ମାଲକାନଗିରି: ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଉଛି ବୋଲି ବିଭାଗ କହୁଛି। କିନ୍ତୁ ୨୦୨୩-୨୪ ରିପୋର୍ଟ ଅନୁଯାୟୀ ଜିଲ୍ଲାର ୫ଟି ବ୍ଲକର ଲ୍ୟାମ୍ପସ ଅଧିନରେ ମାଣ୍ଡିଆ ଚାଷ ହୋଇଥିଲା। କୁଡୁମୁଲୁଗୁମ୍ମା ଏବଂ କାଲିମେଳା ଲ୍ୟାମ୍ପସ ଅଧିନରେ ମାଣ୍ଡିଆ ଚାଷ ହୋଇନଥିବାରୁ ଏହି ଦୁଇ ଲ୍ୟାମ୍ପସ ମାଣ୍ଡିଆ ଖରିଦ ନକରିବା କଥା କିନ୍ତୁ କାଲିମେଳା ଲ୍ୟାମ୍ପସ୍ ତରଫରୁ ୧୧୯ କ୍ବିଣ୍ଟାଲ ଏବଂ କୁଡୁମୁଲୁଗୁମ୍ମା ଲ୍ୟାମ୍ପସ ତରଫରୁ ୧୮୫୩ କ୍ବିଣ୍ଟାଲ ମାଣ୍ଡିଆ ଖରିଦ କରାଯାଇଥିବା ନେଇ ରିପୋର୍ଟ ରହିଛି।
ତେବେ କାଲିମେଳା ଓ କୁଡୁମୁଲୁଗୁମ୍ମା ବ୍ଲକରେ ମାଣ୍ଡିଆ କେଉଁଠୁ ଆସିଲେ ଏବେ ପ୍ରଶ୍ନ ଉଠୁଛି। ସରକାରଙ୍କୁ ଯେଉଁ ରିପୋର୍ଟ ଦିଆଯାଉଛି, ସେଥିରେ ଜାଲିଆତି କରାଯାଉଥିବା ସ୍ପଷ୍ଟ ବାରି ହେଉଛି। ଗତ ୨୦୨୩-୨୪ରେ ଜିଲ୍ଲାର ମାଥିଲି ବ୍ଲକରେ ୧୨୦୦ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ଏହି ବ୍ଲକରେ ମାଣ୍ଡିଆ ଖରିଦ କରୁଥିବା ସାବେରୀସେତୁ କୃଷକ ଉତ୍ପାଦନ ସଂସ୍ଥା ତରଫରୁ ବ୍ଲକର ୮ଟି ସ୍ଥାନରୁ ୮୪୮୯ କ୍ବିଣ୍ଟାଲ ମାଣ୍ଡିଆ ଖରିଦ କରାଯାଇଛି।
ଖଇରପୁଟ ବ୍ଲକରେ ୧୧୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଥିବା ବେଳେ ବ୍ଲକର ୬ଟି ସ୍ଥାନରୁ ନାରୀଶକ୍ତି କୃଷକ ଉତ୍ପାଦନ ସଂସ୍ଥା ତରଫରୁ ୩୨୩୮ କ୍ବିଣ୍ଟାଲ ମାଣ୍ଡିଆ ଖରିଦ କରାଯାଇଛି। କୋରକୋଣ୍ଡା ବ୍ଲକରେ ଗତବର୍ଷ ୧ ହଜାର ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ସେହି ବ୍ଲକର ୩ଟି ସ୍ଥାନରୁ ଚାଷୀଭାଇ କୃଷକ ଉତ୍ପାଦନ ସଂସ୍ଥା ତରଫରୁ ୩୬୩୫ କ୍ବିଣ୍ଟାଲ ମାଣ୍ଡିଆ ଖରିଦ କରାଯାଇଛି।
ଚିତ୍ରକୋଣ୍ଡା ବ୍ଲକରେ ୧୩୦୦ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ୭ଟି ସ୍ଥାନରୁ ଗୁରୁପ୍ରିୟା କୃଷକ ଉତ୍ପାଦନ ସଂସ୍ଥା ତରଫରୁ ୬୯୩୦ କ୍ବିଣ୍ଟାଲ ମାଣ୍ଡିଆ ଖରିଦ ହୋଇଛି। ମାଲକାନଗିରି ବ୍ଲକରେ ୩୫୦ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ୫ଟି ସ୍ଥାନରୁ ଲ୍ୟାମ୍ପସ ତରଫରୁ ୨୩୩୧ କ୍ବିଣ୍ଟାଲ ମାଣ୍ଡିଆ ଖରିଦ ହୋଇଛି। କାଲିମେଳା ବ୍ଲକରେ ଚାଷ ହୋଇନଥିବା ବେଳେ ଲ୍ୟାମ୍ପସ ତରଫରୁ ୧୧୯ କିଣ୍ଟାଲ ମାଣ୍ଡିଆ ଖରିଦ ହୋଇଛି ଏବଂ କୁଡୁମୁଲୁଗୁମ୍ମା ଲ୍ୟାମ୍ପସ ଅଧିନରେ ଚାଷ ହୋଇନଥିବା ବେଳେ ଏହି ଲ୍ୟାମ୍ପସ ୩ଟି ସ୍ଥାନରୁ ୧୮୩୪ କ୍ବିଣ୍ଟାଲ ମାଣ୍ଡିଆ ଖରିଦ କରିଛି।
କାଲମେଳା ଓ କୁଡ଼ୁମୁଲୁଗୁମ୍ମା ଅଂଚଳରେ ଚାଷ ହୋଇନଥିଲେ ମଧ୍ୟ ମୋଟ ୧୯୩୫ କ୍ବିଣ୍ଟାଲ ମାଣ୍ଡିଆ କେଉଁଠାରୁ ଆସିଲା ବୋଲି ପ୍ରଶ୍ନ କରାଯାଇଛି। ଚାଷୀଙ୍କ କଥା କହିବାକୁ ଗଲେ ମାଥିଲି ବ୍ଲକରେ ୧୪୫ ଜଣ ଚାଷୀ ଚାଷ କରିଥିବା ବେଳେ ଖଇରପୁଟ ବ୍ଲକରେ ୧୬୦ ଜଣ ଚାଷୀ, କୋରକୋଣ୍ଡା ବ୍ଲକରେ ୩୦୦ ଜଣ ଚାଷୀ, ଚିତ୍ରକୋଣ୍ଡା ବ୍ଲକରେ ୧୯୫ ଜଣ ଚାଷୀ, ମାଲକାନଗିରି ବ୍ଲକରେ ଜଣେ ବା ଚାଷୀ ଚାଷ କରିନଥିବା ରିପୋର୍ଟରେ ଦର୍ଶାଯାଇ ନାହିଁ। କିନ୍ତୁ ମାଲକାନଗିରି ବ୍ଲକରେ ମାଣ୍ଡିଆ ୩୫୦ ହେକ୍ଟର, ସୁଆଁ ୩୦୦ ହେକ୍ଟର ଏବଂ ବାଜରା ୧୦ ହେକ୍ଟର ଜମିରେ ଚାଷ ହେଉଥିବା କୁହାଯାଇଛି।ତେବେ ମୋଟ ୬୬୦ ହେକ୍ଟର ଜମିରେ ଭୂତ ଚାଷ କଲା କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହାର ବିଧିବଦ୍ଧ ତଦନ୍ତ ହେଲେ ମାଣ୍ଡିଆ ଚାଷ ଓ ମଣ୍ଡିର ଅସଲ ରୂପ ପଦାକୁ ଆସିବ ବୋଲି କୁହାଯାଇଛି।