ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଗତକାଲି ପୁରୀରେ ରଥ ଟଣାରେ ବିଳମ୍ବ ସହ ପ୍ରଭୁ ଜଗନ୍ନାଥଙ୍କ ନନ୍ଦଘୋଷ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୟନ ଉପରେ ରାଜ୍ୟ ସରକାର ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟ ସରକାରରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିରୋଧୀ କୁତ୍ସିତ ରାଜନୀତି କରୁଛନ୍ତି।
ଆଇନ୍ ମନ୍ତ୍ରୀ କହିଛନ୍ତି, ଜଣ୍ଡିସ ହୋଇଥିବା ଲୋକଙ୍କୁ ମହାପ୍ରଭୁଙ୍କ ଲୀଳା ରାଜନୀତି ପରି ଲାଗୁଛି। କିନ୍ତୁ ମନେ ରଖିବା ଉଚିତ ଯେ, ଅତୀତରେ ସେମାନେ ତ୍ରୁଟି କରି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି। ମୋ ଦେଖିବାରେ ୧୯୭୭ ଠାରୁ ଆଜି ଯାଏଁ ପ୍ରଥମ ଦିନରେ ତିନି ରଥ ପହଞ୍ଚି ନାହିଁ। ଅଧିକାଂଶ ବର୍ଷ ରଥ ଦ୍ବିତୀୟ ଦିନରେ ଶରଧାବାଲିରେ ପହଞ୍ଚିଥାନ୍ତି। ଯେଉଁମାନେ ରାଜନୀତି କରୁଛନ୍ତି, ଆଜି ନ ହେଲେ କାଲି ଭୋଗିବେ।
ଗତକାଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଥିଲେ, ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା। ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା। କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଥିଲା। ସେହିପରି ଅନୁକୂଳ ପାଗ ଯୋଗୁଁ ରଥଯାତ୍ରାରେ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆଶା ଅନୁସାରେ ଏଥର ଅଧିକ ଲୋକ ହୋଇଥିଲେ। ବିଧି ରକ୍ଷା କରି ନନ୍ଦିଘୋଷ ରଥ ଟଣା ଯାଇଥିଲା।
ଗତକାଲି ତିନି ରଥ ଟଣାରେ ବିଳମ୍ବ ସହ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ହିଁ ଛିଡା ହୋଇ ରହିବା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି। ନବୀନ ଉଲ୍ଲେଖ କରିଛନ୍ତି, 'ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ'କରି ରହି ହେଉନାହିଁ। ଗତବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ ଆମେ କେହି ଭୁଲି ପାରୁନାହୁଁ; ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା।
ଏବର୍ଷ, ସମସ୍ତେ ଦେଖିଲେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିଥିଲା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର୍ ଗଡ଼େଇ ଦିଆଗଲା। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷଲକ୍ଷ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ନିରାଶ ଓ ହତାଶ କରିଛି। ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ଶହ ଶହ ଭକ୍ତ ଆହତ ହୋଇଛନ୍ତି। ଆମେ କେବଳ ଏତିକି ପ୍ରାର୍ଥନା କରିପାରିବା: ରଥଯାତ୍ରାର ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ବିଭ୍ରାଟ ତଥା ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ। ମୁଁ ଆଶା କରିବି ଏହି ଘଟଣା ସରକାରରେ ଥିବା ସମସ୍ତଙ୍କ ମନରେ ଗଭୀର ଆତ୍ମଚିନ୍ତନ ଆଣିବ। ଚକା ଆଖି ସବୁ ଦେଖୁଛି।
rath yatra | BJD | BJP