ଦଶପଲ୍ଲା: ବସ୍ ଖରାପ ଥିବା ଖବର ପାଇ ଏକ ବାଇକ୍‌ ଯୋଗେ ଯାଉଥିଲେ। ହେଲେ ବାଟରେ ଛକି ବସିଥିଲା ଯମ। ଏକ ଗଛରେ ପିଟି ହୋଇ ଘଟଣାସ୍ଥରେ ଆଖି ବୁଜିଛନ୍ତି ଲକ୍ଷ୍ମୀ ବସ୍ ମ୍ୟାନେଜର ଓ ସୁପରଭାଇଜର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ଦଶପଲ୍ଲା ଘୁଗୁଡ଼ିପଡ଼ା ରାସ୍ତାର ନଛିପୁରସ୍ଥିତ ଏକ ରାଇସମିଲ୍ ନିକଟରେ ଅପରାହ୍ଣରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ଓଡ଼ଗାଁ ଥାନା ଅଧୀନସ୍ଥ ଦଲକ ଗ୍ରାମର ମ୍ୟାନେଜର ସୂର୍ଯ୍ୟକାନ୍ତ ବେହେରା (୨୭) ଏବଂ ମଧ୍ୟଖଣ୍ତ ଗ୍ରାମର ସୁପରଭାଇଜର ଜ୍ଞାନ ରଞ୍ଜନ ସାହୁ(୨୫)। ଖବରପାଇ ପୁଲିସ ପହଞ୍ଚି ଉଭୟ ମୃତଦେହକୁ ଜବତ କରିଛି। 

Advertisment

ମିଳିଥିବା ସୂଚନା ଅନୁଯାୟୀ ଘୁଗୁଡ଼ିପଡ଼ା ଅଭିମୁଖେ ଯାଉଥିବା ଏକ ଲକ୍ଷ୍ମୀ ବସ୍‌ ବାଟରେ ଖରାପ ହୋଇଯାଇଥିଲା। ଏହି ଖବର ପାଇଲା ପରେ ସୂର୍ଯ୍ୟକାନ୍ତ  ରଂଜନ ଏକ ବାଇକ୍‌ ଯୋଗେ ଘଟଣାସ୍ଥଳକୁ ଯାଉଥିଲେ। ମାତ୍ର ଅସାବଧାନତା ହେତୁ ସେମାନେ ରାସ୍ତାକଡ଼ରେ ଥିବା ଏକ ଗଛରେ ଧକ୍କା ହୋଇଥିଲେ। ଉଭୟ ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଖବରପାଇ ଥାନା ଅଧିକାରୀ ମୁକେଶ ବେହେରା ଘଟଣାସ୍ଥଳରେ ପହଞ୍ଚି ମୃତେଦହ ଓ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି। ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି।