ମାଲକାନଗିରି: ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ପୁଣି ନକ୍ସଲ ମାତିଲେ। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀକୁ ହତ୍ୟା କରିଥିବା ବେଳେ ପୋଷ୍ଟର ଏବଂ ବ୍ୟାନର ମାରି ସରପଞ୍ଚ ସମେତ କିଛି ଗ୍ରାମବାସୀଙ୍କୁ ହତ୍ୟା ଧମକ ଦେଇଛନ୍ତି।
ଘଟଣା ଅନୁଯାୟୀ କାଂକେର ଜିଲ୍ଲାର ମାଡ଼ ଅଞ୍ଚଳରେ ରହିଥିବା ବିନାଗୁଣ୍ଡା ଗ୍ରାମର ମନେଶ ନାରେଟିକୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଛନ୍ତି। ପ୍ରକାଶ ଥାଉକି ଗତବର୍ଷ ୨୦୨୪ ଅପ୍ରେଲ ୧୬ ତାରିଖ ଦିନ ବିନାଗୁଣ୍ଡା ଅଂଚଳରେ ଯବାନଙ୍କ ଏନକାଉଣ୍ଟରରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ଏହି ଏନକାଉଣ୍ଟରରେ ଦୁର୍ଦାନ୍ତ ନକ୍ସଲ ଶଂକର ରାଓ ମଧ୍ୟ ମୃତ୍ୟୁବରଣ କରିଥିଲା। ଏହାପରେ ମଧ୍ୟ ବହୁ ଥର ପୁଲିସ ନକ୍ସଲ ମଧ୍ୟରେ ଏଠାରେ ଗୁଳିବିନିମୟ ଘଟିଛି। କିନ୍ତୁ ସବୁବେଳେ ନକ୍ସଲ ଖସି ପଳାଇବାରେ ସଫଳ ହୋଇଥିଲେ।
ଏବେ ପୁଣି ହତ୍ୟା କରି ଏହି ଅଂଚଳରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ସ୍ଥାନୀୟ ସରପଞ୍ଚ ରାମଜୀ ଧୁବାକୁ ହତ୍ୟା କରିବା ପାଇଁ ପୋଷ୍ଟର ଏବଂ ବ୍ୟାନରରେ ଉଲ୍ଲେଖ କରିଛନ୍ତି। ଏଥିସହ ଗ୍ରାମବାସୀ ଏବଂ କିଛି ଡିଆରଜି ଯବାନଙ୍କୁ ମଧ୍ୟ ହତ୍ୟା କରାଯିବା ନେଇ ଚେତାବନୀ ଦିଆଯାଇଛି।
ଗତବର୍ଷ ହୋଇଥିବା ଏନକାଉଣ୍ଟର ପାଇଁ ସ୍ଥାନୀୟ ଯୁବକ ବେଜୁ ନେରେଟିକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ନକ୍ସଲ। ତେଣୁ ବେଜୁ ନେରେଟିକୁ ହତ୍ୟା କରାଯିବା ନେଇ ଧମକ ମଧ୍ୟ ଦେଇଛନ୍ତି। ପୁଲିସ ଖବର ପାଇ ବ୍ୟାନର ଓ ପୋଷ୍ଟରକୁ ଜବତ କରିବା ସହ ହତ୍ୟା ଘଟଣାର ତଦନ୍ତ କରୁଛି। ଏହି ହତ୍ୟାକୁ ପରତାପୁର ଏରିଆ କମିଟି ପକ୍ଷରୁ ହତ୍ୟା କରାଯାଇଥିବା ସ୍ବୀକାର କରାଯାଇଛି।
Malkangiri