ମାଲକାନଗିରି: ଜିଲ୍ଲାରେ ବନ୍ୟା ଲୋକଙ୍କ ଦୁଃଖକୁ ଆହୁରି ଦୁଇଗୁଣ କରିଦେଇଛି। ବହୁ ଲୋକ ନିଜର ଘରଦ୍ବାର ଛାଡ଼ି ଏବେ ବାହାରେ ରହୁଛନ୍ତି।ବନ୍ୟା ଜଳ ସେମାନଙ୍କର ସମସ୍ତ ଧନସଂପତ୍ତି ନଷ୍ଟ କରିଦେଇଛି। କେବଳ କୋଠାବାଡିକୁ ଛାଡିଦେଲେ ଅନ୍ୟ ସବୁ ଘର ପାଣିରେ ଦୁଇ ଦିନ ରହିବା ପରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଭଳି ଜଣେ ଅସହାୟ ମହିଳାଙ୍କ ଦୁଃଖଦ କାହାଣୀ ବନ୍ୟାଞ୍ଚଳ ଗସ୍ତ କରିବା ପରେ ଦେଖିବାକୁ ମିଳିଥିଲା।

Advertisment

ପୋଟେରୁ ଗ୍ରାମର ରାକ୍ଷୀ ଦେ। ସ୍ବାମୀ ଅନ୍ୟତ୍ର ଚାଲିଯାଇଥିବା ବେଳେ ରାକ୍ଷୀ ନିଜର ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ଏକ ଛୋଟିଆ ଦୋକାନ କରି ଚଳୁଥିଲେ। ବଡଝିଅକୁ ଜ୍ବର କମୁନଥିବାରୁ ସେ ମାଲକାନଗିରି ମେଡିକାଲକୁ ଆଣି ଆସିଥିଲେ। ନିଜେ ରାକ୍ଷୀ ଝିଅ ପାଖରେ ରହି ଚିକିତ୍ସା କରାଉଥିଲେ। ପୁଅକୁ ମାମୁଁ ଘରେ ଛାଡି ଦେଇଥିଲେ।

ଗତ ରବିବାର ଦିନ ହଠାତ ରାତି ଗୋଟାଏରେ ଘରେ ପାଣି ପଶିଥିଲା। ଏହି ଖବର ପାଇଥିଲେ ରାକ୍ଷୀ। କିନ୍ତୁ ଘରକୁ ଯିବାକୁ ସମସ୍ତ ରାସ୍ତା ବନ୍ଦ ଥିଲା।ଆଜି ସକାଳୁ ସେ ଘରକୁ ଫେରି ଦେଖିଲା ବେଳକୁ ଘରେ ଗୋଟିଏ ବି ଜିନିଷ ନାହିଁ। ଦୋକାନର ସମସ୍ତ ଜିନିଷ ପାଣିରେ ଭାସି ଚାଲିଯାଇଛି। ଏବେ ରାକ୍ଷୀ ସର୍ବସ୍ବାନ୍ତ। ପାଖରେ ଚଳିବା ପାଇଁ ଟଂକା ଟିଏ ନଥିବା ବେଳେ ଖାଇବା ପାଇଁ ଚାଉଳ ମୁଠାଏ ନାହିଁ।

ଅନ୍ୟପଟେ ଝିଅର ଅବସ୍ଥା ଗୁରୁତର ହେବାକୁ ଲାଗିଛି। ଡାକ୍ତର ତୁରନ୍ତ ଝିଅକୁ ନେଇ ବଡ ମେଡିକାଲକୁ ଯିବାକୁ ପରାମର୍ଶ ଦେଉଛନ୍ତି। ଗୋଟିଏ ପଟେ ବନ୍ୟା ଜଳ ଘରକୁ ଲୁଟି ସାରିଥିବା ବେଳେ ଅନ୍ୟପଟେ ଝିଅର ଅବସ୍ଥା ଗୁରୁତର ହେଲାଣି।ଏବେ ରାକ୍ଷୀ ମୁଣ୍ଡରେ ଚିନ୍ତାର ପାହାଡ।କଣ କରିବ, କାହାରି ନିକଟରେ ଗୁହାରି କରି କିଛି ବୁଝିପାରୁନଥିବା କାନ୍ଦି କାନ୍ଦି କହିଥିଲା। ତୁରନ୍ତ ପ୍ରଶାସନ ତରଫରୁ ରାକ୍ଷୀଙ୍କୁ ସହଯୋଗର ହାତ ବଢାଇବାକୁ ସାଧାରଣରେ ଦାବି ହୋଇଛି।