ରାୟଗଡ଼ା: ଚଳିତ ବର୍ଷ ରବି ଓ ଖରିଫ ଚାଉଳ ଫେରାଇବାକୁ ନେଇ ରାୟଗଡ଼ା ଜିଲ୍ଲାରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ଲ୍ୟାମ୍ପ ମାଧ୍ୟମରେ ରାୟଗଡ଼ା ଜିଲ୍ଲାରୁ ୨୦୨୪-୨୫ ରବି ଓ ଖରିଫ ଋତୁରେ ୧୨ ଲକ୍ଷ ୫୩ ହଜାର ୯୬୮.୯୦ କ୍ବିଣ୍ଟାଲ ଧାନ ଚାଷୀଙ୍କ ଠାରୁ କିଣାଯାଇ ଜିଲ୍ଲାର ୧୧୧ ମିଲରଙ୍କୁ ଚାଉଳ ଫେରାଇବା ପାଇଁ ଚୁକ୍ତି କରିବା ସହ  ଟାର୍ଗେଟ ଦିଆଯାଇଥିଲା । ସେଥି ମଧ୍ୟରୁ ୮ଲକ୍ଷ ୩୯ହଜାର ୫୦୩.୩୪ କ୍ବିଣ୍ଟାଲ ଚାଉଳ ଫେରାଇବା ପାଇଁ କୁହାଯାଇଥିଲା । ଆଜି ସୁଦ୍ଧା ୬ଲକ୍ଷ ୬୬ହଜାର ୯୭.୪୬ କ୍ବିଣ୍ଟାଲ ଚାଉଳ ମିଲରମାନେ ଫେରାଇଥିବା ବେଳେ ଆହୁରି ୧ଲକ୍ଷ ୭୩ହଜାର ୪୦୫.୮୮ କ୍ବିଣ୍ଟାଲ ଚାଉଳ ମିଲର ମାନେ ଫେରାଇବେ। ୨୦୨୪-୨୫ ବର୍ଷ ପାଇଁ ଚୁକ୍ତି କରିଥିବା ୧୧୧ ଜଣ ମିଲର ମାନଙ୍କ ମଧ୍ୟରୁ ମାତ୍ର ୨୫ଜଣ ମିଲର ଶତ ପ୍ରତିଶତ ଚାଉଳ ଆଜି ସୁଦ୍ଧା ଫେରାଇବାରେ ସମର୍ଥ ହୋଇଛନ୍ତି ।

Advertisment

ଅନ୍ୟ ପଟେ ରାୟଗଡ଼ା ଜିଲ୍ଲାରେ ଡିସେମ୍ବର ୧୭ ତାରିଖରୁ ମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ସରକାର  ଡିସେମ୍ବର ୩୧ ମଧ୍ୟରେ  ‌ଚାଉଳ ଫେରାଇବାକୁ କହିଛନ୍ତି।  ମଣ୍ଡି ୧୭ ତାରିଖରେ ଆରମ୍ଭ ହେଉଥିବା ବେଳେ ଯେଉଁ ମିଲରମାନେ ସଂପୂର୍ଣ୍ଣ ଚାଉଳ ଫେରାଇ ନଥି‌ବେ ବିଭାଗ ମିଲରଙ୍କ ସହ କିଭଳି ଚୁକ୍ତି କିରିବେ ବୋଲି ପ୍ରଶ୍ନ ଉଠିଛି। ଏଭଳି ପରିସ୍ଥିତି ସୃଷ୍ଟି ହେଲେ ମଣ୍ଡିରେ ଧାନ କିଣା ପ୍ରଭାବିତ ହେବ।

ଧାନ ସୁରକ୍ଷିତ ଭାବେ ରଖିବାର ଆବଶ୍ୟକୀୟ ଭିତ୍ତିଭୁମି ନାହିଁ

ଜିଲ୍ଲାର କୌଣସି ଧାନ ମଣ୍ଡିରେ ଧାନ ସୁରକ୍ଷିତ ଭାବେ ରଖିବାର ଆବଶ୍ୟକୀୟ ଭିତ୍ତିଭୁମି ନାହିଁ । ଜିଲ୍ଲାର ଧାନ ମଣ୍ଡି ସବୁ ମିଲର ଗୋଦାମ ଭରସାରେ ରହିଛନ୍ତି । ତେଣୁ ଜିଲ୍ଲାରେ କାର୍ଯ୍ୟରତ ମିଲର ଚାଉଳ ନଫେରାଇ ଚୁକ୍ତି କରିନପାରିଲେ ଚା‌‌ଷୀ ମାନେ ସିଧାସଳଖ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ବିଚିତ୍ର ପରିସ୍ଥିତି ସୃଷ୍ଟି ହେଳେ ଦଲାଲ ମାନେ ସକ୍ରିୟ ହେବା ସହ ବାହାର ରାଜ୍ୟକୁ ଧାନ ଯିବା ସହ ଚା‌ଷୀ ଅଭାବି ବିକ୍ରୀର ଶିକାର ହେବେ।  

ଏନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥୀ ସୋରେନଙ୍କୁ ପଚାରିବାରୁ ଯେଉଁ ମିଲରମାନେ ଶତ ପ୍ରତିଶତ ଚାଉଳ ଫେରାଇବେ ସେମାନଙ୍କ ସହ ହିଁ ବିଭାଗ ଚୁକ୍ତି କରି ଧାନ ଉଠାଇବାକୁ ଅନୁମତି ଦେବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ଚାଉଳ ଗୋଦାମ ମାନଙ୍କରେ  ସ୍ଥାନ ଅଭାବ ଦେଖା ଯାଇଛି । ଆହୁରି ୨୦ % ଚାଉଳ କିଭଳି ଓ କେଉଁଠାରେ ରଖିବେ ସେନେଇ ମିଲର ମାନଙ୍କ ମଧ୍ୟରେ ଚିନ୍ତା ଘାରିଛି ।

ସୂଚନାଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲାର ଉତ୍ପାଦିତ ଚାଉଳ ରଖିବାକୁ ଗୋଦାମରେ ସ୍ଥାନ ଅଭାବରୁ ଚାଉଳ ସଂଗ୍ରହ ବିଳମ୍ବିତ ହେଉଛି।