ଭୁବନେଶ୍ୱର: ଶ୍ରୀମନ୍ଦିରର ପରିଚାଳନା କମିଟିର ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟମାନେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ କମିଟି ଗଠନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ପରିଚାଳନା କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ଦିର ନୀତିକାନ୍ତି, ପର୍ବପର୍ବାଣୀ କିପରି ଶୃଙ୍ଖଳିତ ଭାବେ ପାଳିତ ହେବ ଏବଂ ପୁରୀ ସହରର ବିକାଶ କିପରି ତ୍ୱରାନ୍ୱିତ ହେବ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ମହାପ୍ରଭୁଙ୍କ ସେବା ଓ ମନ୍ଦିର ବିକାଶ କାମରେ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ପରିଚାଳନା କମିଟି ସଦସ୍ୟମାନଙ୍କୁ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ପୁରୀ ସହରରେ ଅନେକ ସୁବିଧା ଉପଲବ୍ଧ କରାଯିବ।
ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ପୁରୀ ସହରରେ ଅନେକ ସୁବିଧା ଉପଲବ୍ଧ କରାଯିବ।
-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
ପରିଚାଳନା କମିଟିର ସଦସ୍ୟ ମଧୁସୂଦନ ସିଂହାରି କହିଛନ୍ତି, ପରିଚାଳନା କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଲୋକସେବା ଭାବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ କିଭଳି ନୀତିକାନ୍ତି ଶୃଙ୍କଳିତ ହେବ ସେ ନେଇ ପରିଚାଳନା କମିଟି ଗୁରତ୍ୱ ଦେବ।
ପରିଚାଳନା କମିଟିର ସଦସ୍ୟ କୃଷ୍ଣଚନ୍ଦ୍ର ସାମନ୍ତରାୟ (ସୁଆର ମହାସଭା), ରଘୁବୀର ଦାସ (ମଠାଧୀଶ), ରାମନାରାୟଣ ଗୋଚ୍ଛିକାର (ପ୍ରତିହାରୀ ନିଯୋଗ), ମଧୁସୂଦନ ସିଂହାରୀ (ପୁଷ୍ପାଳକ ନିଯୋଗ) ଏବଂ ଜଗନ୍ନାଥ ପୂଜାପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।