ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ଗ୍ରାମର ଶିକ୍ଷକ ନାରାୟଣ ରଥଙ୍କ ଘରୁ ଆଜି ଦିନ ଦ୍ବିପହରରେ ତାଲା ଭାଙ୍ଗି ଲକ୍ଷା ଧିକ ଟଙ୍କାର ଚୋରି ହୋଇଥିବା ଜଣାପଡ଼ିଛି। ଖବର ପ୍ରଚାର ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଯାଇଛି।
ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ସଦର ଗ୍ରାମ ଜୁନାପାଣି ଯିବା ରାସ୍ତା ପାର୍ଶ୍ୱରେ ଥିବା ଶିକ୍ଷକ ନାରାୟଣ ରଥ ଶୁକ୍ରବାର ଦିନ ସ୍କୁଲ ଯାଇଥିବା ବେଳେ ତାଙ୍କ ପତ୍ନୀ ଦିନ ୧୨ଟା ସମୟରେ ଘରେ ଏବଂ ଦାଣ୍ଡ ଗେଟ୍ରେ ତାଲା ପକେଇ ଘର ନିକଟରେ ଥିବା ନିଜ ନଣନ୍ଦଙ୍କ ଘରେ ଏକ ପୂଜାରେ ଯୋଗ ଦେବାକୁ ଯାଇଥିଲେ। ପୂଜା ସାରି ଅପରାହ୍ନ ୪ଟା ସମୟରେ ଘରକୁ ଫେରି ଦାଣ୍ଡ ଗେଟ ତାଲା ଖୋଲିଥିବା ବେଳେ ଭିତର ପଟୁ କେହି ଗେଡା ଲଗେଇ ଦେଇଥିବାରୁ ଗେଟ ଖୋଲି ନଥିଲା।
ଏନେଇ ତାଙ୍କ ସ୍ୱାମୀଙ୍କୁ ଜଣାଇବା ପରେ ପରିବାର ଲୋକ କାନ୍ଥ ଡେଇଁ ଗେଟ ଖୋଲିଥିବା ବେଳେ ଘର କବାଟ ତାଲା ଭଙ୍ଗା ଯାଇଥିଲା। ଘରେ ଏକ ବ୍ୟାଗରେ ଏକ ଲକ୍ଷ ୬୦ ହଜାର ଟଙ୍କା ଏବଂ ଆଲମିରାରେ ଥିବା ୫୫ ଗ୍ରାମ ସୁନା ଅଳଙ୍କାରକୁ କେହି ନେଇ ଯାଇଥିବା ଦେଖିବାକୁ ପାଇଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ଆଜି ସନ୍ଧ୍ୟା ବସ୍ରେ ଭୁବନେଶ୍ୱରରେ ପାଠ ପଢ଼ୁଥିବା ପୁଅ ପାଖକୁ ଯିବାକୁ ରେଡି ହୋଇଥିଲେ।
ଏନେଇ ନାରାୟଣ ରଥ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିବା ଜଣା ପଡିଛି। ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ପ୍ରଶାନ୍ତ କୋଲାହର୍ଷ ପ୍ରକାଶ କରିଛନ୍ତି। ଦିନ ଦ୍ବିପହରରେ ଏଭଳି ଚୋରି ହେବା ଖବର ଶୁଣି ଲୋକଙ୍କ ମଧ୍ୟରେ ଭୟ ଦେଖା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/24/BF6upsJqxTsmEGtUYKUh.jpg)