ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ସୁରକ୍ଷା ବାହିନୀର ଲଗାତାର ଏନକାଉଣ୍ଟର ମାଓବାଦୀ ସଂଗଠନକୁ ଦୋହଲାଇ ଦେଇଛି। ପୁଲିସ କ୍ୟାଡର ନକ୍ସଲ ସହ କେନ୍ଦ୍ରୀୟ କମିଟି ମେମ୍ବରକୁ ଏନକାଉଣ୍ଟର କରିବା ସବୁଠାରୁ ବଡ ସଫଳତା ବୋଲି କୁହାଯାଉଛି। ଏହି କ୍ରମରେ ଗତ ଦୁଇ ଦିନ ତଳେ କେନ୍ଦ୍ରୀୟ କମିଟି ମେମ୍ବର ବାଲକ୍ରୀଷ୍ଣାର ମୃତ୍ୟୁ ସଂଗଠନକୁ ବଡ଼ ଝଟକା ଦେଇଥିବା ବେଳେ ଆଜି ପୁଣି ଜଣେ କେନ୍ଦ୍ରୀୟ କମିଟିର ସଦସ୍ୟା ସୁଜାତା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।
ସୀମାନ୍ତ ତେଲେଙ୍ଗାନା ଡିଜିପି ନିକଟରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟା ସୁଜାତା ଓରଫ କଳ୍ପନା ଅରଫ ମେନବାଇ ଓରଫ ପଦ୍ମାବତୀ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛି। ସୁଜାତା ନାମରେ ୧ କୋଟି ଟଂକାର ପୁରସ୍କାର ରାଶି ରହିଥିଲା। ସୁଜାତାକୁ ଏବେ ୬୨ ବର୍ଷ ବୟସ ହୋଇଥିବା ବେଳେ ଲଗାତାର ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ସଂଗଠନ ଦୁର୍ବଳ ହେଉଥିବା ଜାଣି ସରକାରଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କୁହାଯାଇଛି। ସୁଜାତା କେନ୍ଦ୍ରୀୟ କମିଟିର ସଦସ୍ୟା ସହ ଦକ୍ଷିଣ ସବ ଜୋନାଲ ବ୍ୟୁରର ସଚିବ,ଜନତନା ସରକାର ଇନଚାର୍ଜ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ମଧ୍ୟ ରହିଥିଲା।
ସୁଜାତା ଯୁକ୍ତ ଦୁଇ ଶିକ୍ଷା ସମାପ୍ତ ପରେ କମ୍ୟୁନିଷ୍ଟ ଚିନ୍ତାଧାରା ତାଂକ ମୁଣ୍ଡରେ ପଶିଥିଲା। ତାଂକ ଭାଇ ସୁଧାକର ରେଡ୍ଡୀ ଯିଏ କି କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ ତାଂକୁ ସଂଗଠନରେ ଜଡ଼ିତ ହେବାକୁ ପ୍ରେରଣା ଦେଇଥିଲେ। ସୁଧାକର ୨୦୦୯ ମସିହାରେ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲେ। ପରେ ସେ ସୁଦର୍ଶନ ରେଡ୍ଡୀଙ୍କ ସଂସ୍ପର୍ଶରେ ଆସି ୨୦୮୨ ସମିହାରେ କାମ ଆରମ୍ଭ କରିଥିଲେ। ସୁଦର୍ଶନ ମଧ୍ୟ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲେ। ସାଜୁତାଙ୍କର ୩ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି। ବାପା ଜଣେ କୃଷକ ଅଟନ୍ତି। ସୁଜାତା ପରେ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ପଶ୍ଚିମବଙ୍ଗ ରାଜ୍ୟ କମିଟିର ସଚିବ କିଷନଜୀ ଅରଫ ପ୍ରହ୍ଲାଦ ଅରଫ କୋଟେଶ୍ବ ରାଓଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଗୋଟିଏ ଝିଅ ମଧ୍ୟ ଅଛି।
୨୦୧୧ ନଭେମ୍ବର ୨୪ ତାରିଖରେ ବଙ୍ଗଳା ଓ ଝାରଖଣ୍ଡ ସୀମାରେ କିଷନଜୀଙ୍କର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା। ପ୍ରଥମେ ଗାଁ ସାଥୀ ଭାବେ କାମ କରି ଧୀରେଧୀରେ ପଦନ୍ନୋତି ପାଇ କେନ୍ଦ୍ରୀୟ କମିଟିର ସଦସ୍ୟା ହୋଇଥିଲେ। ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସଂଗଠନ ସହ ଜଡିତ ଥିଲେ। ଏହି ସମୟ ମଧ୍ୟରେ ସ୍ବାମୀ କିଷନଜୀ ଏବଂ ସୁଜାତା ବହୁଥର ବିଭିନ୍ନ ସ୍ଥାନକୁ ବଦଳି ମଧ୍ୟ ହୋଇଛନ୍ତି। ସୁଜାତା ‘ପେଥୁରୀ‘ ନାମକ ଏକ କୋୟା ବହିର ସଂପାଦକ ମଧ୍ୟ ଥିଲେ। ବହୁ ହିଂସାରେ ସେ ସାମିଲ ଥିବା ସ୍ବୀକାର କରିଛି।
୨୦୦୭ରୁ ୨୦୨୨ ପର୍ଯ୍ୟନ୍ତ ପୁଲିସ ସହ ହୋଇଥିବା ଗୁଳିବିନିମୟରେ ସାମିଲ ରହି ଶତାଧିକ ଯବାନଙ୍କୁ ସହିଦ କରିଥିବା ମଧ୍ୟ ସ୍ବୀକାର କରିଛି। ଆଜି ଆତ୍ମସମର୍ପଣ ପରେ ପୁଲିସ ପ୍ରଶାସନ ତରଫରୁ ତୁରନ୍ତ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଗକୁ ଜୀବନ ଜୀବିକା ପାଇଁ ତାଂକୁ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି। ତେଲେଙ୍ଗାନାରେ ଆଜି ପର୍ଯ୍ୟନ୍ତ ୪୦୪ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେଥିମଧ୍ୟରୁ ୪ ଜଣ କେନ୍ଦ୍ରୀୟ କମିଟି ସାମିଲ ଅଛନ୍ତି। ତେଲେଙ୍ଗାନା ଡିଜିପି ଅନ୍ୟ ନକ୍ସଲଙ୍କୁ ମଧ୍ୟ ଘରକୁ ଓ ଗାଁକୁ ଫେରିଆସ ବୋଲି ଅନୁରୋଧ କରିଛନ୍ତି। ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହେବ ବୋଲି ଦୃଢ଼କ୍ତି ପ୍ରକାଶ କରିଛି ପୁଲିସ।
Malkangiri