ସୁନ୍ଦରଗଡ଼: ଏମସିଏଲ୍ ବସୁନ୍ଧରା ଏରିଆ ଗର୍ଜନବାହାଲ ଖଣି ଓ କନିକା ସାଇଡିଂରେ ଗତକାଲିଠାରୁ ଦିଲ୍ଲୀ ସିବିଆଇର ୩ଟି  ଦଳ  ଚଢ଼ଉ ଜାରି ରଖିଛି। ୭୫ ହଜାର ଟନ୍ କୋଇଲାର ହିସାବ ମିଳୁ ନଥିବା ଅଭିଯୋଗରେ ଚଢ଼ଉ ଚାଲିଥିବା ଚର୍ଚ୍ଚା ରହିଛି। ଏ କୋଇଲା ଚୋରାଚାଲାଣ କରି ମୋଟା ଅଙ୍କର ଟଙ୍କା ଚଳୁ କରିଥିବା ଅଭିଯୋଗ ରହିଛି। ତେବେ ଚଢ଼ଉବେଳେ ସାମ୍ନାକୁ ଆସିଥିବା ଏକ ଚାଞ୍ଚଲ୍ୟକର ସୂଚନା ଅନୁସାରେ ମାମଲାରେ ଜଣେ ସିବିଆଇ ଏଏସଆଇଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ସିବିଆଇ ଭୁବନେଶ୍ବର ଶାଖାର ଏଏସ୍‌ଆଇ ପ୍ରଶାନ୍ତ କୁମାର ପଲେଇ ଏମ୍‌ସିଏଲ୍ ଗର୍ଜନବାହାଲ ପ୍ରକଳ୍ପର ତତ୍କାଳୀନ ଡେସ୍‌ପାଚ୍ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କଠାରୁ ସିବିଆଇ ନଜରରୁ ଏଡ଼ାଇବା ନାଁରେ ନିୟମିତ ଟଙ୍କା ନେଉଥିଲେ।

Advertisment

ସାରଦାଙ୍କଠାରୁ ସିବିଆଇ ଏଏସଆଇ ପ୍ରଶାନ୍ତ କୁମାର ପଲେଇ ଲାଞ୍ଚ ନେଇଥିବା ଅଭିଯୋଗ 

କେବଳ ସେତିକି ନୁହେଁ,  ସାରଦାଙ୍କୁ ମନ ପସନ୍ଦର ସ୍ଥାନରେ ନିଯୁକ୍ତି ଦେବାକୁ ସଂସ୍ଥାର ମହା ପ୍ରବନ୍ଧକଙ୍କୁ ପ୍ରଶାନ୍ତ ଧମକ ଦେଉଥିଲେ। ପ୍ରଶାନ୍ତ, ତାଙ୍କ ପୁଅ ଓ  ଅନ୍ୟାନ୍ୟ ବ୍ୟକ୍ତିଙ୍କ ଆକାଉଣ୍ଟ ଜରିଆରେ ସାରଦାଙ୍କଠାରୁ ଲାଞ୍ଚ ଟଙ୍କା ନେଇଥିବା ଅଭିଯୋଗ ରହିଛି। ଏ କଥା ଜଣାପଡ଼ିବା ପରେ ସିବିଆଇ ମହଲରେ ହଇଚଇ ଖେଳିଯାଇଛି। ଦିଲ୍ଲୀ ସିବିଆଇ ସମ୍ପୃକ୍ତ ଏଏସଆଇ ଶ୍ରୀ ପଲେଇ, ସାଇଡିଂ ଇନଚାର୍ଜ ଶ୍ରୀ ସେଠୀ ଓ ଅନ୍ଯ ସହଯୋଗୀଙ୍କ ନାମରେ ଅପରାଧ ଷଡ଼ଯନ୍ତ୍ର, ଠକେଇ ଓ ଲାଞ୍ଚ ନେବା ଭଳି ସଂଗିନ ଦଫାରେ ମାମଲା ରୁଜୁ କରିଛି। ଏଥି ସହ ସିବିଆଇର ଏକ ସ୍ବତନ୍ତ୍ର ଦଳ ଭୁବନେଶ୍ବର, ସୁନ୍ଦରଗଡ଼, ରାଉରକେଲା ଓ ବ୍ରହ୍ମପୁରରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: Forbes India ଫୋର୍ବ୍ସ୍‌ ଇଣ୍ଡିଆ ମାଗାଜିନ୍‌ରେ ରାଉରକେଲାର ଯତୀନ, ‘ଯୁବ ନେତୃତ୍ବ’ ବର୍ଗରେ ସ୍ଥାନିତ

ସାରଦା ଅତି ଚତୁରତାର ସହ ବିଭିନ୍ନ ପରିବହନକାରୀ/କୋଇଲା ଉତ୍ତୋଳନକାରୀଙ୍କଠାରୁ ବେଆଇନ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। କମ୍ପାନିକୁ କାଗଜପତ୍ରରେ ନିମ୍ନ ଗ୍ରେଡ୍ ର  କୋଇଲା ବିକ୍ରି କରିଥିବା ଦର୍ଶାଇ ଉଚ୍ଚ ବା ଭଲ ଗ୍ରେଡର କୋଇଲା ଯୋଗାଇ ଦେଉଥିଲା। ଏବାଟରେ ସେ ଏମସିଏଲକୁ କ୍ଷତିରେ ପହଞ୍ଚାଇ କମ୍ପାନିଗୁଡ଼ିକଠାରୁ କୋଟି କୋଟି ଟଙ୍କା ପକେଟରେ ଭରିଥିବା ଅଭିଯୋଗ ରହିଛି।  ମାମଲାରେ ସିବିଆଇ ଗତକାଲି କନିକା ରେଳ ସାଇଡିଂ ଦାୟିତ୍ଵରେ ଥିବା  ସାରଦାଙ୍କୁ ତାଙ୍କ ଏମସିଏଲ୍ ନିବାସରୁ ଉଠାଇ ଆଣି ସାଇଡିଂ କାର୍ଯ୍ୟାଳୟରେ ପଚରାଉଚରା କରିଥିଲା। ପରେ ପରେ  ଦୁଇଜଣ ବ୍ୟାଙ୍କ କର୍ମଚାରୀଙ୍କ ସହ ତିନିଜଣ ସିବିଆଇ ଅଧିକାରୀ ଆସି ଚଢ଼ଉ  କରିଥିଲେ। ସନ୍ଧ୍ଯାରେ  ପ୍ରବର୍ତନ ନିର୍ଦେଶାଳୟ ଓ  ଖଣି ବିଭାଗର ଏକ ଦଳ  ମଧ୍ୟ ଏମସିଏଲ ପହଞ୍ଚି ଚଢ଼ଉରେ ସାମିଲ ହୋଇଛନ୍ତି।  

ଗତକାଲିଠାରୁ  ଶ୍ରୀ  ସେଠୀଙ୍କୁ ଏମସିଏଲ ଅତିଥି ଭବନରେ ଅଟକ ରଖାଯାଇଛି। ଗର୍ଜନବାହାଲ ଖଣି କାର୍ଯ୍ଯାଳୟ, କନିକା ସାଇଡିଂ, ବସୁନ୍ଧରା ମହା ପ୍ରବନ୍ଧକଙ୍କ କାର୍ଯ୍ଯାଳୟ ଓ ଶ୍ରୀ ସେଠୀଙ୍କ ଘରୁ ବହୁ କାଗଜପତ୍ର ଜବତ କରାଯାଇଛି। ଆଜି ସକାଳୁ ପୁଣି ଚଢ଼ଉ ଆରମ୍ଭ ହୋଇଛି ।