ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ କେନାଭେଟା ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମ ୧୪୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ବଲାଣୀପାଟଙ୍କ ଦ୍ଵି ବାର୍ଷିକ ପୂଜା ରବିବାର ଦିନ ଧୁମଧାମରେ ପାଳିତ ହେଇଛି। ପ୍ରତ୍ୟେକ ଦୁଇ ବର୍ଷ ବ୍ୟବଧାନରେ ଥରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ମା ବଲାଣି ପାଟ ପୂଜା କମିଟି ପକ୍ଷରୁ ସଭାପତି ନିତ୍ୟାନନ୍ଦ ବେହେରାଙ୍କ ନେତୃତ୍ବରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା।

Advertisment

ଏଥିରେ ୮ ଗୋଟି ଗ୍ରାମର ଲୋକଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଏହି ଅଞ୍ଚଳର ପ୍ରତ୍ୟକ୍ଷ ଠାକୁରାଣୀ ଭାବେ ସେ ପ୍ରସିଦ୍ଧି ପାଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁମାନେ ମା’ଙ୍କ ପାଖରେ ଯାହା ମାନସିକ କରି ଥାଆନ୍ତି ତାହା ପୂରଣ ହୁଏ ବୋଲି ବିଶ୍ୱାସ ରହିଚି। ରବିବାର ଭୋର ସମୟରୁ ମା’ଙ୍କୁ ଦର୍ଶନ କରିବା ପାଇଁ ଲମ୍ବା ଲାଇନରେ ଭକ୍ତମାନେ ଅପେକ୍ଷା କରି ରହିଥିଲେ।

ପୁଲିସ, ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟିଙ୍କ ମିଳିତ ସହଯୋଗରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବେରିକେଡ଼ ବ୍ୟବସ୍ଥା ସହ ପାନୀୟ ଜଳ, ଗାଡ଼ି ମୋଟର ପାର୍କିଂ, ଅର୍ଣ୍ଣ ଭୋଗ ବ୍ୟବସ୍ଥା, ଦୋକାନ ବଜାର ଗୁଡ଼ିକ ପାଇଁ ଅତି ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିଲା। ମାନସିକ ପୂରଣ ହେଇଥିବା ଭକ୍ତମାନେ ଶହଶହ ସଂଖ୍ୟାରେ ବୋଦା ଓ କୁକୁଡ଼ା ମା ପାଖରେ ବଳି ଦେଇଥିଲେ।

କମିଟିର ସଭାପତି ନିତ୍ୟାନନ୍ଦ ବେହେରା, ସମ୍ପାଦକ ଚିତ୍ତରଞ୍ଜନ ସାହୁଙ୍କ କହିବା ଅନୁଯାୟୀ ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଜିଲ୍ଲା ଓ ରାଜ୍ୟ ବାହାରୁ ମହିଳା ଓ ପୁରୁଷ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ଦର୍ଶନ ପାଇଁ ଭୋର ସମୟରୁ ଆସି ଲମ୍ବା ଲାଇନ ରେ ଅପେକ୍ଷା କରି ରହିଥିଲେ। ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ପାଇଁ ବଣାଇ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ ନିଜେ ଉପସ୍ଥିତ ରହି ତଦାରଖ କରୁଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିବ ସୁନ୍ଦର ରାଉତ, ଯୁଧିଷ୍ଟିର ବେହେରା, ଋଷି ଶେଖର କିସାନ, ରଞ୍ଜିତ ନାୟକ, ଟେକାନନ୍ଦ ସାହୁ, ସୁଦାମ ଚରଣ ଶତପଥୀ, ସୁଧାକର ବେହେରା ତଥା କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

 sundargarh