ଅନୁଗୁଳ: ଅନୁଗୁଳ ଲୋକଙ୍କ ଭାବାବେଗ ସହିତ ଜଡିତ ଶୈଳ ଶ୍ରୀକ୍ଷେତ୍ରକୁ ବି ଛାଡିଲେନି ଲୁଟେରା। ଅଧ ରାତିରେ ମନ୍ଦିର ଭିତରେ ପ୍ରବେଶ କରି ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିଥିବା ଗର୍ଭଗୃହରେ ପଶି ଠାକୁରଙ୍କର ତିନି ଚିତା ଲୁଟି ସହଜରେ ଚମ୍ପଟ ମାରିଛନ୍ତି। ଆଉ ଅନୁଗୁଳ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ଏହି ଲୁଟେରା ଗ୍ୟାଙ୍ଗ।

Advertisment

ସୂଚନା ମୁତାବକ, ଗତକାଲି ରାତିରେ ମନ୍ଦିରର ପୂଜାରୀଙ୍କ ସହିତ ସୁରକ୍ଷା କର୍ମୀ ମନ୍ଦିରର ଫାଟକ ବନ୍ଦ କରି ଯାଇଥିଲେ। ବିଳମ୍ବିତ ରାତିରେ ଠାକୁରଙ୍କ ରୋଷ ଭୋଗ ଗୃହ ନିକଟ ଫାଟକ ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ। ସେଠାରେ ଥିବା ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥ ଲୁଟ କରିଥିବା ବେଳେ ତିନି ଠାକୁରଙ୍କ ଠାରେ ଲାଗିଥିବା ସୁନା ଚିତା ନେଇ ଖସି ପଳାଇଥିଲେ। ସେଠାରେ ଲୁଟପାଟ ହୋଇଥିଲେ ମଧ୍ୟ କେହି ଟିକେହେଲେ ସୁରାକ ପାଇନଥିଲେ। 

ଆଜି ସକାଳୁ ମନ୍ଦିର ନୀତି ପାଇଁ ପୂଜକ ଦ୍ୱାର ଭଙ୍ଗା ଯାଇଥିବା ଦେଖି ମନ୍ଦିର ପ୍ରଶାସନକୁ ଖବର ଦେଇଥିଲେ। ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଡଗ ସ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ଆସି ଘଟଣାର ଛାନଭିନ୍ ଆରମ୍ଭ କରିଛି। 
ସୂଚନାଯୋଗ୍ୟ ଯେ, ମନ୍ଦିରରେ ସିସି କ୍ୟାମେରା ଲାଗିଥିବା ବେଳେ ତାହା ୨ବର୍ଷ ହେଲା ଅଚଳ ରହିଥିଲା। ଫଳରେ ଏହାର ସୁଯୋଗ ନେଇ ଲୁଟେରାମାନେ ଲୁଟପାଟ କରି ସହଜରେ ଖସିଯାଇଥିବା କୁହାଯାଉଛି। ତେବେ ଶୈଳ ଶ୍ରୀକ୍ଷେତ୍ରରେ ଏହି ଲୁଟାପାଟ ଶ୍ରଦ୍ଧାଳୁମାନଙ୍କ ମନରେ ଗଭୀର ଆଘାତ ଦେଇଛି।