ବୈଶିଙ୍ଗା(ଦୀପକ କୁମାର ସିଂହ): ଶିକ୍ଷୟିତ୍ରୀଙ୍କ ଆତ୍ମ ଗର୍ବର ସୀମା ଟପିଛି। ପ୍ରାର୍ଥନା ପରେ ପିଲାମାନେ ପାଦ ଛୁଇଁ ପ୍ରଣାମ କଲେ ନାହିଁ ବୋଲି ବାଉଁଶ ବତାରେ ନିର୍ଧୁମ ଛେଚିଛନ୍ତି। ଏହି ଘଟଣାକୁ ନେଇ ଅଭିଭାବକମାନଙ୍କର ଅଭିଯୋଗ କ୍ରମେ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଳକ ପ୍ରତିମାଦେଇପୁର କ୍ଲଷ୍ଟର ଅନ୍ତର୍ଗତ ଖଣ୍ଡଦେଉଳା ସରକାରୀ ଉଚ୍ଚପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଶୁକ୍ରବାର ଏହି ଭଳି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।
ଶିକ୍ଷୟିତ୍ରୀ ଜଣକ ଏକକାଳୀନ ୩ଟି ଶ୍ରେଣୀର ୩୧ଜଣ ଛାତ୍ରଛାତ୍ରୀଙ୍କୁ ବାଉଁଶବାଡିରେ ନିସ୍ତୁକ ମାଡମାରିବା ଘଟଣାରେ ଏସଏମସି କମିଟି ଏବଂ ଅଭିଭାବକଙ୍କ ଅଭିଯୋଗ ଆଧାରରେ ତଦନ୍ତକରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଶନିବାର ପୂର୍ବକ ଚାକିରିରୁ ନିଳମ୍ବନ କଲେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ।
ସୂଚନା ମୁତାବକ ଖଣ୍ଡଦେଉଳା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ସୁକାନ୍ତି କର ଶୁକ୍ରବାର ଧାର୍ଯ୍ୟ ସମୟରେ ସ୍କୁଲରେ ପହଞ୍ଚୁଥିଲେ। ସମସ୍ତ ଛାତ୍ରଛାତ୍ରୀ ସମବେତ ପ୍ରାର୍ଥନା ପରେପରେ ନିଜନିଜ ଶ୍ରେଣୀକୁ ଚାଲିଯାଇଥିଲେ। ତେବେ ୬ଷ୍ଠଶ୍ରେଣୀ, ୭ମଶ୍ରେଣୀ ଏବଂ ୮ମଶ୍ରେଣୀ ଗୃହକୁ ପର୍ଯ୍ୟାୟକ୍ରମେ ପାଠ ପଢାଇବାକୁ ସହକାରୀ ଶିକ୍ଷୟିତ୍ରୀ ସୁକାନ୍ତି ଗିରି ଯାଇଥିବା ବେଳେ କେଉଁ କେଉଁ ଛାତ୍ରଛାତ୍ରୀମାନେ ପ୍ରାର୍ଥନା ପରେ ତାଙ୍କୁ ପାଦଛୁଇଁ ସେଦିନ ପ୍ରଣାମ କରିନାହାନ୍ତି ବୋଲି ପଚାରିଥିଲେ। ଏହାପରେ ଯେଉଁ କୁନିକୁନି ଛାତ୍ରଛାତ୍ରୀ ହାତ ଟେକିଲେ ସେମାନଙ୍କୁ ବାଉଁଶବାଡିରେ ନିସ୍ତୁକ ପିଟି ଚାଲିଲେ ଶିକ୍ଷୟିତ୍ରୀ।
ଏହିଭଳି ତିନିଗୋଟି ଶ୍ରେଣୀକୁ ପର୍ଯ୍ୟାୟକ୍ରମେ ସହକାରୀ ଶିକ୍ଷୟିତ୍ରୀ ସୁକାନ୍ତି କର ଯାଇ ସମାନ ପ୍ରଶ୍ନ ପଚାରିବା ସହିତ ଯେଉଁ ଛାତ୍ରଛାତ୍ରୀମାନେ ପାଦଛୁଇଁ ପ୍ରଣାମ କରିନଥିଲେ ସେମାନଙ୍କୁ ବାଉଁଶ ବାଡିରେ ନିସ୍ତୁକ ପିଟିଚାଲିଥିଲେ। ଶିକ୍ଷୟିତ୍ରୀଙ୍କ ଆଖୁବୁଜା ମାଡରେ ଏକାଧିକ ଛାତ୍ରଛାତ୍ରୀ କ୍ଷତାକ୍ତ ହୋଇଥିବା ବେଳେ ଖବରଯାଇ ପହଞ୍ଚୁଥୁଲା ଅଭିଭାବକଙ୍କ ପାଖରେ।
ଏନେଇ ସ୍କୁଲପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ/ସଦସ୍ୟାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଘଟଣା ବାବଦରେ ପ୍ରଧାନଶିକ୍ଷକ ସଙ୍ଗେସଙ୍ଗେ ବେତନଟୀ ବ୍ଳକ ଶିକ୍ଷାଅଧୂକାରୀ ବିପ୍ଳବ କର ଏବଂ ପ୍ରତି ମାଦେଇପୁର କୃଷ୍ଟର ସିଆରସିସି ଦେବାଶିଷ ସାହୁଙ୍କୁ ଅବଗତ କରିଥିଲେ। ଘଟଣାର ଗୁରୁତ୍ଵ ଏବଂ ସମ୍ବେଦଶୀଳତାକୁ ଦୃଷ୍ଟିରେ ରଖ୍ ଶିକ୍ଷାଅଧିକାରୀ ବିପ୍ଳବ କର ଏବଂ ସିଆରସିସି ଶ୍ରୀଯୁକ୍ତସାହୁ ଖଣ୍ଡ ଦେଉଳା ସରକାରୀ ଉଚ୍ଚପ୍ରାଥମିକ ସ୍କୁଲରେ ପହଞ୍ଚି ତଦନ୍ତ କରିଥିଲେ।
ଏସଏମସି କମିଟିର କାର୍ଯ୍ୟକର୍ତ୍ତା, ଅଭିଭାବକ ଏବଂ ପ୍ରଧାନଶିକ୍ଷକ ସମେତ ଆହତ ଛାତ୍ରଛାତ୍ରୀଙ୍କ ସହିତ ଆଲଚୋନା କରିଥିଲେ। ତଦନ୍ତ ସମୟରେ ସହକାରୀ ଶିକ୍ଷୟିତ୍ରୀ ସୁକାନ୍ତି କର ପାଦ ଛୁଇଁ ପ୍ରଣାମ କରିନଥିବାରୁ ୬ଷ୍ଠ, ୭ମ ଏବଂ ୮ମ ଶ୍ରେଣୀର ମୋଟ ୩୧ଜଣ ଛାତ୍ରଛାତ୍ରୀଙ୍କୁ ପିଟିଥିବା ବାବଦ ଜଣାପଡିଥିଲା। ଶୁକ୍ରବାର ଖଣ୍ଡଦେଉଳା ସ୍କୁଲରୁ ସରଜମିନ ତଦନ୍ତ ପୂର୍ବକ ସମସ୍ତଙ୍କ ବୟାନନେଇ ପ୍ରତ୍ୟାବର୍ତ୍ତନ କରି ଜିଲ୍ଲାଶିକ୍ଷାଅଧୂକାରୀଙ୍କୁ ମଧ୍ୟ ସମସ୍ତ ଘଟଣା ବାବଦରେ ଅବଗତ କରିଥିଲେ ବେତନଟୀ ବ୍ଳକ ବିଇଓ ବିପ୍ଳବ କର। ଶେଷରେରେ ଶନିବାର ସନ୍ଧ୍ୟାରେ ଚିଠି ନଂ ୨୫୭୭(୧୩/୯/୨୫) ମାଧ୍ୟମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସମ୍ପୃକ୍ତ ସହକାରୀ ଶିକ୍ଷୟିତ୍ରୀ ସୁକାନ୍ତ କରଙ୍କୁ ଚାକିରିରୁ ନିଳମ୍ବନ କରିଛନ୍ତି ବିଇଓ ବିପ୍ଳବ କରl ତେବେ ଶିକ୍ଷୟିତ୍ରୀ ସୁକାନ୍ତ କରଙ୍କ ଆଖବୁଜା ମାଡ଼ରେ ଜଣେ ଛାତ୍ରଙ୍କହାତ ଫାଟିଯାଇଥିବା ବେଳେ ଏକାଧିକ ଛାତ୍ରଛାତ୍ରୀ କ୍ଷତାକ୍ତହୋଇ ଗୁରୁତର ଆହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି l
Mayurbhanj