ମାଲକାନଗିରି: ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡ଼ାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ‘ବଣ୍ଡା ରେମୋଲେନା କୁଟୁମ୍ବ‘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାକୁ ବଣ୍ଡା ରେମୋଲେନା କୁଟୁମ୍ବର ସଭାପତି ଲଛିମ ଝିଗିଡି ସଭାପତିତ୍ବ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବଣ୍ଡା ରେମୋଲେନା କୁଟୁମର ସମ୍ପାଦକ ସୋମା ଧାଙ୍ଗଡା ମାଝୀ, ମୁଦୁଲିପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରlପ୍ତ ଚିକିତ୍ସାଧିକାରୀ ଚମ୍ପେଶ୍ୱର ପାଣିଗ୍ରାହୀ ସମ୍ମାନିତ ଅତିଥି, ମୁଦୁଲିପଡା ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସ ମୁଖ୍ୟ ଅତିଥି ତଥା ବଣ୍ଡା ରେମୋଲେନା କୁଟୁମର ପରାମର୍ଶଦାତା ଦୁର୍ଗା ପ୍ରସାଦ ସାହୁ ମଞ୍ଚାସୀନ ଥିଲେ।

Advertisment

ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବଣ୍ଡାଘାଟିର ପ୍ରଥମ ଛାତ୍ର ଭାବରେ ଡାକ୍ତରୀ ପାଠ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଥିବା ବଡବେଲ ଗ୍ରାମର ମଙ୍ଗଳା ମୁଦୁଲିଙ୍କୁ ସମର୍ଦ୍ଧିତ କରାଯାଇଥିଲା। ଶ୍ରୀ ମୁଦୁଲି ତାଙ୍କର କଠିନ ପରିଶ୍ରମ ବଳରେ ଏକ ଅନ୍ଧାରୀ ମୂଳକରୁ ଯାଇ ଡାକ୍ତରୀ ପାଠ ପଢ଼ିବେ ଏହା ଏହି ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ।ତାଙ୍କ ପ୍ରତିଭାକୁ ଚିହ୍ନି ବିଦ୍ୟାଳୟର ଶିକ୍ଷକ ଶ୍ରୀ ଦାସ ମଙ୍ଗଳାଙ୍କୁ ବାଲେଶ୍ଵର ନେଇ ସେଠାରେ ତାଙ୍କୁ ନିଜ ଘରେ ରଖି ପାଠ ପଢ଼ିବାକୁ ଉତ୍ସାହିତ କରିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ତାଙ୍କର ଏହି ମହତ ଉଦ୍ଦେଶ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କ ସହଯୋଗ କାମନା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସହଯୋଗର ହାତ ବଢେ଼ଇବା ପ୍ରତିଶ୍ରୁତି ଦେଇଥିଲେ।

ଶ୍ରୀ ପାଣିଗ୍ରାହୀ ମଧ୍ୟ ମଙ୍ଗଳାଙ୍କ ସଫଳତାକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଶ୍ରୀ ଦାସଙ୍କୁ ଧନ୍ୟବାଦ ଦେବା ସହ ବଣ୍ଡା ରେମାଲେନା କୁଟୁମ୍ବ ଆଜୀବନ ଶ୍ରୀ ଦାସଙ୍କ ପ୍ରତି ୠଣି ରହିବ ବୋଲି କହିଥିଲେ।ଶେଷରେ ମଙ୍ଗଳା ମୁଦୁଲିଙ୍କ ଏହି ସଫଳତା ପାଇଁ ବଣ୍ଡା ରେମୋଲେନା କୁଟୁମ ତରଫରୁ ତାଙ୍କୁ ‘ବଣ୍ଡା କୁଟୁମ ଗୌରବ ସମ୍ମାନ ୨୦୨୪‘  ପ୍ରଦାନ କରାଯାଇଥିଲାl ଏହି କାର୍ଯ୍ୟକ୍ରମକୁ ନନ୍ଦ ଶିଶା ଏବଂ ଲଛିମ ମୁଦୁଲି ପରିଚାଳନା କରିଥିଲେ l