ଭୁବନେଶ୍ବର: କେଉଁଠି ବନ୍ଧ ଭାଙ୍ଗିଲା, କେଉଁଠି ରାସ୍ତା ବୁଡ଼ିଲା ପୁଣି କେଉଁଠି ନଦୀ ଫୁଲି ଜନବସତି ମୁହାଁ ହେଲା । ନଈରେ ଘାଇ, ଗାଁରେ ପାଣି, ବୁଡିଛି ବିଲ, ଭାଙ୍ଗିଛି ଘର, ରାସ୍ତାରେ ଉପୁଡି ପଡିଛି ବଡ଼ ବଡ଼ ଗଛ । ମାଟି ଧସିଛି, ପଥର ଖସିଛି, ପାହାଡରୁ ମାଟି ମିଶା ପାଣି ମାଡି ଆସିଛି । ଲଗାଣ ବର୍ଷା ପରେ ବେହାଲ ହୋଇଛି ପୂରା ଦକ୍ଷିଣ ଓଡିଶା । ରେକର୍ଡ ବର୍ଷା ପରେ ରୌଦ୍ର ରୂପ ଦେଖାଇଛି ପ୍ରକୃତି ଆଉ ସଙ୍ଗୀନ ହୋଇଛି ସ୍ଥିତି । ଆଉ ପ୍ରଥମ ଥର ପାଇଁ ଓଡ଼ିଶାରେ ପାହାଡ଼ି ରାଜ୍ୟ ପରି ସ୍ଥିତି ଉପୁଜିଛି ।
ଯେଉଁ ଦୃଶ୍ୟ ଆମେ ଟିଭିରେ ଉତ୍ତରାଖଣ୍ଡ-ହିମାଚଳ ପ୍ରଦେଶ, ଜାମ୍ମୁକାଶ୍ମୀର ଭଳି ପାହାଡି ରାଜ୍ୟ ମାନଙ୍କରେ ଦେଖୁଥିଲୁ । ଠିକ୍ ସେମିତି ଭୟଙ୍କର ନହେଲେ ବି ସେହିପରି ଦୃଶ୍ଯ ଓଡିଶାରେ ଘଟୁଛି । ହିମାଳୟ ଅଞ୍ଚଳରେ ଯେମିତି ପ୍ରବଳ ବର୍ଷା, ବାଦଲ ଫଟା ବର୍ଷା ପରେ ସ୍ଥିତି ଅଣାୟତ୍ତ ହୁଏ ଏବଂ ଆବର୍ଜନା ପାଣି ମାଡି ଯାଇ ପ୍ରକୃତିର କରାଳ ରୂପ ଦୁନିଆ ଦେଖେ ଠିକ୍ ସେମିତି ଦକ୍ଷିଣ ଓଡିଶାର ପାହାଡି ଇଲାକାରେ ଲଗାଣ ବର୍ଷା ପରେ ସ୍ଥିତି ଠିକ୍ ସେମିତି ହୋଇଛି ଯାହା ଆମେ ବାହାର ରାଜ୍ୟରେ ଦେଖୁ ।
ଉପରୋକ୍ତ ଫଟୋକୁ ଦେଖନ୍ତୁ । ଗଜପତି ଜିଲ୍ଲାର ପାହାଡି ଅଞ୍ଚଳରେ ପ୍ରକୃତି ରଚିଥିବା ସେ ତାଣ୍ଡବକୁ ଟିକେ ଭଲକି ଦେଖନ୍ତୁ । ଏ ଦୃଶ୍ୟ ହୁଏତ ପାହାଡି ରାଜ୍ୟର ଲୋକଙ୍କ ପାଇଁ ସାମାନ୍ୟ କଥା ହୋଇପାରେ । ମାତ୍ର ଓଡିଶା ପାଇଁ ଏହ ବିରାଟ ଆହ୍ବାନ, ସଙ୍କଟର ସତର୍କ ଘଣ୍ଟି କହିଲେ ଅତ୍ୟୁକ୍ତି ହେବନି । କାରଣ ଏ ଦୃଶ୍ୟ ଉତ୍ତରାଖଣ୍ଡର ଥରାଲି ଏବଂ ଧରାଲିର ଦୃଶ୍ୟ ମନେପକାଇ ଦେଉଛି ।
ଗତମାସ ପ୍ରଥମେ କଳିଙ୍ଗାଘାଟିରେ ପ୍ରବଳ ବର୍ଷା କାରଣରୁ ଭସ୍କଳନ ଘଟିଥିବା ବେଳେ ସେଠାରେ ଏଯାଏଁ ସ୍ଥିତି ସୁଧୁରିନଥିବା ବେଳେ ଏବେ ପୁଣି ଗଜପତିରେ ଭୂସ୍କଳନ ଭୟ ବଢାଇଛି । ଗଜପତି ମୋହନାରେ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ମୋହନା ବ୍ଲକର ପାପାଏଜୁ ଗାଁ ନିକଟ ଘାଟିର ଦୁର୍ଗମା ପାହାଡ଼ରେ ଭୂସ୍ଖଳନ ହୋଇ ମାଟି ଅତଡ଼ା ଖସିଛି। ଫଳରେ ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଗତକାଲି ଠାରୁ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି ।
ସେପଟେ ଆପଣ ଯଦି ଦେଖିବେ ତେବେ ପୂର୍ବରୁ ଓଡିଶାରେ କେବେ ଭୂସ୍ଖଳନ କଥା ଶୁଣିବାକୁ ମିଳୁନଥିଲା । କାଁ କାଁ କେବେ କେଉଁଠି ବି କାଇଁ ହେଉନଥିଲା – ମାତ୍ର ଏବେ ଜଳବାୟୁର ପରିବର୍ତ୍ତନ ଏବଂ ବିକାଶ ନାଁରେ ଗଛକଟା, ରାସ୍ତା ତିଆରି ହିଁ ବିନାଶକୁ ଡାକି ଆଣୁଛି ବୋଲି କୁହାଯାଉଛି । ଆଉ ପ୍ରକୃତିର ଏ ତାଣ୍ଡବ ପାଇଁ ଏବଂ ବାରମ୍ବାର ଭୂସ୍ଖଳନ ପାଇଁ ମଣିଷ ଦାୟୀ ବୋଲି ବି ପରିବେଶବିତମାନେ ଅଭିଯୋଗ ଆଣୁଛନ୍ତି ।