କୋରାପୁଟ: ମ୍ୟାଲେରିଆପ୍ରବଣ ଜିଲ୍ଲା ତାଲିକାରେ ରାଜ୍ୟସ୍ତରରେ କୋରାପୁଟ ଜିଲ୍ଲା ରହିଛି ତୃତୀୟ ସ୍ଥାନରେ। ଏହାକୁ ନିୟନ୍ତ୍ରଣ କରିବା ଲାଗି ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରାଯାଇଛି। କୋରାପୁଟରେ କେନ୍ଦ୍ର ସରକାର ଭେକ୍ଟର ରିସର୍ଚ୍ଚ ଷ୍ଟେସନ ବି ସ୍ଥାପନ କରିଛନ୍ତି। ରୋକିବା ପାଇଁ ଔଷଧ ସହ ଔଷଧୀୟ ମଶାରି ବି ବାଣ୍ଟିଥିଲେ। ଏହା ବାଦେ ବି  ଆକ୍ରାନ୍ତ ସଂଖ୍ୟା କମିବା ବଦଳରେ ବଢିଚାଲିଛି। ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଏହି ସଂଖ୍ୟା ସର୍ବାଧିକ। ଗତ ୫ ବର୍ଷରେ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନଥିଲେ ହେଁ ୧୦ ହଜାର ୩୭୫ ଜଣ ଆକ୍ରାନ୍ତ ହୋଇଥିବା ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ଏହାକୁ ରୋକିବା ଲାଗି ବିଭାଗ ପକ୍ଷରୁ ୧୦ ଲକ୍ଷ ମଶାରି ପଠାଇବା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଗତ ୪ବର୍ଷ ହେବ ଜିଲ୍ଲାରେ ଔଷଧୀୟ ମଶାରୀ ବିତରଣ କରାଯାଇନି।  ଏହାରି ମଧ୍ୟରେ ଦେଢ଼ ଲକ୍ଷ ବିଭିନ୍ନ ଆକାରର ମଶାରୀ ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ନିକଟରେ ପହଚିଂଛି। ଏବେ ଘରକୁ ଘର ବୁଲି ସର୍ଭେ ଆରମ୍ଭ ହୋଇଛି। ସର୍ଭେ ସରିଲେ ଏହି ବର୍ଷ ମଶାରୀ ବିତରଣ କରାଯିବ ବୋଲି ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।  

Advertisment

ମୁଖ୍ୟତଃ କୋରାପୁଟ ଜିଲ୍ଲାରେ ବହୁ ରୋଗୀଙ୍କ ପାଖରେ ମାରାତ୍ମକ  ଏନୋଫିଲିସ ମଶା ମାରାତ୍ମକ ପିଏଫ୍ (ପ୍ଳାସମୋଡିୟମ ଫଲସିଫେରମ) ଭୂତାଣୁ ରହୁଥିବା ସୂଚନା ମିଳିଛି। ଏହି ମଶାରୁ ବ୍ୟାପୁଥିବା ମ୍ୟାଲେରିଆ ସର୍ବଧିକ ବିପଦପୂର୍ଣ୍ଣ ବୋଲି ଭିସିଆରସି ପକ୍ଷରୁ ବି କୁହାଯାଇଛି। କେବଳ ସରକାରୀ ଲ୍ୟାବରେ ପରୀକ୍ଷଣ ପରେ ଏଭଳି ଉଦ୍‌ବେଗଜନକ ସ୍ଥିତି ନଜରକୁ ଆସିଛି। ଘରୋଇ ଲ୍ୟାବର ପରୀକ୍ଷଣକୁ ହିସାବକୁ ନିଆଗଲେ, ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ବଢିଯିବ।

୨୦୨୦ମସିହାରେ ରେ ଜିଲ୍ଲାରେ ୩ ଲକ୍ଷ ୨୮ ହଜାର ୭୮ ଜଣଙ୍କ ମ୍ୟାଲେରିଆ ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୨୫୦୬ ଜଣଙ୍କଠାରେ ପଜିଟିଭ ଚିହ୍ନଟ ହୋଇଥିଲା। ୨୦୨୧ରେ ୩, ୮୫,୭୮୨ ଜଣରୁ ୨୪୧୬ ଏବଂ ୨୦୨୨ରେ ୪, ୬୨, ୭୩୪ ଜଣଙ୍କଠାରେ ମ୍ୟାଲେରିଆ ପରୀକ୍ଷା ହୋଇଥିବା ବେଳେ ୩୯୦୪ ଜଣ ପଜିଟିଭର ଚିହ୍ନଟ ହୋଇଥିଲେ। 

ସେହିପରି ୨୦୨୩ରେ ୪୯ହଜାର ପରୀକ୍ଷା କରାଯାଇଥିବା ବେଳେ ଏଥିରୁ ୧୧୦୯ଜଣ ଓ ୨୦୨୪ ଜୁଲାଇ ସୁଦ୍ଧା ୬୦ହଜାର ପରୀକ୍ଷା ମଧ୍ୟରୁ ୧୩୫୦ଜଣ ପଜିଟିଭ୍। ଏହି ପରି ଜିଲ୍ଲାରେ ୫ବର୍ଷରେ ସରକାରୀ ଭାବେ  ୧୦ହଜାର ୩୭୫ ପଜିଟିଭ୍। ଏହି ପାଂଚ ବର୍ଷ ଭିତରେ ନାରାୟଣପାଟଣା ବ୍ଳକ୍‌ରେ ସର୍ବାଧିକ ୩୦୦୧ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ଏହା ତଳକୁ ବନ୍ଧୁଗାଁ ବ୍ଳକରେ ୨୦୦୭ ଜଣଙ୍କଠାରେ ମ୍ୟାଲେରିଆ ଚିହ୍ନଟ ହୋଇଥିଲା। ଏହାକୁ ନିୟନ୍ତ୍ରଣ କରିବା ଲାଗି ୨୦୧୯- ୨୦ରେ ୯ ଲକ୍ଷ ୫୩ ହଜାର ୩୩୪ ଔଷଧବୋଳା ମଶାରି ବଣ୍ଟନ କରାଯାଇଥିଲା। ସଚେତନତା ଅଭାବରୁ ଏହାର ବ୍ୟବହାର ଠିକ୍‌ରେ ହୋଇନଥିଲା । ଏବେ ସେସବୁ ମଶାରିର ଔଷଧୀୟଗୁଣ ଆଉ ନାହିଁ । ତେଣୁ ପୁନର୍ବାର ଜିଲ୍ଲାରେ ମଶାରି ବଣ୍ଟନ ପାଇଁ ୧୦ ଲକ୍ଷ ଯୋଗାଇଦେବାକୁ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। ଏହାରି ମଧ୍ୟରେ ରାଜ୍ୟ ସରକାର ଦେଢ଼ ଲକ୍ଷ ବିଭିନ୍ନ ଆକାରର ମଶାରୀ ଯୋଗାଇ ଦେଇଥିବା ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। 

ଜିଲ୍ଲାରେ ପୂର୍ବାପେକ୍ଷା ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଲୋକେ ସଚେତନ ହୋଇଛନ୍ତି। ଗ୍ରାମାଞ୍ଚଳରେ ଗାଁ କଲ୍ୟାଣ ସମିତି ଲୋକଙ୍କୁ ସଚେତନ କରୁଛି। କେତେକ ସ୍ଥାନରେ ଆଶା କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ରାତିରେ ମଶାରି ଟାଙ୍ଗି ଶୋଉଛନ୍ତି ନା ନାହିଁ ତାହାର ଯାଞ୍ଚ କରୁଛନ୍ତି। ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକରେ ଏହି ରୋଗର ପ୍ରାଦୁର୍ଭାବ ଅଧିକା ରହିଛି। ସେହିପରି ବୈପାରିଗୁଡା, ଲକ୍ଷ୍ମୀପୁର ଏବଂ ଦଶମନ୍ତପୁର ବ୍ଲକରେ ବି ଲୋକେ ମ୍ୟାଲେରିଆରେ ଆକ୍ରାନ୍ତ ହେଉଛନ୍ତି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।