ମାଲକାନଗିରି: ଗାଁକୁ ଜିଲ୍ଲା ସହ ଯୋଡିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ନିର୍ମାଣ କରୁଛନ୍ତି ରାସ୍ତା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆଗାମୀ ଦିନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଚିତ୍ରକୋଣ୍ଡା ବ୍ଲକର ୬ ଗୋଟି ପଂଚାୟତବାସୀଙ୍କୁ। ନିମ୍ନମାନର କାର୍ଯ୍ୟକୁ ଅଭିଯୋଗ କରିବାରୁ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଉଛନ୍ତି ଠିକାଦାର ଆଉ ବିଭାଗୀୟ ଯନ୍ତ୍ରୀ। ଅନ୍ୟପଟେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ।  

Advertisment

ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ ଗୋଟି ପଞ୍ଚାୟତରେ ବସବାସ କରୁଥିବା ଲୋକେ ଦୀର୍ଘ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଆସୁଥିଲେ। ଗାଁକୁ ରାସ୍ତାର ସଂଯୋଗ ହୋଇପାରୁନଥିବାରୁ ବିଭିନ୍ନ ସମସ୍ୟାରେ ଜୀବନ ଅତିବାହିତ କରୁଥିଲେ। ମାଓବାଦୀଙ୍କ ପତିଆରା କମିବା ପରେ ଆରମ୍ଭ ହୋଇଛି ଚିତ୍ରକୋଣ୍ଡା ଅଞ୍ଚଳରେ ବିକାଶଧାରା। ଗାଁରୁ ପଞ୍ଚାୟତକୁ ରାସ୍ତାର ସଂଯୋଗ ହେବା ସହ ଜିଲ୍ଲାକୁ ମଧ୍ୟ ଯୋଡି ହେବାରେ ଲାଗିଛି। ବିକାଶ ମୂଳକ କାର୍ଯ୍ୟ ଦ୍ରୁତ ଗତିରେ ମାଡି ଚାଲିଛି ଘାଟି ଅଞ୍ଚଳକୁ। ଦୁର୍ଗମ ପାପୁଲୁର ଠାରୁ ବ୍ଲକକୁ ସଂଯୋଗ ପାଇଁ ଆରମ୍ଭ ହୋଇଛି ରାସ୍ତାର କାର୍ଯ୍ୟ।

ଏହି ରାସ୍ତା ଜିଲ୍ଲା ଓ ବ୍ଲକକୁ ସଂଯୋଗ କରୁଥିବା ବେଳେ ସ୍ୱାସ୍ଥ୍ୟସେବା ସେବା ଠାରୁ ଆରମ୍ଭ କରି ଦୈନିକ ବ୍ୟବହୃତ ସାମଗ୍ରୀ ପାଇଁ ଚିତ୍ରକୋଣ୍ଡାକୁ ଯିବାକୁ ପଡ଼େ ୬ ଗୋଟି  ପଂଚାୟତବାସୀଙ୍କୁ। କିନ୍ତୁ ରାସ୍ତାର କାର୍ଯ୍ୟ ସଠିକ ରୂପେ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ। ରାସ୍ତା କାମରେ ନିମ୍ନମାନର କଞ୍ଚାମାଲ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ ପିଚୁ ପଡିବାର ୭୨ ଘଣ୍ଟା ନପୁରୁଣୁ ଉଠି ଯାଉଛି ରାସ୍ତାରୁ ପିଚୁ।

ସ୍ଥାନୀୟ ଲୋକେ ନିମ୍ନମାନର ରାସ୍ତା କାର୍ଯ୍ୟ ପାଇଁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିବାରୁ ନାଲି ଆଖି ଦେଖାଉଥିବା କହିଛନ୍ତି ପାପୁଲୁର ବାସିନ୍ଧା।

publive-image

ଅନ୍ୟପଟେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନାର ଶୁଭାରମ୍ଭ ବି କରୁଛନ୍ତି ଏହି ଜିଲ୍ଲାରୁ। କିନ୍ତୁ କିଛି ବିଭାଗୀୟ ଅଧିକାରୀମାନଙ୍କ ମନମୁଖୀ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟରେ ଉପୁଜୁଛି ବାଧା। କିଛି ବର୍ଷ ତଳେ ପାପୁଲୁର ଓ ଚିତ୍ରକୋଣ୍ଡାକୁ ସଂଯୋଗ କରିବା ପାଇଁ ମୁଖ୍ୟ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା ନିର୍ମାଣ କରାଯାଇଥିଲା। ନିମ୍ନମାନର କାର୍ଯ୍ୟ ହେବା ଦ୍ଵାରା ରାସ୍ତାରୁ ସମ୍ପୂର୍ଣ ପିଚୁ ଉଠି ଯାଇଛି। ପୁନର୍ବାର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ, ପୂର୍ବ ପରି ନିମ୍ନ ମାନର କାର୍ଯ୍ୟ କରାଯାଉଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏହିଭଳି କାର୍ଯ୍ୟ ଚାଲିଛି ଏବଂ କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ କରାଯିବା ସହ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ପାଇଁ ଆହ୍ଵାନ ଦେଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଏହି ରାସ୍ତା ବ୍ୟତିତ ଯୋଗାଯୋଗ ପାଇଁ ଅନ୍ୟ କୌଣସି ରାସ୍ତା ନଥିବା ଯୋଗୁଁ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଅଂଚଳ ବାସିନ୍ଦାଙ୍କୁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । 

 Malkangiri | Road construction