ପ୍ରକାରେ ଗତ ୩ ତାରିଖରେ ଏନେଇ ବୈଠକରେ ମଞ୍ଜୁର ହୋଇଛି । ଯେପରି ସେମାନେ ସେମାନଙ୍କ ବକେୟା ଟଙ୍କା ପାଇପାରିବେ ସେ ଦିଗରେ ଚେଷ୍ଟା କରିବୁ ବୋଲି ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମୁଣ୍ଡା କହିଛନ୍ତି।  

ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଏଭଳି ଲିଖିତ ପ୍ରତିଶ୍ରୁତି ପରେ ଲେବଲ-୨ ପରିବହନ ଠିକାଦାରମାନେ ଧାରଣାକୁ ସ୍ଥଗିତ ରଖିଛନ୍ତି। ପ୍ରତିଶ୍ରୁତି ପରେ ଆସନ୍ତା ୧୫ ଦିନ ମଧ୍ୟରେ ଆମ୍ଭମାନଙ୍କ ପ୍ରାପ୍ୟ ନ ମିଳେ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗଞ୍ଜାମ ଜିଲ୍ଲା ଲେବଲ-୨ ଠିକାଦାର ସଂଘର ସଭାପତି ସତ୍ୟ ନାରାୟଣ ସ୍ୱାଇଁ କହିଛନ୍ତି।

ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ପରିବାହନ ଠିକାଦାର ଅଜିତ୍ କୁମାର ପାତ୍ର, ରବୀନ୍ଦ୍ର କୁମାର ଜେନା, ବିନିତା ସ୍ୱାଇଁ, ସନ୍ତୋଷ କୁମାର ଷଡଙ୍ଗୀ, ସୁଶାନ୍ତ କୁମାର ଦଳାଇ, ସୁଜତା ସାହୁ, ସୁବାସ ଚନ୍ଦ୍ର ପାତ୍ର, କବିନ୍ଦ୍ର କୁମାର ପଣ୍ଡା, ପ୍ରଭାକର ନାୟକ, ରଶ୍ମିତା ସାହୁ, ପ୍ରଶାନ୍ତ କୁମାର ପାଢୀ, ଟିଲୁ ସାହୁ, ସୁନିଲ କୁମାର ପାତ୍ର, ବୈକୁଣ୍ଠନାଥ ନାୟକ, ବିମ୍ବାଧର ତ୍ରିପାଠୀ, ନିରଞ୍ଜନ ନାୟକ, ଟୁଟୁ ସ୍ୱାଇଁ ଓ ଶିଶିର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।