ଭୁବନେଶ୍ବର: ‘ମାଷ୍ଟର କ୍ୟାଣ୍ଟିନ୍’ର ନାଁ ବଦଳିବ! ମାଷ୍ଟର କ୍ୟାଣ୍ଟିନ୍ ବଦଳରେ ଓଡ଼ିଆ ଅସ୍ମିତାକୁ ବହନ କରୁଥିବା ନାଁ ରଖାଯିବ। ରାଜଧାନୀ ଭୁବନେଶ୍ବରର ପ୍ରମୁଖ ସ୍ଥାନ ‘ମାଷ୍ଟର କ୍ୟାଣ୍ଟିନ୍ ନାଁ ପରିବର୍ତ୍ତନ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ତେବେ ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବେ। ସେ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦିଆଯିବ। ଏଥି ସହିତ ଇଂରେଜ ଅମଳରୁ ଥିବା ନାଁଗୁଡ଼ିକ ବଦଳାଇ ଓଡ଼ିଆ ରଖାଯିବ।
ରାଜଧାନୀ ଭୁବନେଶ୍ବରର ବ୍ୟସ୍ତବହୁଳ ଓ ଜଣାଶୁଣା ସ୍ଥାନଗୁଡ଼ିକ ମଧ୍ୟରୁ ମାଷ୍ଟରକ୍ୟାଣ୍ଟିନ୍ ହେଉଛି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସ୍ଥାନ। ଏହି ସ୍ଥାନଟି ଭୁବନେଶ୍ବର ମୁଖ୍ୟ ରେଳଷ୍ଟେସନ୍ ସମ୍ମୁଖରେ ରହିଛି। ଏହି ସ୍ଥାନର ନାମକରଣ ପଛରେ ଏକ ଛାପ ଛାଡ଼ିଯାଇଛି।
ଐତିହାସିକ ଅନିଲ ଧୀରଙ୍କ ଅନୁସାରେ ୧୯୪୯ ମସିହାରେ କଟକରୁ ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା। ନୂଆ ରାଜଧାନୀ ପାଇଁ ବିଧାନସଭାର କୋଠା ସମେତ ଅନ୍ୟ ବଡ଼ବଡ଼ କୋଠା ନିର୍ମାଣ ଚାଲିଥିଲା। ପଂଜାବର ‘ମାଷ୍ଟର କନ୍ଷ୍ଟ୍ରକସନ୍ କଂପାନି’ ଦ୍ବାରା ନିର୍ମାଣ କାମ କରାଯାଉଥିଲା। ଏଠାରେ ରୋଜଗାରର ବ୍ୟାପକ ସୁଯୋଗ ଥିବାରୁ କଂପାନିର ମାଲିକ ବାବୁରାମ ଲାମ୍ବା ଦିଲ୍ଲୀରୁ ଭୁବନେଶ୍ବର ଆସିବା ପାଇଁ ହଂସଭାଇ(୫ଜଣ)ମାନଙ୍କୁ ଡାକିଥିଲେ। ପରେ ହଂସ ପରିବାର ଆସି ଭୁବନେଶ୍ବରରେ ଘର ନିର୍ମାଣ କରି ବସବାସ କଲେ ଏବଂ ସେମାନେ ରହୁଥିବା ସ୍ଥାନକୁ ପଂଜାବୀ କଲୋନି ନାମ ରଖିଥିଲେ।
ଐତିହାସିକ ଧୀରଙ୍କ ଅନୁସାରେ ସରକାରୀ କୋଠା ଓ ୟୁନିଟ-୧ ଏବଂ ୟୁନିଟ୍-୨ ଆବାସିକ ଘରଗୁଡ଼ିକ ନିର୍ମାଣରେ ଶହଶହ ଇଂଜିନିୟର ନିୟୋଜିତ ହୋଇଥିଲେ। ଏହି ସମୟରେ ହଂସ ପରିବାରର ୫ ଜଣ ଭାଇ ଏକ କ୍ୟାଣ୍ଟିନ୍ ଖୋଲିଥିଲେ। ପରବର୍ତ୍ତୀ ସମୟରେ ଏହି କ୍ୟାଣ୍ଟିନ୍ ମାଷ୍ଟରକ୍ୟାଣ୍ଟିନ୍ ନାମରେ ଅଧିକ ଲୋକପ୍ରିୟ ହୋଇଥିଲା।
କ୍ୟାଣ୍ଟିନ୍ରେ ସିଙ୍ଗଡ଼ା ଓ ରସଗୋଲା ପ୍ରସ୍ତୁତ ହେଉଥିଲା, ଯାହାକି ଗ୍ରାହକମାନଙ୍କ ମଧ୍ୟରେ ଭାରି ଲୋକପ୍ରିୟ ଥିଲା। ଏହି କ୍ୟାଣ୍ଟିନ୍ ଅଧିକ ଲୋକପ୍ରିୟ ହେଲା ପରେ ଲୋକମାନେ ମଧ୍ୟ ରେଲୱେ ଷ୍ଟେସନ ନିକଟ ଛକକୁ ‘ମାଷ୍ଟରକ୍ୟାଣ୍ଟିନ୍ ଛକ’ ଡାକିବା ଆରମ୍ଭ କରିଦେଇଥିଲେ।
Bhubaneswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/31/er2BskNJX1iFp6HuIAuO.jpg)