ନବରଙ୍ଗପୁର: ଜିଲ୍ଲା ପ୍ରଭାରୀ ବାଣିଜ୍ୟ ଓ  ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ନବରଂଗପୁର ଗସ୍ତ ଅବସରରେ ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧୀ ଚିଠା ଜାରି କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗ ଦର୍ଶନରେ ମୋହନ ସରକାର ସଫଳତାର ସହ ଏକ ବର୍ଷ ପୂରଣ କରି ପାରିଛି। ସରକାର ସମୃଦ୍ଧ ଓଡିଶା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଜୀବନ ଜୀବିକା, ଭିତ୍ତି ଭୂମି, ସାମାଜିକ ସୂରକ୍ଷା ଓ ସମାଜ କଲ୍ୟାଣ ତଥା ଓଡ଼ିଆ ଅସ୍ନିତା ଏହି ଚାରିଟି ସ୍ତମ୍ବକୁ ନେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

Advertisment

ସରାକାର ଶପଥ ଗ୍ରହଣ ପରେ ପ୍ରଥମ ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇ ତାହାର କାର୍ଯ୍ୟକାରୀ କରାଯାଇଥିଲା। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଶ୍ରୀଜଗନ୍ନାଥ ମନ୍ଦିର କର୍ପସ ଫଣ୍ଡ ଗଠନ, ସୁଭଦ୍ରା ଯୋଜନା ଲାଗୁ ଓ ଧାନର ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପିଛା ୩୧୦୦ ଟଙ୍କା କରି ସମଗ୍ର ରାଜ୍ୟର ଜନସାଧାରଣଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ସେହିଭଳି କୃଷି, ଉଦ୍ୟୋଗ କ୍ଷେତ୍ରକୁ ଗୁରୁତ୍ୱ ଦେଇ ବଜେଟରେ ୩୭,୮୩୮ କୋଟି ଟଙ୍କାର ବ୍ୟବସ୍ଥା, ପୁଞ୍ଜି ନିବେଶ ପାଇଁ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି। ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଇ ରେଳ ବିଭାଗକୁ ୭୩ ହଜାର କୋଟି ଟଙ୍କା ମଞ୍ଜୁର, ୭୫ ହଜାର କି ମି ସଡକ ନିର୍ମାଣ, ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ, ୬୦୦୦ କୋଟି ଟଙ୍କାର ସହରୀ ବିକାଶ ଯୋଜନାର ଶୁଭାରମ୍ଭ କରାଯାଇଛି।

ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ, ଜନଜାତି ଓ ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ କଲ୍ୟାଣ, ରୋଜଗାରକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ବିଜେପି ସରକାର ଆସିବା ପରେ ଓଡିଶାରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ଜିଲ୍ଲାବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ. ଗମନାଗମନ, ଭିତ୍ତିଭୂମି ସୁଦୃଢ଼ ଇତ୍ୟାଦି ସୁବିଧା ଯୋଗେଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି।

ରାୟପୁର ଠାରୁ ବିଶାଖାପାଟଣା ଆର୍ଥନୈତିକ କୋରିଡର ପାଇଁ ଭାରତମାଳା ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ପାଇଁ ନବରଙ୍ଗପୁର ଠାରେ ଏକ ମେଡିକାଲ କଲେଜ ସ୍ଥାପନ କରାଯିବ। ଜୟପୁର ଠାରୁ ନବରଙ୍ଗପୁର ରେଳ ଲାଇନ ସମ୍ପ୍ରସାରଣ କାର୍ଯ୍ୟ, ନବରଙ୍ଗପୁର ସହରରେ ବାଇପାସ ରାସ୍ତା ଖୁବ ଶୀଘ୍ର ସାକାର ହେବ। ତେଣୁ ସରକାରଙ୍କ ସମୃଦ୍ଧ ଓଡିଶା ଗଠନରେ ଶ୍ରୀ ଗଣ୍ଡ ଜିଲ୍ଲାବାସୀ ସହଯୋଗ  କାମନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାଶ ପରିଚାଳନା କରିଥିଲେ। 

 

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ବିଜେପି ରାଜ୍ୟ ସଂପାଦକ ରମେଶ ସାହୁ ଯୋଗ ଦେଇଥିଲେ।

Nabarangpur | Health