କଟକ: ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା କେତେକ ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ପାଇଁ ଡକା ନଯିବା ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀଙ୍କୁ ଶାରୀରିକ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ। ପୂର୍ବରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ଆବେଦନକାରୀ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ କମିସନ ନିକଟରେ ଦାଖଲ କରିବେ।
କମିସନ ଜବାବକୁ ବିଚାରକୁ ନେଇ ଏହି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରିବା ପର୍ଯ୍ୟନ୍ତ ୩୩୭ଟି ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦ ପୂରଣ କରାଯିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ବପ୍ନେସ କୁମାର ମହାପାତ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢିବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର ହୋଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଏହି ସବୁ ପଦ ପୂରଣ ପାଇଁ ୨୦୨୩, ଅକ୍ଟୋବର ୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନକାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ତାଙ୍କୁ ଫେବ୍ରୁଆରି ୨୦ରେ କମିସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କଂପ୍ୟୁଟର ଆଧାରିତ ପରୀକ୍ଷାରେ ଅସତ ଉପାୟ ଅବଲମ୍ବନ କରାଯାଇଥିବା
ଅଭିଯୋଗ ଉପରେ ଜବାବ ଦେବାକୁ ଆବେଦନକାରୀଙ୍କୁ କମିସନ ନିର୍ଦ୍ଦେଶ ଦେଇଥିଲେ। ପ୍ରାର୍ଥୀଙ୍କ ପରୀକ୍ଷାଫଳ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ନେଇ କମିସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଅନ୍ୟପକ୍ଷରେ ମାର୍ଚ୍ଚ ୩ରୁ ଅନ୍ୟ ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କମିସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଆବେଦନକାରୀଙ୍କୁ ଶରୀରିକ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯାଇ ନଥିଲା। ଏହାକୁ ନେଇ କେତେକ ପ୍ରାର୍ଥୀ ହାଇକୋର୍ଟରେ ପୃଥକ ଆବେଦନ ଦାୟର କରିଥିଲେ। ଶ୍ରୀ ମହାପାତ୍ରଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ ଓ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।
ସିପାହି/କନଷ୍ଟେବଳ ନିଯୁକ୍ତି ମାମଲା
ସିପାହି/କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ଆଶାୟୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ନିଯୁକ୍ତି ପ୍ରକ୍ରିୟାରେ ପ୍ରଥମରୁ ଅଂଶଗ୍ରହଣ କରି ଚୂଡାନ୍ତ ଚୟନ ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀ ଆଶଙ୍କା କରିଥିଲେ ଯେ ବୟସ ସୀମା କୋହଳ ପରେ ସେମାନଙ୍କ ନିଯୁକ୍ତି ପ୍ରସଂଗ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଭଳି ପ୍ରାର୍ଥୀଙ୍କ ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ପୂର୍ବ ଚୟନ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ନିଯୁକ୍ତି ପ୍ରଦାନ କରାଯିବ। ବୟସ ସୀମା କୋହଳର ସୁବିଧା ପାଇ ନିଯୁକ୍ତି ପ୍ରକ୍ରିୟାରେ ଅଂଶ ଗ୍ରହଣ କରି କୃତିତ୍ବ ହାସଲ କରିଥିବା ପ୍ରାର୍ଥୀଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ବୟସ ସୀମା କୋହଳ ପରେ ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ପାଇଁ ପୂର୍ବ ତାଲିକାର ପ୍ରାର୍ଥୀ ପ୍ରଭାବିତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଆଡଭୋକେଟ ଜେନେରାଲ ଦର୍ଶାଇଥିଲେ। ଆଡଭୋକେଟ ଜେନେରାଲଙ୍କ ଯୁକ୍ତିକୁ ବିଚାରକୁ ନେଇ ହାଇକୋର୍ଟ ଏ ସଂପର୍କିତ ମାମଲା ଗୁଡ଼ିକର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶାଶ୍ବତ ଦେବପ୍ରିୟ ପ୍ରଧାନ ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟରେ ଏ ସଂପର୍କିତ ମାମଲା ଗୁଡ଼ିକର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ସିପାହି/କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପଥ ପରିଷ୍କାର ହୋଇଛି।
Cuttack
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/31/AHrIWRi0nUB2qMMsIlHQ.jpg)