ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗଡ଼ିବ ରେଳ। ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବ। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶୁକ୍ରବାର ମାଥିଲି ବ୍ଳକ କାର୍ଯ୍ୟାଳୟ ପରିସରରେ ଜୟପୁର ଠାରୁ ଭଦ୍ରାଚାଲାମ ରେଲୱେ ଜମି ଅଧିଗ୍ରହଣ ହୋଇଥିବା ଜମିର ମୂଲ୍ୟ ପ୍ରଥମ ପର୍ଯ୍ୟାୟରେ ମାଥିଲି ବ୍ଲକ ଏବଂ ଖଇରପୁଟ ବ୍ଳକର ଜମି ହରାଇଥିବା ଲୋକଙ୍କୁ ଦିଆଯାଇଛି।

Advertisment

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ  ବଳଭଦ୍ର ମାଝୀ , ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ,ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର,ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ଲୋକଙ୍କୁ କ୍ଷତିପୂରଣ ବଣ୍ଟନ କରିଥିଲେ। ଜିଲ୍ଲାରେ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ଆଜି ଜମି ହରେଇ ଥିବା କିଛି ଲୋକଙ୍କୁ କ୍ଷତିପୂରଣ ବାବଦକୁ ପ୍ରଥମ କିସ୍ତିରେ ଲୋକଙ୍କୁ କ୍ଷତିପୂରଣ ଦିଆଯାଇଛି।

ମାଲକାନଗିରି ଜିଲ୍ଲାର ଖଇରପୁଟର ୪ ଟି ହିତାଧିକାରୀଙ୍କ ଓ ମାଥିଲି ପଞ୍ଚାୟତର ୪୮ ହିତାଧିକାରୀଙ୍କୁ ରେଳ ପ୍ରକଳ୍ପ ଦ୍ଵାରା ଜମି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯାଇଛି। ୧୨ଏକର ୮୨ ସେଣ୍ଟ ଜମି ଅଧିକରଣ କରାଯାଇଛି ଯାହା ପାଇଁ ହିତାଧିକାରୀଙ୍କୁ ୨ କୋଟି ୪୫ ଲକ୍ଷ ୫୫ ହଜାର ୩୯୯ ଟଙ୍କା କ୍ଷତିପୂରଣ ବାବକୁ ଦିଆଯାଇଛି। ୮୦ କିମି ମାଲକାନଗିରି ଜିଲ୍ଲା ଦେଇ ଯାଉଥିବାରୁ ୪୨ ଟି ଗାଁରେ ଏହାର ପ୍ରଭାବ ପଡ଼ିବ।

ମାଥିଲି ବ୍ଲକର ୧୫ ଟି ଗାଁ ଓ ଖଇରପୁଟ ବ୍ଲକର ୧୩ ଓ ମାଲକାନଗିରି ବ୍ଲକର ୧୪ ଟି ଗାଁ ଦେଇ ଏହି ରେଳପଥଟି ଅତିକ୍ରମ କରିବ। ଏହି ଜମି ଅଧିଗ୍ରହଣ ପାଇଁ ୪୭୬ କୋଟି ଟଙ୍କା ଖର୍ଚ୍ଚ ହେବ। ଯାହାର ୧୫୦ କୋଟି ଟଙ୍କା ରେଳ ବିଭାଗ ଦେଉଥିବା ବେଳେ ବଳକା ଟଙ୍କା ସରକାର ଦେବେ। ୧୯୪୬ ଏକର ଏହି ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ବେଳେ ଏଥି ମଧ୍ୟରୁ ୭୧୪ ଏକର ବେସରକାରୀ ହୋଇଥିବା ସହ ୧୦୦୨ ଏକର ଜଙ୍ଗଲ ବିଭାଗର ଓ ୨୩୧ ଏକର ହେଉଛି ସରକାର ଜମି।

ପୂର୍ବ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ବେଳେ ଚଳିତ ଡବଲ ଇଞ୍ଜିନ ସରକାର ଏହାକୁ ପ୍ରାଧାନ୍ୟତା ଦେଇଛି ବୋଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ପ୍ରକାଶ କରିଥିଲେ। ୬ ମାସ ମଧ୍ୟରେ ଅଧିଗ୍ରହଣ ଜମିକୁ ରେଲୱେ ବିଭାଗକୁ ହସ୍ତାନ୍ତର କରି କାର୍ଯ୍ୟ ଆଗକୁ ନିଆଯିବ ବୋଲି କହିଥିଲେ। ସେପଟେ କଂଗ୍ରେସ ଏନେଇ ପ୍ରତିକ୍ରିୟା ରଖିଛି ଯେ ଲୋକଙ୍କୁ ଏକର ପିଛା କେତେ କ୍ଷତିପୂରଣ ଦିଆଯିବ ତାହା ସ୍ପଷ୍ଟ ହେଇନି ଏବଂ ସମ୍ପୁର୍ଣ୍ଣ ଲୋକଙ୍କୁ ବର୍ତ୍ତମାନ କ୍ଷତିପୂରଣ ଦିଆଯାଇନାହିଁ। ତେଣୁ ଏସବୁ ନ ହେବା ପର୍ଯ୍ୟନ୍ତ ଲୋକେ ସନ୍ଧେହ ଘେରରେ ରହିବେ। ଏହାକୁ ନେଇ ସ୍ପଷ୍ଟ ସୂଚନା ଦେବା ଉଚିତ ବୋଲି ବିରୋଧୀ କହିଛି।

Indian Railways | Malkangiri