କେସିଙ୍ଗା: କଳାହାଣ୍ଡିଜିଲ୍ଲା କେସିଙ୍ଗା ଥାନା ଭଅଁରମାଲ ଗ୍ରାମର ଜଗନ୍ନାଥ ସାହୁଙ୍କ ସ୍ତ୍ରୀ କ୍ଷୀରବତୀ ସାହୁ ଓରଫ୍ ଖୁଲଣା (୨୩)ଙ୍କ ବୁଧବାର ବିଷକ୍ରିୟାରେ ମୃତ୍ୟୁ ଘଟିଛି। ତେବେ ତାଙ୍କୁ ଯୌତୁକ ଜନିତ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁଯାୟୀ, ମଦନପୁର ରାମପୁର ଥାନା ସାପଲହରା ଗ୍ରାମ ପାଖ ବାଞ୍ଜିପଡ଼ର କ୍ଷୀରବତୀ ୨୦୨୩ ମସିହା ମାର୍ଚ୍ଚ ମାସରେ କେସିଙ୍ଗା ଥାନା ଭଅଁରମାଲ ଗ୍ରାମର ଜଗନ୍ନାଥ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୧ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ଅଛି। ଲିଖିତ ଅଭିଯୋଗ ଅନୁଯାୟୀ, ଗତ ବୁଧବାର ଦିନ ରାତି ପ୍ରାୟ ୧୧.୩୦ମି.ରେ ଜଗନ୍ନାଥଙ୍କ ବାପା ଝିଅ କ୍ଷୀରବତିଙ୍କ ବାପାଙ୍କୁ ଫୋନ୍ କରି ତମ ଝିଅ ବିଷ ପିଇ ଦେଇଛି ତମେ କେସିଙ୍ଗା ଡାକ୍ତରଖାନାକୁ ଆସ ବୋଲି କହିଥିଲେ।
କ୍ଷୀରବତୀଙ୍କ ବାପଘର ଲୋକ କେସିଙ୍ଗା ଡାକ୍ତରଖାନାରେ ପହଞ୍ଚିଥିଲେ। ଶ୍ବଶୁର ଘର ଲୋକ ଗଳା ଚିପି ବିଷ ପିଆଇ ଦେଇଥିବା କ୍ଷୀରାବତୀ ବାପଘର ଲୋକଙ୍କୁ କହିଥିଲେ। କେସିଙ୍ଗା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଯୌତୁକ ପାଇଁ କ୍ଷୀରବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି।
ତେବେ ମୃତକଙ୍କ ସ୍ଵାମୀ କିମ୍ବା ତାଙ୍କର ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏ ନେଇ କେସିଙ୍ଗା ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ଵାଳଙ୍କୁ ପଚାରିବାରୁ ମୃତକଙ୍କ ପରିବାର ଲୋକେ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଥିଲେ। ତେବେ ପୁଲିସ ମୃତ କ୍ଷୀରବତୀଙ୍କ ସ୍ବାମୀଙ୍କୁ ଆଣି ଅଟକ ରଖିଛନ୍ତି। ହେଲେ ଝିଅ ଘର ପରିବାର ଲୋକେ ଶବ ବ୍ୟବଚ୍ଛେଦ ପରେ ଶବକୁ ଆଣି ଶ୍ବଶୁର ଘର ସମ୍ମୁଖରେ ରଖି ପ୍ରତିବାଦ କରୁଛନ୍ତି। ଭଅଁରମାଳ ଗାଁରେ ଉତ୍ତେଜନା ଲାଗିରହିଛି। ମୃତକଙ୍କ ଶ୍ବଶୁର ଘରର ସମସ୍ତ ସଦସ୍ୟଙ୍କୁ ଗିରଫ ପାଇଁ ସେମାନେ ଦାବି କରୁଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ପୁଲିସ ଆରମ୍ଭରୁ ଯେଉଁଭଳି ପଦକ୍ଷେପ ନେବା କଥା ନ ନେବାରୁ ପରିସ୍ଥିତି ଅଣାୟତ ହୋଇଛି।