ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଫଟାଗୁଡା ଗ୍ରାମରେ ଏକ ଦୁଖଦଃ ଘଟଣା ଘଟିଛି। ଜଣେ ବିବାହିତ ମହିଳା ନିଜ ଦେହରେ ଟର୍ପେଣ୍ଟର ତେଲ ଢାଳି ହୋଇ ନିଆଁ ଲଗେଇଦେବା ଫଳରେ ତାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଫଟାଗୁଡା ଗ୍ରାମର ଯଶୋଦା ପୂଜାରୀ। 

Advertisment

ଫଟାଗୁଡା ଗ୍ରାମର ଯୁଧିଷ୍ଠିର ପୂଜାରୀଙ୍କ ଝିଅ ଯଶୋଦା ପୂଜାରୀ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂପୁର ଥାନା ଅଧିନସ୍ଥ ଭୂମିଆଗୁଡା ଗ୍ରାମରେ ବିବାହ କରିଥିଲେ। ବିବାହର କିଛିମାସ ପରେ ଯଶୋଦା ମାନସିକ ରୋଗରେ ପୀଡିତ ହୋଇଥିଲେ। ଏହାପରେ ପରିବାର ଲୋକେ ଯଶୋଦାଙ୍କ ଚିକିତ୍ସା କରେଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ଯଶୋଦା ଫଟାଗୁଡା ଗ୍ରାମରେ ଆସି ନିଜ ପିତାଙ୍କ ନିକଟରେ ରହୁଥିଲେ।ଗତକାଲି ଅପରାହ୍ନ ସାଡେ ୨ଟା ସମୟରେ ଯଶୋଦା କୌଣସି କାରଣ ବଶତଃ ନିଜ ଦେହରେ ଟର୍ପେଣ୍ଟର ତେଲ ଢାଳି ନିଆଁ ଲଗେଇଥିଲେ। ଏହା ଦେଖି ପରିବାର ଲୋକେ ତୁରନ୍ତ ଯଶୋଦାଙ୍କୁ ନେଇଁ  ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ଭର୍ତ୍ତି କରିଥିଲେ।

ଯଶୋଦାଙ୍କ ଶରୀରର ୯୦ ପ୍ରତିଶତ ଜଳି ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ସମୟରେ ମୃତ୍ୟୁ ହୋଇଥିଲା। ଏନେଇ ଯଶୋଦାଙ୍କ ଭାଇ କୁଞ୍ଜେଶ୍ୱର ପୂଜାରୀ ଆଜି ଖାତିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଖାତିଗୁଡା ପୁଲିସ ଡାକ୍ତରଖାନାରେ ପହଂଚି ତଦନ୍ତ ଆରମ୍ଭ କରିଛି।

ଏନେଇ ଖାତିଗୁଡା ଥାନା କେଶ ନଂ  ୧୧/୨୪ ଅନୁଯାୟୀ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବା ଖାତିଗୁଡା ଥାନା ଅଧିକାରୀ ହରିଶ୍ଚନ୍ଦ୍ର ଗୋଲାରୀ ସୂଚନା ଦେଇଛନ୍ତି। ଏଏସଆଇ ବିଜୟ କୁମାର ସାହୁ ଏହି ମାମଲାର ତଦନ୍ତ କରୁଛନ୍ତି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି।