ଭୁବନେଶ୍ୱର: ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି।

Advertisment

ବିରୋଧୀ ଦଳ ନେତା ଲେଖିଛନ୍ତି, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତଦ୍‌ଜନିତ କଷଣର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଦୁଃଖର ସହ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। କୃଷି ହେଉଛି ଓଡିଶାର ଜୀବନ ରେଖା । ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀମାନଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି ।

 ୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୁର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରତିଶ୍ରୁତି ଦିଆ ଯାଇଥିଲା । କିନ୍ତୁ ବାସ୍ତବ ସ୍ଥିତି  ହେଉଛି ଯେ ରାଜ୍ୟରେ ଥିବା ମଣ୍ଡି ଗୁଡିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟି ଯାଇଛି। ମୁଁ  ନିମ୍ନଲିଖିତ  ଗୁରୁତ୍ୱପୂର୍ଣ୍ଣ  ବିଷୟ ଗୁଡିକରେ ଆପଣଙ୍କର ଜରୁରୀ ହସ୍ତକ୍ଷେପ ଆଶା କରୁଅଛି ।

କଟନୀ-ଛଟନୀ :
    ଅନ୍ନଦାତା ମାନଙ୍କଠାରୁ ବିନା କୌଣସି ଅସୁବିଧାରେ ଧାନ ସଂଗ୍ରହ କରିବାକୁ ଆପଣଙ୍କ ସରକାର ପ୍ରତିଶ୍ରୁତି ଦେଇଥିବା ସତ୍ୱେ ଆଦ୍ରତା ଓ ନିମ୍ନ ମାନର ଧାନ ଆଦି ବିଭିନ୍ନ ଆଳରେ ସେମାନଙ୍କ ଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀ-ଛଟନୀ କରିବା ପରିତାପର ବିଷୟ । ଅନେକ ଜିଲ୍ଲାରେ ଏଭଳି ଶୋଷଣ ଚାଷୀ ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି  ।  ମିଲର  ଓ  ସ୍ଥାନୀୟ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି । ନିର୍ବାଚନ ସମୟରେ ବିଜେପି ଦେଇଥିବା ମିଥ୍ୟା ପ୍ରତିଶ୍ରୁତିର ଏହା ଏକ ଉଦାହରଣ ନୁହେଁ କି ?   କେବେ ଏ କଟନୀ-ଛଟନୀ ବନ୍ଦ ହେବ ? ଆପଣଙ୍କ ସରକାର ନିର୍ବାଚନ ପ୍ରତିଶ୍ରୁତି କେବେ ପାଳନ କରିବ ? ନିର୍ବାଚନ ଇସ୍ତାହାର ମୁତାବକ ଚାଷୀ କେବେ ନ୍ୟାୟ ପାଇବ ?

ଆହୁରି ପଢନ୍ତୁ Minor Rape ତିବ୍ବତୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ


ଇନପୁଟ ସବ୍‌ସିଡି ପ୍ରଦାନ ପାଇଁ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌ :
   

ରାଜ୍ୟର ସବୁ ଚାଷୀ ଭାଇ ଭଉଣୀଙ୍କୁ କ୍ୱିଣ୍ଟାଲ ପିଛା ଇନପୁଟ୍‌ ସବ୍‌ସିଡି ୮୦୦ ଟଙ୍କା ଲେଖାଏଁ ଦେବା ପାଇଁ ବିଜେପି ସରକାର ଘୋଷଣା କରିଥିଲେ । କିନ୍ତୁ ନିକଟରେ ଆପଣଙ୍କ ସରକାର ଏହି ସବ୍‌ସିଡି ପାଇଁ ଚାଷୀ  ପିଛା  ସର୍ବାଧିକ  ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌ ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଭଙ୍ଗର ନିଛକ ଉଦାହରଣ । ଏହି ସିଲିଙ୍ଗ୍‌ ଅଧିକ ଉତ୍ପାଦନ କରୁଥିବା ଚାଷୀ ମାନଙ୍କ ପାଇଁ ଦଣ୍ଡ ସ୍ୱରୁପ ଏବଂ ଏହା ବିଜେପେ ସଂକଳ୍ପ ପତ୍ରର ବିରୁଦ୍ଧାଚରଣ କରୁଛି। ଚାଷୀଙ୍କୁ ସେମାନଙ୍କର ସମଗ୍ର ଉତ୍ପାଦନ ଉପରେ ୩୧୦୦ ଟଙ୍କା ଇନପୁଟ୍‌ ସବ୍‌ସିଡି ଦେବା ପାଇଁ ଘୋଷଣାରୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ? ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଭାରତ ସରକାର ଧାନର ସଂଗ୍ରହ ମୂଲ୍ୟରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି । ଓଡିଶାର ଚାଷୀଙ୍କୁ ଏହି ବର୍ଦ୍ଧିତ ୬୯ ଟଙ୍କା ନ ଦେବା ଏକ ପ୍ରତାରଣା ନୁହେ କି ?  

ମଣ୍ଡି ଗୁଡିକରେ ଅବ୍ୟବସ୍ଥା :
    ଦୁଃଖର ସହ ଜାଣାଇବାକୁ ଚାହେଁ ଯେ ଧାନ ମଣ୍ଡି ମାନଙ୍କରେ ସଂଗ୍ରହ ପ୍ରକ୍ରିୟା ଆଶ୍ଚର୍ଯ୍ୟଜନକ ଭାବରେ ମନ୍ଥର ଗତିରେ ଚାଲିଛି । ତେଣୁ ଧାନକୁ କାକର ଓ ଚୋରୀରୁ ରକ୍ଷା କରିବା ପାଇଁ ଚାଷୀ ମାନଙ୍କୁ ରାତିସାରା ଜଗି ରହିବାକୁ ପଡୁଛି । ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧାର ଅଭାବ, ଟୋକନ ବ୍ୟବସ୍ଥାରେ ବିଫଳତା ଏବଂ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଆଦି ସମସ୍ୟା ଚାଷୀ ମାନଙ୍କୁ ଆନ୍ଦୋଳନାତ୍ମକ ମାର୍ଗ ବାଛିବାକୁ ବାଧ୍ୟ କରୁଛି । ଉଲ୍ଲେଖଯୋଗ୍ୟ ଯେ ବିଜେପି ନିର୍ବାଚନୀ ଇସ୍ଥାହାରର ଦୁଇ ନମ୍ବର ପଏଣ୍ଟରେ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରାପ୍ୟ ଦେବା ପାଇଁ କୁହା ଯାଇଥିଲା, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଚାଷୀମାନଙ୍କୁ ସେମାନଙ୍କର ହକ୍‌ ପାଇବାକୁ ଏକ ସପ୍ତାହରୁ ଅଧିକ ସମୟ ଲାଗୁଛି। ଏହା ବିଜେପିର ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ନୁହେ କି ?

ଅଭାବୀ ବିକ୍ରି :
    କଟନୀ-ଛଟନୀ, ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌ ଏବଂ ଧାନ ସଂଗ୍ରହ ଓ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି, ଯାହା ଦ୍ୱାରାକି ଚାଷୀମାନେ ଅସାଧୁ ବ୍ୟବସାୟୀ ଓ ମିଲର ମାନଙ୍କ ଶୋଷଣର ଶୀକାର ହେଉଛନ୍ତି । ଚାଷୀକୁ ତାର ଋଣ ପରିଶୋଧ କରିବା ପାଇଁ ବାଧ୍ୟ ହୋଇ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ବହୁତ କମ୍‌ ଦରରେ ଧାନ ବିକିବାକୁ ପଡୁଛି ।

   
ଓଡିଶାର ଚାଷୀ କାହାର ଦୟା ଚାହାନ୍ତି ନାହିଁ । ସେମାନେ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ସେମାନଙ୍କ ହକ୍‌ ଚାହାନ୍ତି । ଅନ୍ନଦାତା ସମ୍ମାନର ପାତ୍ର । ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି  ନିମ୍ନୋକ୍ତ  ପଦକ୍ଷେପ  ତୁରନ୍ତ  ନେବା  ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି ।

୧. କଟାନୀ-ଛଟନୀ ବନ୍ଦ କରିବା ପାଇଁ ତୁରନ୍ତ ମଣ୍ଡି ଗୁଡିକରେ ସ୍ପେଶାଲ ସ୍କ୍ୱାର୍ଡ ନିୟୋଜିତ କରାଯାଉ ଏବଂ ଦୋଷୀ ମିଲ୍‌ ମାଲିକ ଓ ସରକାରୀ ଅଫିସରଙ୍କ ବିରୁଦ୍ଧରେ 
    ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
୨. ଇନପୁଟ୍‌ ସବ୍‌ସିଡି ପ୍ରଦାନ ପାଇଁ ରଖାଯାଇଥିବା ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌  ସର୍ତ୍ତ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ରେଜେଷ୍ଟ୍ରିଭୁକ୍ତ ସବୁ ଚାଷୀଙ୍କ ଠାରୁ ସବୁ ଧାନ କିଣାଯାଉ।
୩. ବିଜେପିର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ସବୁ ଚାଷୀଙ୍କୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ । 
୪. ୭୨ ଘଣ୍ଟା ମଧ୍ୟରେ ମଣ୍ଡି ଗୁଡିକରେ ଖୋଲାରେ ପଡିଥିବା ସବୁ ଧାନ ଶତ ପ୍ରତିଶତ ଉଠାଯାଉ ।

ଚାଷୀ ମାନଙ୍କର ଅଭିଯୋଗଗୁଡିକର ସମାଧାନରେ ସରକାରଙ୍କ ବିଫଳତା ସାରା ରାଜ୍ୟରେ ଚାଷୀ ଆନ୍ଦୋଳନକୁ ତୀବ୍ର କରୁଛି । ମୁଁ ଆଶା କରୁଛି ଆପଣଙ୍କ ସରକାର ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ ପାଇଁ ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ନେବ ଏବଂ ନିର୍ବାଚନ ସମୟରେ ଚାଷୀ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ।