ମାଲକାନଗିରି: ବଲାଙ୍ଗୀରରୁ ହାଇଦ୍ରାବାଦକୁ ଯାଉଥିବା ବସଗୁଡ଼ିକରେ କେବଳ ଶ୍ରମିକ ଚାଲାଣ କରାଯାଉଛି। ତାହା ମଧ୍ୟ ଅମାନିବୀୟ ଭାବେ ଭର୍ତ୍ତି କରି ନିଆଯାଉଛି। ଗୋଟିଏ ପରିବାରର ୭ରୁ ୮ ଜଣ ବ୍ୟକ୍ତି ଯାଉଥିବା ଦେଖିବାକୁ ମିଳୁଛି। ଗତ ଦୁଇ ଦିନ ତଳେ ହାଇଦ୍ରାବାଦ ବସ୍ ମାଲାକନଗିରି ଠାରୁ ମାତ୍ର ୮ କିଲୋମିଟର ଦୂର ବିଜାଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରଶାସନ ଚେତିଛି।
ଏମଭି-୧୬ ଗ୍ରାମ ନିକଟରେ ଗୁରୁବାର ସକାଳୁ ଶ୍ରମ ବିଭାଗ ଏବଂ ଆଞ୍ଚଳିକ ପରିବହନ ବିଭାଗର କର୍ମକର୍ତ୍ତା ଛକି ରହିଥିଲେ। ଶ୍ରୀ ବାଲାଜୀ ନାମକ ଏକ ଘରୋଇ ବସ ଏମଭି-୧୬ ଗ୍ରାମରେ ପହଞ୍ଚିବା ମାତ୍ରେ ଚଢାଉ କରିଥିଲେ। ଏହି ବସରେ ୧୧୦ ଜଣ ଯାତ୍ରୀ ବସିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହି ବସର କ୍ଷମତା ହେଲା ମାତ୍ର ୩୫ ଜଣ। ଅମାନବୀୟ ଭାବେ ଶ୍ରମିକମାନଙ୍କୁ ବସରେ ଭର୍ତ୍ତି କରାଯାଇଥିଲା। ଦଲାଲମାନେ ହାଇଦ୍ରାବାଦରୁ ଏମାନଙ୍କୁ ଏହି ଗୋଟିଏ ବସରେ ହିଁ ଗାଈଗୋରୁ ଭଳି ଭର୍ତ୍ତି କରି ଛାଡି ଦେଇଥିଲେ।ଏହି ବସଟି ହାଇଦ୍ରାବାଦରୁ ବଲାଙ୍ଗୀରର କଣ୍ଟାବାଞ୍ଜି ଯାଉଥିଲା।
ପ୍ରକାଶ ଥାଉକି ହାଇଦ୍ରାବାଦ ବସରେ ବଲାଙ୍ଗୀର, କଳାହାଣ୍ଡି ଏବଂ ନବରଂଗପୁର ଜିଲ୍ଲାର ଶତାଧିକ ଶ୍ରମିକ ପ୍ରତିଦିନ ଯାଇଥାନ୍ତି। ବସ ମାଲିକମାନେ ଏହି ଶ୍ରମିକମାନଙ୍କ ଠାରୁ ବସ ଭଡାର ଦ୍ବିଗୁଣ ନେଉଥିବା ଶ୍ରମିକମାନେ ଅଭିଯୋଗ କରିଥିଲେ।
ପ୍ରଶାସନ ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇବା ପରେ ଏମାନଙ୍କୁ ନେଇ ଯାଉଥିବା ଦଲାଲ ବିରୋଧରେ ବଲାଙ୍ଗିର ଏବଂ ନବରଂଗପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମାଲକାନଗିରି ଶ୍ରମ ବିଭାଗର ଭାରପ୍ରାପ୍ତ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଅନୁରୋଧ କରିଥିବା ଜଣାପଡ଼ିଛି।
ମାଲକାନଗିରି ପ୍ରଶାସନ ତରଫରୁ ଆଜି ଆଉ ଏକ ବସ ଯୋଗେ ଏମାନଙ୍କୁ ସେମାନଙ୍କର ନିଜ ନିଜ ଗାଁକୁ ଛଡା ଯାଇଥିବା ଜଣାପଡିଛି। ଶ୍ରମ ବିଭାଗର ଏଭଳି କାର୍ଯ୍ୟକୁ ଜିଲ୍ଲା ଶ୍ରମିକ ସଂଗଠନ ପ୍ରଶଂସା କରିଛି। ପୂର୍ବରୁ ଯଦି ଏଭଲି ଚଢାଉ ହୋଇଥାନ୍ତା ତେବେ ବସ ମାଲିକ ଏବଂ ଦଲାଲମାନେ ଏଭଳି ଅମାନବୀୟ ଢଙ୍ଗରେ ଶ୍ରମିକମାନଙ୍କୁ ନେଇନଥାନ୍ତେ ବୋଲି କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ସମସ୍ତ ହାଇଦ୍ରାବାଦ ବସକୁ ଚଢାଉ କଲେ ବସ ମାଲିକ ଏବଂ ଦଲାଲମାନେ ଭୟ କରନ୍ତେ ବୋଲି ଶ୍ରମିକ ସଂଗଠନର କର୍ମକର୍ତ୍ତା କହିଛନ୍ତି।
Malkangiri