ଭୁବନେଶ୍ବର: ପୁଲିସ ଏସ୍‌ଆଇ ପରୀକ୍ଷା ଅନିୟମିତତା ମାମଲା ନେଇ  ଦୁଇ ଜଣ ଫେରାର ଅଭିଯୁକ୍ତଙ୍କ ନାଁରେ ଲୁକ ଆଉଟ୍ ସର୍କୁଲାର ଜାରି ହୋଇଛି। ବ୍ୟୁରୋ ଅଫ୍‌  ଇମିଗ୍ରେସନ୍‌କୁ ଏନେଇ ଅବଗତ କରାଯାଇଛି। ଅଭିଯୁକ୍ତମାନେ କେଉଁ  ରାଜ୍ୟରେ ଲୁଚିଛନ୍ତି ତାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଖୋଳତାଡ଼ କରୁଛି।  

Advertisment

ସେହିପରି କ୍ରାଇମ୍‌ବ୍ରାଞ୍ଚ ୭ରୁ ୮ଜଣକ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଜବତ୍ କରିଛି। ଦଲାଲ ମୁନା ମହାନ୍ତି ଓ ଶଙ୍କର ପୃଷ୍ଟି ସମେତ ଅନ୍ୟମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଜବତ୍ କରାଯାଇଛି। ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ନେଇ ତଦନ୍ତକାରୀ ଟିମ୍ ସୂଚନା ଦେଇଛି। କ୍ରାଇମ୍‌ବ୍ରାଞ୍ଚ ଏବେବି ୭ଟି ରାଜ୍ୟକୁ ଯାଇ ଖୋଳତାଡ ଜାରି ରଖିଛି। ଯେହେତୁ ଏହି ମାମଲା ପଛରେ ଅନ୍ତ ରକ୍ଷା ଲିଙ୍କ୍ ରହିଛି ତେଣୁ ରାଜ୍ୟ ବାହାରକୁ ଟିମ୍ ଯାଇ ଖୋଳତାଡ଼ କରୁଛି।  

ପୁଲିସ ଏସ୍‌ଆଇ ପରୀକ୍ଷା ଅନିୟମିତତା ସାମନାକୁ ଆସିବା ପରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ବ୍ରହ୍ମପୁର ପୁଲିସକୁ ସୂଚନା ଦେଇଥିଲା। ବ୍ରହ୍ମପୁର ପୁଲିସ  ସୂଚନା ଆଧାରରେ ରାଜ୍ୟ ବାହାରେ ଚଢ଼ଉ ହୋଇଥିଲା। ଅଧିକ ଅନୁସନ୍ଧାନ ଲାଗି  ବୋର୍ଡ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଲାଗି ଜଣାଇଥିଲେ।

ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ଖୋଳତାଡ଼ କରୁଥିଲା। ୧୧୭ ଜଣକୁ ଗିରଫ କରାଯାଇଥିବା ବେଳେ ୧୧୪ ଜଣ ହେଉଛନ୍ତି ଆଶାୟୀ। ଯେଉଁମାନେ ଏସ୍‌ଆଇ ପରୀକ୍ଷାରେ ଭାଗନେବା ଲାଗି ରାଜ୍ୟ ବାହାରକୁ ଯାଉଥିଲେ। ପରେ ଏହି ଘଟଣାର ଖୋଳତାଡ ପରେ ଅଧିକାଂଶ ପିଲା ବଣିକ କୋଚିଂ ସେଣ୍ଟର ନା କହିବାରୁ ନିକଟରେ କ୍ରାଇମବ୍ରାଞ୍ଚ ଟିମ୍ ଉକ୍ତ ଶିକ୍ଷାନୁଷ୍ଠାନ ଉପରେ ଚଢ଼ଉ କରିଥିଲା। ଘରୋଇ କୋଚିଂ ସେଣ୍ଟରର ତିନି ଜଣଙ୍କୁ ନୋଟିସ୍‌ କରାଯାଇଥିଲା, ଯେଉଁଥିରେ ସେମାନେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ। ଏବେ ଏହି ମାମଲା ନେଇ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଜାରି ରଖିଛି। 

ସୂଚନାଯୋଗ୍ୟ, ଗତମାସ ପୁଲିସ ଚାକିରିରେ ଜାଲିଆତି ସୁରକ୍ ମିଳିଥିଲା। ପ୍ରଶ୍ନପତ୍ର ଲିକ୍ ବଡ଼ ଯୋଜନା ପଣ୍ଡ କରିଥିଲା ବ୍ରହ୍ମପୁର ପୁଲିିସ। ​​​​​​​ସେପ୍ଟେମ୍ବର ୨୯ ତାରିଖ ରାତିରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଠାଇ ଆଣିଥିଲା ପୁଲିସ। ତେବେ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାନ୍ତା। ପ୍ରଶ୍ନ ଉତ୍ତର ଅଭ୍ୟାସ ପରେ ସେମାନଙ୍କୁ ଆଣି ପରୀକ୍ଷା କେନ୍ଦ୍ରରେ ଛାଡ଼ିବାକୁ ଯୋଜନା ହୋଇଥିଲା। ଏଥିପାଇଁ ମୋଟା ଅଙ୍କର ଅର୍ଥ ପରୀକ୍ଷାର୍ଥୀଙ୍କ ଠାରୁ ନିଆଯାଇଥିବା ଚର୍ଚ୍ଚା ହେଉଛି। ହେଲେ ସେମାନେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ଆଣିଥିଲା।